ଦେବୀ କାମାକ୍ଷାଙ୍କ ପୀଠ କାମାକ୍ଷା ମନ୍ଦିର ଏକ ଆଦିଶକ୍ତି ପୀଠ । ସାରା ବିଶ୍ବର ଭକ୍ତ, ଶ୍ରଦ୍ଧାଳୁ, ତନ୍ତ୍ର ସାଧକଙ୍କୁ ଆକୃଷ୍ଟ କରିଥାଏ ଏହି ମନ୍ଦିର । ଉତ୍ତରପୂର୍ବ ଭାରତରେ ଯେତେବେଳେ ପର୍ଯ୍ୟଟନ ଓ ଧାର୍ମିକ ସ୍ଥଳ କଥା ଆସେ ତେବେ ଆସାମର କାମାକ୍ଷା ମନ୍ଦିର ତାଲିକାରେ ପ୍ରଥମ ସ୍ଥାନରେ ରହିବ । ଏହା ଦେଶର ମହାନ ଧାର୍ମିକସ୍ଥଳ ମାନଙ୍କ ମଧ୍ୟରୁ ଗୋଟଏ ।
ଏହି ମନ୍ଦିରରେ ବି ଲୁଚିଛି ଅନେକ କାହାଣୀ ଅନେକ କଥା ଆଉ ରହସ୍ୟ । ତେବେ ଆସନ୍ତୁ ଜାଣିବା କାମାକ୍ଷା ଦେବୀଙ୍କ ଏହି ପ୍ରସିଦ୍ଧ ମନ୍ଦିର ବିଷୟରେ କିଛି ଅଜଣା କଥା ।
1- କାମାକ୍ଷା ସର୍ବପୂରାତନ ଶକ୍ତିପୀଠମାନଙ୍କ ମଧ୍ୟରୁ ଅନ୍ୟତମ
ମନ୍ଦିର କେବେ ଓ କେମିତି ସୃଷ୍ଟି ହେଲା ସେନେଇ କୌଣସି ଅଧିକ ତଥ୍ୟ ନାହିଁ । ତେବେ ଆହ୍ଲାବାଦରେ ରାଜା ସମୁଦ୍ରଗୁପ୍ତଙ୍କ ଲେଖାରୁ ମନ୍ଦିର ସନ୍ଦର୍ଭରେ ଜଣାପଡ଼େ ।
2- କାମାକ୍ଷା ହେଉଛି ଉତ୍ପତି ବା ବଂଶବୃଦ୍ଧିର ପ୍ରତୀକ
ପୌରାଣିକ କଥା ଅନୁସାରେ ମନ୍ଦିର ବଂଶବୃଦ୍ଧିର ଶକ୍ତିର ପ୍ରତୀକ ଯାହା କି ସବୁ ସ୍ତ୍ରୀଙ୍କ ପାଖରେ ରହିଥାଏ । ବିଶ୍ବାସ ରହିଛି ଯେ ଭଗବାନ ଶିବଙ୍କୁ ଶାନ୍ତ କରିବା ପାଇଁ ଯେତେବେଳେ ଭଗବାନ ବିଷ୍ଣୁ ତାଙ୍କ ସୁଦର୍ଶନ ଚକ୍ରରେ ମାତା ସତୀଙ୍କ ଶରୀରକୁ ଖଣ୍ଡ ବିଖଣ୍ଡିତ କରିଥିଲେ ସତୀଙ୍କର ଯୋନୀ ଓ ଗର୍ଭ ଏଠାରେ ପଡ଼ିଥିଲା । ଦେବୀଙ୍କର ଏହି ଦୁଇ ଅଂଶ ଏକ ନୂତନ ଜୀବନ ସୃଷ୍ଟି କରିବାର ଶକ୍ତିର ପ୍ରତୀକ ବୋଲି ମନେ କରାଯାଏ ଯାହା ସମସ୍ତ ସ୍ତ୍ରୀଙ୍କ ପାଖରେ ରହିଥାଏ । ପୁରାଣରେ ଏହା ମଧ୍ୟ ବର୍ଣ୍ଣନା କରାଯାଇଛି ଯେ ଦେବୀ ସତୀ ଭଗବାନ ଶିବଙ୍କ ସହ ନିଜର ଅନ୍ତରଙ୍ଗ ମୁହୂର୍ତ୍ତ ସବୁ ଏଠାରେ ବିତାଇଥିଲେ । ତାହା ମଧ୍ୟ ବଂଶବୃଦ୍ଧିକୁ ସଙ୍କେତ ଦେଇଥାଏ ।
