ନନ୍ଦ କିଶୋର କନ୍ନୁରି, ପିଏଚ୍ଡି
ଆରିଷ୍ଟୋଟଲ କହିଥିଲେ, “ପ୍ରକୃତିଗତ ଭାବେ ମଣିଷ ଏକ ସାମାଜିକ ପ୍ରାଣୀ”। ସମସ୍ତ ମଣିଷ । ତେଣୁ, ସାମାଜିକ ଦୂରତା ଆମ ପ୍ରକୃତିର ବିରୋଧୀ ବୋଲି ମନେହୁଏ । ବାସସ୍ଥାନ, ଘରର ପ୍ରକାର, ଆୟ ଏବଂ ଜୀବିକା ପ୍ରଭୃତି ବୃହତ୍ ସାମାଜିକ ପ୍ରସଙ୍ଗ ସହିତ ବିଚାର କଲେ, କୋଭିଡ୍ 19 ସର୍ବବ୍ୟାପୀ ମହାମାରୀ ଭଳି ସଂକଟ ସମୟରେ ସାମାଜିକ ଦୂରତାର ଅଭ୍ୟାସ କଷ୍ଟକର ଲାଗିବାର ଏହା ହିଁ ଏକ ପ୍ରମୁଖ କାରଣ ।
କିନ୍ତୁ, ଏହି ବିଶ୍ବ ମହାମାରୀର ପ୍ରତିରୋଧ ପାଇଁ କୌଣସି ଟୀକା ବା ଚିକିତ୍ସା ପଦ୍ଧତି ଶୀଘ୍ର ବାହାରିବାର ସମ୍ଭାବନା ନଥିବା ସମୟରେ କେବଳ ସାମାଜିକ ଦୂରତା ବଜାୟ ରଖିବା ଏବଂ ହାତ ପରିଷ୍କାର କରିବା ଭଳି ସାମାଜିକ ଏବଂ ବ୍ୟାବହାରିକ ବ୍ୟବଧାନ ହିଁ ପ୍ରଭାବଶାଳୀ ପ୍ରତିଷେଧକ ପଦକ୍ଷେପ ରୂପେ ଗୃହୀତ । ଇତିହାସରୁ ମିଳିଥିବା ଶିକ୍ଷାରୁ ଜଣାପଡ଼େ ଯେ, ସାମାଜିକ ଦୂରତା
ବଜାୟ ରଖିବା ଏକ ସକ୍ଷମ ଉପାୟ । 1918ରେ ସ୍ପେନ୍ରେ ଫ୍ଲୁ ପ୍ରାଦୁର୍ଭାବ ସମୟରେ ଏହା ଫଳପ୍ରଦ ହୋଇଥିଲା । କୋଭିଡ୍-19ର ବ୍ୟାପ୍ତିକୁ ରୋକିବା ପାଇଁ ସାରା ବିଶ୍ବର ବହୁ ଦେଶ, ସାମାଜିକ ଦୂରତା ବଜାୟ ରଖିବାକୁ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ରୂପେ ଲାଗୁ କରୁଛନ୍ତି ।
ସାମାଜିକ ଦୂରତା କ’ଣ: ଏହାର ଅର୍ଥ, ରୋଗର ବ୍ୟାପ୍ତି ହ୍ରାସ କରିବା ସକାଶେ ଆଖପାଖରେ ଥିବା ବ୍ୟକ୍ତିଙ୍କ ମଧ୍ୟରେ ଏକ ନିର୍ଦ୍ଦିଷ୍ଟ ଶାରୀରିକ ଦୂରତା ବଜାୟ ରଖିବା । ସାମାଜିକ ଦୂରତା- ଏକ ଅପ୍ରକୃତ ବା ଭୁଲ ଅର୍ଥରେ ବ୍ୟବହୃତ ଶବ୍ଦ, କାରଣ ଏହା ହୁଏତ ସାମାଜିକ ସଂପର୍କ ଛିନ୍ନ କରିବାକୁ, କିମ୍ବା ସାମାଜିକ ପ୍ରତିଷ୍ଠା ଭିତ୍ତିରେ ଭେଦଭାବ ସୃଷ୍ଟି କରିବାକୁ ବୁଝାଇପାରେ । ତେଣୁ, ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ସାମାଜିକ ଦୂରତା ଶବ୍ଦର ପ୍ରଚଳନକୁ ନିରୁତ୍ସାହିତ କରିବା ସହିତ ‘ଶାରୀରିକ ଦୂରତା’ ଶବ୍ଦ ବ୍ୟବହାରକୁ ଉତ୍ସାହିତ କରୁଛି ।
