ନୂଆଦିଲ୍ଲୀ: କୋରୋନା ଲକ୍ଡାଉନ୍ ବୃଦ୍ଧିକୁ ନେଇ ପ୍ରଶ୍ନ ଉଠାଇଛନ୍ତି କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । କଂଗ୍ରେସ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ବୈଠକ କରିବା ଅବସରରେ ସେ ଏହି ପ୍ରଶ୍ନ ଉଠାଇଛନ୍ତି ।
ମେ 17 ତାରିଖ ପରେ କଣ ? ଏବଂ କାହିଁକି ମେ 17 ? ସରକାର କେଉଁ ନିୟମାବଳୀ ଅନୁସାରେ ଲକ୍ଡାଉନ୍ ସ୍ଥିର କରୁଛନ୍ତି ବୋଲି ସେ ବୈଠକରେ କହିଛନ୍ତି । ସେହିପରି ବୈଠକରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ମଧ୍ୟ ସମାନ ପ୍ରସଙ୍ଗ ଉଠାଇବା ସହ ଲକ୍ଡାଉନ୍ ପରେ ସରକାର କଣ କରିବେ ଆମେ ଜାଣିବାକୁ ଚାହୁଁଛୁ ବୋଲି କହିଛନ୍ତି ।
ଅନ୍ୟପଟେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ୍ କହିଛନ୍ତି, ‘ଆମର 10 ହଜାର କୋଟିର ରାଜସ୍ବ କ୍ଷତି ହୋଇଛି । ଆମେ କେନ୍ଦ୍ରକୁ ବାରମ୍ବାର ଏହା କହିବା ସହ ସ୍ବତନ୍ତ୍ର ପ୍ୟାକେଜ ଦାବି କରୁଛୁ । କିନ୍ତୁ ସରକାର ଏପର୍ଯ୍ୟନ୍ତ କିଛି ଉତ୍ତର ଦେଉନାହାଁନ୍ତି ।’
ବୁଧବାର ସକାଳେ ବସିଥିବା ଏହି ବୈଠକରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଅଧ୍ୟକ୍ଷତା କରିଥିବାବେଳେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଓ ସମସ୍ତ କଂଗ୍ରେସ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଉପସ୍ଥିତ ଥିଲେ ।