3- ବର୍ତ୍ତମାନର ମନ୍ଦିର ଜଣେ ରାଜା ନିର୍ମାଣ କରାଇଥିଲେ
ବର୍ତ୍ତମାନ କାମାକ୍ଷାରେ ଯେଉଁ ମନ୍ଦିର ଅଛି ତାକୁ 1665 ମସିହା ବା ସପ୍ତଦଶ ଶତାବ୍ଦୀରେ କୁଚବିହାର ରାଜା ନରନାରାୟଣ ନିର୍ମାଣ କରାଇଥିଲେ । ଷୋଡଶ ଶତାବ୍ଦୀରେ ମନ୍ଦିର ନଷ୍ଟ ହୋଇଯିବା ପରେ ରାଜା ଏହାକୁ ପୁନଃ ନିର୍ମାଣ କରାଇଥିଲେ ବୋଲି କୁହାଯାଏ ।
4- କାମାକ୍ଷା ମନ୍ଦିରର ଗର୍ଭଗୃହରେ ନାହାନ୍ତି କୌଣସି ଦେବାଦେବୀ
ମନ୍ଦିରର ଗର୍ଭଗୃହ ଏକ ଗୁମ୍ଫାରେ ରହିଛି ଯେଉଁଠି କୌଣସି ଦେବାଦେବୀଙ୍କର ପ୍ରତିମା କିମ୍ବା ଫଟୋ ନାହିଁ, ଅଛି କେବଳ ପଥର ଦେହରେ ଖୋଦିତ ଯୋନୀ ଆକାରର ଏକ ପ୍ରତିକୃତି । ଭକ୍ତ ଓ ଶ୍ରଦ୍ଧାଳୁମାନେ ଏହାକୁ ଖୁବ ଶ୍ରଦ୍ଧା ଓ ସମ୍ମାନର ସହ ଦେଖନ୍ତି । ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏକ ପ୍ରାକୃତିକ ତରଳ ପଦାର୍ଥ ସବୁବେଳେ ପଥରରେ ଖୋଦିତ ଏହି ପ୍ରତିକୃତିକୁ ଆର୍ଦ୍ର କରି ରଖିଥାଏ ।
5- ମନ୍ଦିର ଭିତରେ ଭୁତାତ୍ତ୍ବିକ ଗଠନ
ମନ୍ଦିରର ଭିତର ଦେଉଳର ପ୍ରଥର କାନ୍ଥରେ ଯୋନୀ ଆକାରର ଏକ ଖାଲ ରହିଛି । ଏହି ଖାଲ ବା ଫାଙ୍କା ବାଟ ଦେଇ ସଦାସର୍ବଦା ଏକ ପ୍ରାକୃତିକ ଝରଣା ନିର୍ଗତ ହୋଇଥାଏ । ତେବେ ଏହା ଏକ ପ୍ରତ୍ନତାତ୍ତ୍ବିକ ଘଟଣା ଅଟେ କିନ୍ତୁ ଏବେ ବି ଏହା ଖୁବ ପ୍ରତୀକାତ୍ମକ ।
6- ଅନେକ ପୂଜା ଓ ନୀତିକାନ୍ତି ଅନୁଷ୍ଠିତ ହୁଏ କାମାକ୍ଷା ମନ୍ଦିର
ବାସନ୍ତୀ ପୂଜା, ଦୂର୍ଗାଦେଉଲ, ମଦାନଦେଉଲ, ପୋହାନ, ଦୂର୍ଗାପୂଜା, ଅମ୍ବୁବାଚି ପୂଜା, ମାନସ ପୂଜା ଆଜି ଅନେକ ପୂଜା କାମାକ୍ଷା ମନ୍ଦିରରେ ଅନୁଷ୍ଠିତ ହୋଇଥାଏ ।
କାମାକ୍ଷା ମନ୍ଦିର ଭଳି ଦେଶର ଅନେକ ଶକ୍ତିପୀଠ ରହିଛି ଯେଉଁଠି ମାତା ସତୀଙ୍କର ଶରୀରର ବିଭିନ୍ନ ଅଂଶ ପଡ଼ିଛି । ତେବେ କାମାକ୍ଷା ମନ୍ଦିରର ରହିଛି ନିଜସ୍ବ ସ୍ବତନ୍ତ୍ରତା ।