ଇନ୍ଦୋର: ପାକିସ୍ତାନରୁ ଉଦ୍ଧାର ହୋଇଥିବା ଭାରତର ଗୀତାଙ୍କର ପରିବାରକୁ ଖୋଜିବା ପାଇଁ ଅଭିନବ ଉପାୟକୁ ଆପଣାଇଛି ମଧ୍ୟପ୍ରଦେଶର ମୁକବଧିର ସଂସ୍ଥା । ସୋସିଆଲ ମିଡ଼ିଆ ସହାୟତାରେ ଗୀତାଙ୍କ ପରିବାରକୁ ଖୋଜୁଛି ଏହି ସଂସ୍ଥା । ଫେସବୁକରେ ରିୟୁନିଟ ଗୀତା, ଏ ଡ଼ିଫ ଗାର୍ଲ ଓ୍ବିଥ ଫ୍ୟାମିଲ ନାମରେ ଏକ ସ୍ବତନ୍ତ୍ର ପେଜ ଖୋଲାଯାଇଥିବା ବେଳେ ମୋବାଇଲ ଆପ୍ଲିକେସନ ଫେସ ଆପର ମଧ୍ୟ ବ୍ୟବହାର କରାଯାଉଛି ।
2015 ମସିହାରେ ତତ୍କାଳୀନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜଙ୍କ ପ୍ରୟାସରେ ମୁକ ବଧିର ଗୀତାଙ୍କୁ ପାକିସ୍ତାନରୁ ଉଦ୍ଧାର କରାଯାଇଥିଲା । ପରେ ତାଙ୍କର ରକ୍ଷଣାବେକ୍ଷଣା ଦାୟିତ୍ବ ମଧ୍ୟପ୍ରଦେଶର ଏକ ମୁକବଧିର ଅନୁଷ୍ଠାନ ଆନନ୍ଦ ସର୍ଭିସ ସେଣ୍ଟରକୁ ଦିଆଯାଇଥିଲା । ଯେପର୍ଯ୍ୟନ୍ତ ଗୀତାର ପରିବାର ମିଳିଯାଇନାହାଁନ୍ତି ସେ ପର୍ଯ୍ୟନ୍ତ ଗୀତା ସେଠାରେ ରହିପାରିବ ବୋଲି ସୁଷମା ନିର୍ଦ୍ଦେଶ ଦେଇଥିଲେ । ଫଳରେ 2015 ଅକ୍ଟୋବର 26 ତାରିଖ ପରଠାରୁ ଗୀତା ସେଠାରେ ରହିଆସୁଛି ।
ମାତ୍ର ଗୀତା ମୁକ ବଧିର ହୋଇଥିବାରୁ ତାର ଘର ଓ ପରିବାର ସମ୍ପର୍କରେ ସଠିକ ସୂଚନା ମିଳିବା କଷ୍ଟକର ହୋଇ ପଡ଼ିଛି । ଫଳରେ ଉକ୍ତ ଅନୁଷ୍ଠାନ ପକ୍ଷରୁ ବିଭିନ୍ନ ସୋସିଆଲ ମିଡ଼ିଆର ସହାୟତା ନିଆଯାଇଛି । ଏନେଇ ସଂସ୍ଥାର ସଦସ୍ୟ ଜ୍ଞାନେନ୍ଦ୍ର ପୁରୋହିତ କୁହନ୍ତି, ତାଙ୍କ ପରିବାରକୁ ଖୋଜିବା ପାଇଁ ମୋବାଇଲ ଆପ୍ଲିକେସନ ଫେସ ଆପର ସହାୟତା ମଧ୍ୟ ନିଆଯାଉଥିବା ଜଣାପଡ଼ିଛି ।
ସେ ଆହୁରି ମଧ୍ୟ କହିଛନ୍ତି କି, ଫେସଆପ ଏଭଳି ଏକ ଆପ୍ଲିକେସନ, ଯାହା ମାଧ୍ୟମରେ ନିଖୋଜ ପିଲା କିମ୍ବା ବୟସ୍କଙ୍କ 10 ବର୍ଷ ତଳର ଫଟୋ ମଧ୍ୟ ପ୍ରସ୍ତୁତ କରାଯାଇପାରିବ । ଗୀତାଙ୍କର ମଧ୍ୟ ଏଭଳି ଏକ ଫଟୋ କରାଯାଇ ଭାଇରାଲ କରାଯାଇଛି । ଏହା ମାଧ୍ୟମରେ ତାଙ୍କର ବାପା, ମା'ଙ୍କ ଠିକଣା ମିଳିପାରିବ ବୋଲି ଆଶା କରାଯାଉଥିବା ଜ୍ଞାନେନ୍ଦ୍ର କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି , ଚୀନ ଏବଂ ଋଷରେ ଏହି ଆପ୍ଲିକେସନକୁ ବ୍ୟବହାର କରି ନିଖୋଜ ପିଲାଙ୍କୁ ଖୋଜାଯାଇପାରୁଛି । 3 ବର୍ଷ ପିଲାର ମଧ୍ୟ ଫଟୋକୁ ପ୍ରସ୍ତୁତ କରି ଭାଇରାଲ କରି ତାଙ୍କ ପରିବାରର ଠିକଣା ମଧ୍ୟ ମିଳିପାରୁଛି ବୋଲି ସେ ସୂଚନା ଦେଇଥିଲେ ।
ସୂଚନାଯୋଗ୍ୟ ଗୀତା ପାଖାପାଖି 10 ବର୍ଷ ପୂର୍ବରୁ ନିଖୋଜ ହୋଇଥିବା ଜଣାପଡ଼ଛି । ବର୍ତ୍ତମାନ ସେ 27 ବର୍ଷରେ ପଦାର୍ପଣ କରିସାରିଲାଣି । ଏହା ଫଳରେ ତାଙ୍କର 10 ବର୍ଷ ପୂର୍ବର ଫଟୋକୁ ପ୍ରସ୍ତୁତ କରି ଭାଇରାଲ କରାଯାଇଛି । ସେପଟେ ଗୀତାଙ୍କ ବାପା-ମା ପାଇଁ 24ରୁ ଊର୍ଦ୍ଧ୍ବ ଲୋକ ଦାବି କରି ସାରିଲେଣି । ମାତ୍ର ସେମାନଙ୍କର ଡିଏନଏ ପରୀକ୍ଷା କରିସାରିଥିଲେ ମଧ୍ୟ ତାହା ବିଫଳ ହୋଇଥିବା ସୂଚନା ମିଳିଛି ।