କିପରି ଏହାର ଅଭ୍ୟାସ କରାଯାଏ: ସର୍ବବ୍ୟାପୀ ମହାମାରୀ ସମୟରେ ଲୋକଙ୍କୁ ଘର ଭିତରେ ରହିବା ଲାଗି, ଜନଗହଳି ସ୍ଥାନକୁ ନ ଯିବା ଲାଗି ଏବଂ ପରସ୍ପର ମଧ୍ୟରେ 3ରୁ 6 ଫୁଟ୍ ପର୍ଯ୍ୟନ୍ତ ଶାରୀରିକ ଦୂରତା ରଖିବା ଲାଗି କୁହାଯାଇ ଶାରୀରିକ ଦୂରତା ବଜାୟ ରଖିବା ଲାଗୁ କରାଯାଏ । ଲୋକମାନେ ଶାରୀରିକ ଦୂରତା ବଜାୟ ରଖିବାର ଅଭ୍ୟାସ କରିବା ନିମନ୍ତେ ଏକ ଅନୁକୂଳ ବାତାବରଣ ସୃଷ୍ଟି ପାଇଁ ଅଧିକାଂଶ ସରକାର ସାର୍ବଜନୀନ ପରିବହନ ବ୍ୟବସ୍ଥା, ସର୍ବସାଧାରଣ ସ୍ଥାନ ଏବଂ ଅତ୍ୟାବଶ୍ୟକ ସେବା ବ୍ୟତୀତ ସମସ୍ତ ସଂସ୍ଥାକୁ ବନ୍ଦ କରିଦେଇଛନ୍ତି ଏବଂ ଘରେ ରହି କାମ କରିବାକୁ ଲୋକଙ୍କୁ ଉତ୍ସାହିତ କରୁଛନ୍ତି ।
ଏହା କିପରି ସାହାଯ୍ୟ କରେ: ବିଭିନ୍ନ ସ୍ତରରେ ଶାରୀରିକ ଦୂରତା ବଜାୟ ରଖିବା ସାହାଯ୍ୟ କରେ । 1. ରୋଗଗ୍ରସ୍ତ ଅବସ୍ଥା ଏବଂ କମ୍ ରୋଗ ପ୍ରତିରୋଧକ ଶକ୍ତି ଶ୍ରେଣୀଭୁକ୍ତ ବୟସ୍କ ଲୋକଙ୍କର ଏବଂ ଅଧିକ ସଂକ୍ରମଣ ଆଶଙ୍କାଥିବା ବ୍ୟକ୍ତିଙ୍କ ମଧ୍ୟରେ ସଂକ୍ରମଣ ଆଶଙ୍କା କମ କରିଥାଏ ।
2. ପରବର୍ତ୍ତୀ ପର୍ଯ୍ୟାୟକୁ ଯିବା ଲାଗି କୋଭିଡ୍-19 ବିଶ୍ବ ମହାମାରୀର ଗତିକୁ ଏହା ମନ୍ଥର କରିଥାଏ । ବର୍ତ୍ତମାନ ଭାରତ ଦ୍ବିତୀୟ ପର୍ଯ୍ୟାୟରେ ରହିଛି । ଯାହାର ଅର୍ଥ ଏହି ଭୂତାଣୁ ସ୍ଥାନୀୟ ଭାବରେ ସଂଚାରିତ ହେଉଛି । ଏହି ପର୍ଯ୍ୟାୟରେ ସଂକ୍ରମଣର ଉତ୍ସ ଏବଂ ଗତିପଥକୁ ଚିହ୍ନଟ କରାଯାଇ ପାରିବ । ଏହି ବିଶ୍ବ ମହାମାରୀର 3ୟ ପର୍ଯ୍ୟାୟରେ ପ୍ରବେଶକୁ ପ୍ରତିରୋଧ କରିବା ପାଇଁ ଶାରୀରିକ ଦୂରତା ବଜାୟ ରଖିବା ଗୁରୁତ୍ବପୂର୍ଣ୍ଣ । ପର୍ଯ୍ୟାୟ-3 ବା ସାମୁଦାୟିକ ସଂଚାରଣର ଅର୍ଥ ଏହି ମହାମାରୀର ଭୂତାଣୁ ଏବେ ସମାଜର ବିଭିନ୍ନ ଲୋକଙ୍କ ଭିତରେ ଘୂରି ବୁଲୁଛି ଏବଂ ଏହାଦ୍ବାରା ସଂକ୍ରମିତ ଏବଂ ପୀଡ଼ିତ ବ୍ୟକ୍ତିଙ୍କ ସଂଖ୍ୟା ଖୁବ୍ ଦ୍ରୁତ ହାରରେ ବଢ଼ିପାରେ ।
3. ଶାରୀରିକ ଦୂରତା ବଜାୟ ରଖିବା ଫଳରେ ସଂକ୍ରମଣ ମାମଲାର ସଂଖ୍ୟା ହ୍ରାସ ପାଇବ ଏବଂ ଭୂତାଣୁର ଗତିରୋଧ କରାଯାଇପାରିବ । ଏହାର ଅର୍ଥ, ସ୍ବାସ୍ଥ୍ୟ ସେବା ବ୍ୟବସ୍ଥା ସମୂହକୁ ଅତିରିକ୍ତ ବୋଝରୁ ସୁରକ୍ଷିତ ରଖାଯାଇ ପାରିବ ।
ସାମାଜିକ ଦୂରତା ଚିନ୍ତାଧାରାରୁ ଅନ୍ୟାନ୍ୟ କେତେକ ସମ୍ବନ୍ଧିତ ସାମାଜିକ ଘଟଣା ଏବଂ ଧାରଣା ପ୍ରକାଶିତ ହୁଏ । ଶାରୀରିକ ଦୂରତା ବଜାୟ ରଖିବା ପ୍ରୟାସକୁ ପ୍ରାସଙ୍ଗିକ କରିବା ଲାଗି ଏଗୁଡିକ ବିଚାରକୁ ନେବା ଦରକାର:
ସାମାଜିକ ବନ୍ଧନ ବି ସାମାଜିକ ଦୂରତା ବଜାୟ ରଖିବା ସମୟରେ ସମ୍ଭବ । ସମାଜରୁ ଅଲଗା ହୋଇ ରହୁଥିବା ସମୟରେ, ଭିଡିଓ କଲ୍ ଭଳି ଜ୍ଞାନକୌଶଳ ଜରିଆରେ ପରସ୍ପର ସହ ସଂପର୍କ ରକ୍ଷା ଏବଂ ସହାୟତା କରିବା ସମ୍ଭବ । ସମ୍ବେଦନଶୀଳ ବରିଷ୍ଠ ବ୍ୟକ୍ତିମାନଙ୍କୁ ସୁସ୍ଥ ଅବସ୍ଥାରେ ରଖିବା ପାଇଁ ସେମାନଙ୍କ ସହ ନିୟମିତ ଯୋଗାଯୋଗ ରକ୍ଷା କରିବା ଗୁରୁତ୍ବପୂର୍ଣ୍ଣ ।
ସାମାଜିକ ହିତ: ପାରମ୍ପରିକ ଭାବରେ ଆମେ ସାମାଜିକ ହିତ ଚିନ୍ତାଧାରାକୁ ସମ୍ମାନ ଦେଉ ଏବଂ ଦୃଢ଼ ସାମାଜିକ ସଂପର୍କ ସ୍ଥାପନରେ ବିଶ୍ବାସ କରୁ । ତେଣୁ, ଶାରୀରିକ ଦୂରତାର ଆବଶ୍ୟକତା ସମୟରେ, ସାମୂହିକ କଲ୍ୟାଣକୁ ପ୍ରାଥମିକତା ଦେବା ଲାଗି ଏସବୁ ଚିନ୍ତାଧାରାର ପୁନରାବଲୋକନ ଏବଂ ପୁନରାବୃତ୍ତି ଗୁରୁତ୍ବପୂର୍ଣ୍ଣ ।
ସର୍ବବ୍ୟାପୀ ମହାମାରୀ ସମୟରେ ସାମୂହିକ କାର୍ଯ୍ୟରେ ଅଂଶଗ୍ରହଣ ଏବଂ ସ୍ବେଚ୍ଛାସେବୀ ମନୋଭାବର ପରିପ୍ରକାଶ ଫଳରେ ସାମାଜିକ ଏକତା ବୃଦ୍ଧି ପାଏ । ଜଣେ ନିଜର ଯତ୍ନ ନେବା ସହିତ ଅନ୍ୟମାନଙ୍କ ଯତ୍ନ ନେବା କ୍ଷେତ୍ରରେ ଯୋଗଦାନ ଦେବା ଗୁରୁତ୍ବପୂର୍ଣ୍ଣ କଥା । ସୁସ୍ଥ, ଯୁବ ବର୍ଗ ଏବଂ ସୁରକ୍ଷିତ ବ୍ୟକ୍ତିଙ୍କ ସମେତ ଆମ ସମସ୍ତଙ୍କ ପାଇଁ ଏକ ନିର୍ଦ୍ଦିଷ୍ଟ ଭୂମିକା ନିର୍ବାହ କରିବାକୁ ଅଛି । ଆସନ୍ତୁ, ଆମେ ସମସ୍ତେ ସମାଜର ସମ୍ବେଦନଶୀଳ ବ୍ୟକ୍ତିଙ୍କ ପ୍ରତି ସଚେତନ ହେବା ।
ଅଧିକାଂଶ ମହାମାରୀ ସମୟରେ, ଭୂତାଣୁ ସଂସ୍ପର୍ଶରେ ଆସିଥିବା କୌଣସି ଏକ ନିର୍ଦ୍ଦିଷ୍ଟ ସଂପ୍ରଦାୟ ବା ବ୍ୟକ୍ତି ସାମାଜିକ ଅପବାଦର ଶିକାର ହେଉଥିବା ପରିଲକ୍ଷିତ ହୋଇଛି । ଏହା ଜାଣି ରଖିବା ଉଚିତ ଯେ, ସାମାଜିକ ଅପବାଦ କାରଣରୁ ସଂକ୍ରମିତ ଲୋକେ ଲକ୍ଷଣ ସଂପର୍କରେ ପ୍ରକାଶ କରିବେ ନାହିଁ ଏବଂ ପ୍ରତିଷେଧମୂଳକ ପଦକ୍ଷେପ ନେବାରେ ଅବହେଳା କରିବେ । ସୁତରାଂ, ପୀଡ଼ିତ ବ୍ୟକ୍ତିଙ୍କ ଅପନିନ୍ଦା ସମ୍ଭାବନାକୁ ହ୍ରାସ କରିବା ଦିଗରେ ଯେ କୌଣସି ପ୍ରକାର ପଦକ୍ଷେପ ନିଆଯିବା
ଦରକାର ।
ଶାରୀରିକ ଦୂରତା ବଜାୟ ରଖିବାରେ ସାମାଜିକ ବିଧି ବ୍ୟବସ୍ଥାର ପରିବର୍ତ୍ତନ ଏକ ପ୍ରମୁଖ ଭୂମିକା ନିର୍ବାହ କରେ । କରମର୍ଦ୍ଦନ, ଆଲିଙ୍ଗନ ଭଳି ପ୍ରଥାକୁ ଦୂରେଇ ଦେଇ ନମସ୍ତେ ଏବଂ ସଲାମ ଜରିଆରେ ପରସ୍ପରକୁ ଅଭିନନ୍ଦନ ଜଣାଇବା ପ୍ରଥାକୁ ଆପଣେଇ ନେବାକୁ ହୁଏ ।
ସାମାଜିକ ନ୍ୟାୟ: ସାଧାରଣ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଯେ କୌଣସି ପ୍ରକାର ପଦକ୍ଷେପକୁ ସଫଳ ଏବଂ ଦୀର୍ଘସ୍ଥାୟୀ କରାଇବାକୁ ହେଲେ, ସୁନିଶ୍ଚିତ ଭାବେ ଏହାର ରୂପରେଖକୁ ସାମାଜିକ ନ୍ୟାୟର ମୂଳନୀତି ଅନୁମୋଦିତ ପ୍ରାସଙ୍ଗିକତା ପ୍ରଦାନ କରିବା ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ । ସରଳ ଭାଷାରେ ସାମାଜିକ ନ୍ୟାୟର ଅର୍ଥ ସାଧାରଣ ସୁବିଧା ସୁଯୋଗକୁ ସମସ୍ତଙ୍କ ମଧ୍ୟରେ ସମାନ ଭାବରେ ବାଣ୍ଟିବା ଏବଂ ସାଧାରଣ ବୋଝକୁ ସମସ୍ତେ ମିଳିମିଶି ହାଲୁକା କରିବା । ସାଧାରଣ ସ୍ବାସ୍ଥ୍ୟ
ପ୍ରସଙ୍ଗରେ ଏହାର ଅର୍ଥ ହେଉଛି ସବୁ ଲୋକଙ୍କ ସୁସ୍ଥତା ରକ୍ଷା କରିବା ଏବଂ ଏହି ଉଦ୍ଦେଶ୍ୟ ସାଧନ ପାଇଁ ସବୁଠାରୁ ପ୍ରତିକୂଳ ସ୍ଥିତିରେ ଥିବା ବ୍ୟକ୍ତିଙ୍କର ଯତ୍ନ ନେବା ନିହାତି ଆବଶ୍ୟକ । କୋଭିଡ୍-19 ଭଳି ସର୍ବବ୍ୟାପୀ ମହାମାରୀ ଏହା ଉପରେ ଗୁରୁତ୍ବାରୋପ କରେ ।
ସମାଜର ବିଭିନ୍ନ ସ୍ପର୍ଶକାତର ଗୋଷ୍ଠୀରେ ରହିଥାଏ ସାମାଜିକ ଦୁର୍ଦ୍ଦଶା । ଦରିଦ୍ର ଏବଂ ଉପେକ୍ଷିତ ଗୋଷ୍ଠୀର ସ୍ବାସ୍ଥ୍ୟ ପ୍ରତି ସହଜରେ ବିପଦ ଆଶଙ୍କା ସୃଷ୍ଟି ହୋଇଥାଏ । ଏହା ବ୍ୟତୀତ ଶାରୀରିକ ଦୂରତା ହ୍ରାସ କରିବା ଦିଗରେ ପଦକ୍ଷେପ ଦ୍ବାରା ତାଲାବନ୍ଦ ସ୍ଥିତି ଉପୁଜିପାରେ ଏବଂ ଏହା ଫଳରେ ଅର୍ଥନୈତିକ କ୍ଷେତ୍ରରେ ଆଶଙ୍କା ପ୍ରକାଶ ପାଇପାରେ ।
ଦରିଦ୍ର ଓ ଦିନ ମଜୁରିଆ, ଅସଂଗଠିତ ଏବଂ ବେସରକାରୀ କ୍ଷେତ୍ରରେ କାର୍ଯ୍ୟରତ ଶ୍ରମିକ, ଛୋଟପିଲା ଏବଂ ବୟସ୍କଙ୍କ ଭଳି ସ୍ପର୍ଶକାତର ଗୋଷ୍ଠୀକୁ ସାମାଜିକ ସୁରକ୍ଷା ପ୍ରଦାନ ଦିଗରେ ସମୁଚିତ ପଦକ୍ଷେପ ନିଆ ନଗଲେ ଏହା ସେମାନଙ୍କର ସ୍ବାସ୍ଥ୍ୟ ଓ ସୁସ୍ଥତା ଉପରେ ବିନାଶକାରୀ ପ୍ରଭାବ ପକାଇବ । ତାଲାବନ୍ଦ ବା ଲକ୍ଡାଉନ୍ ସମୟ ହିଁ ଲୋକଙ୍କ ପାଖରେ ବିଭିନ୍ନ ସେବା ପହଞ୍ଚାଇବା କ୍ଷେତ୍ରରେ ସାମାଜିକ ସୃଜନଶୀଳତା ପରିପ୍ରକାଶର ପ୍ରକଷ୍ଟ ସମୟ ।
ହୁଏତ ଏଭଳି ସଂକଟ ସେବା କ୍ଷେତ୍ରରେ ସୃଜନଶୀଳ ରୂପରେଖ ପ୍ରସ୍ତୁତିରେ ବିନିଯୋଗ କରିବାର ସୁଯୋଗ ପ୍ରଦାନ କରେ । ଅନ୍ତିମ ଭାଗରେ ଥିବା ଉପଭୋକ୍ତାଙ୍କୁ ଆଖିରେ ରଖି ଏବଂ ସରକାରୀ ଢଙ୍ଗରେ ସେବା ପହଞ୍ଚାଇବାର ଉପାୟ ପରିବର୍ତ୍ତନ କରିବାକୁ ଚିନ୍ତା କରି ଏହା କରାଯାଇପାରେ । ସ୍ବାସ୍ଥ୍ୟ ଓ କଲ୍ୟାଣମୂଳକ ସେବାକୁ ସକ୍ରିୟ ଭାବରେ ଲୋକଙ୍କ ଦୁଆରମୁହଁରେ ପହଞ୍ଚାଇବା ଲାଗି ଜ୍ଞାନକୌଶଳରେ ସୃଜନଶୀଳତାର ଉପଯୋଗ କରାଯାଇପାରେ । ଏହି ବିଶ୍ବ ମହାମାରୀର ମୁକାବିଲା କ୍ଷେତ୍ରରେ, ସେମାନଙ୍କ ସାମାଜିକ ଦାୟିତ୍ବର ଏକ ଅଂଶ ଭାବରେ ବଡ଼ ବଡ଼ କମ୍ପାନୀଗୁଡ଼ିକ ସରକାରଙ୍କ ପ୍ରୟାସରେ ଯୋଗଦାନ ଦେଇପାରିବେ ଏବଂ ସାବୁନ ଏବଂ ସାନିଟାଇଜର୍, ମୌଳିକ ଔଷଧପତ୍ର, ଡାକ୍ତରୀ ଉପକରଣ ପ୍ରଭୃତି ସୁରକ୍ଷା ସାମଗ୍ରୀର ଉତ୍ପାଦନ ବଢ଼ାଇବା ସହିତ ଏହାକୁ ରିହାତି ଦରରେ ଯୋଗାଇ ପାରିବେ । ସାଧାରଣ ସ୍ବାସ୍ଥ୍ୟରକ୍ଷା କ୍ଷେତ୍ରରେ ବିଭିନ୍ନ ପଦକ୍ଷେପ ନେବା ସକାଶେ ସେମାନେ ମଧ୍ୟ ସରକାରୀ ପାଣ୍ଠି ଅନୁରୂପ ଏକ ଜରୁରୀକାଳୀନ ପାଣ୍ଠି ଗଠନ କରି ସେମାନଙ୍କ ଅବଦାନ ଦେଇପାରିବେ ।
ପରିଶେଷରେ, ଆମେ ଏହି ସଂକଟକୁ ପାର ହୋଇଯିବାକୁ ବସିଥିବା ବେଳେ, ଏଭଳି ସଂକଟର ମୁକାବିଲା ଲାଗି ପୂର୍ବରୁ ଯୋଜନା କରିବା ଏବଂ ଏଭଳି ବିଶ୍ବ ମହାମାରୀ ସହିତ ମୁକାବିଲା ଲାଗି ଆମେ ପ୍ରସ୍ତୁତ ରହିବା ଗୁରୁତ୍ବପୂର୍ଣ୍ଣ କଥା । ବିଭିନ୍ନ କାରଣରୁ ଆଗକୁ ହୁଏତ ଏଭଳି ମହାମାରୀ ବାରମ୍ବାର ଦେଖାଦେବାର ଆଶଙ୍କା ମଧ୍ୟ ରହିଛି । ଏଭଳି ବିଶ୍ବ ମହାମାରୀର ମୁକାବିଲା ପାଇଁ
ସାମୂହିକ ସ୍ଥିତିସ୍ଥାପକତାକୁ ଶକ୍ତିସଂପନ୍ନ କରିବା ଦିଗରେ ସାମାଜିକ ନିର୍ଦ୍ଧାରକ ନିରୂପଣ କରିବା ଗୁରୁତ୍ବପୂର୍ଣ୍ଣ କଥା । ସବୁ ଲୋକଙ୍କ ସ୍ବାସ୍ଥ୍ୟ ଓ ସୁସ୍ଥତା ବଜାୟ ରଖିବା ଦିଗରେ ସାମଗ୍ରୀକ ଆଭିମୁଖ୍ୟ ରହିବା ଉଚିତ । ଅତଏବ, ଭାରତରେ ଜନସ୍ବାସ୍ଥ୍ୟ ବ୍ୟବସ୍ଥାକୁ ଶକ୍ତିଶାଳୀ କରିବା ଲାଗି ସମାଜ ବିଜ୍ଞାନୀମାନେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବା ଆବଶ୍ୟକ ।
ଲେଖକ ହାଇଦ୍ରବାଦର ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ପବ୍ଲିକ୍ ହେଲ୍ଥ (IIPH)ରେ ସହାୟକ ପ୍ରାଧ୍ୟାପକ ଭାବେ କାର୍ଯ୍ୟରତ । ମତାମତ ସଂପୂର୍ଣ୍ଣ ବ୍ୟକ୍ତିଗତ