ବିଶ୍ବରେ ଭାରତକୁ ଦକ୍ଷତାସଂପନ୍ନ ମାନବ ସମ୍ବଳର ମୁଖ୍ୟକେନ୍ଦ୍ର ରୂପେ ଗଢ଼ି ତୋଳିବାର ଉଦ୍ଘୋଷିତ ଉଦ୍ଦେଶ୍ୟ ସହିତ 2015 ଜୁଲାଇରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି କୌଶଳ ବିକାଶ ଯୋଜନାର ଶୁଭାରମ୍ଭ କଲେ । ସେ ସମୟରେ ମନ୍ତ୍ରୀ ଓ ସରକାରୀ ଅଧିକାରୀମାନେ ଦୃପ୍ତ ସ୍ବରରେ ଘୋଷଣା କଲେ ଯେ, 1500 କୋଟି ଟଙ୍କା ଖର୍ଚ୍ଚ ଅଟକଳ ସହିତ ଏହି ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଅଧୀନରେ 24 ଲକ୍ଷ ଲୋକଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯିବ । କାର୍ଯ୍ୟକ୍ରମର ଦ୍ବିତୀୟ ପର୍ଯ୍ୟାୟରେ (2016ରୁ 2020 ମଧ୍ୟରେ) 12,000 କୋଟି ଟଙ୍କା ବ୍ୟୟ କରାଯାଇ ଅନ୍ତର୍ଜାତୀୟ ମାନ ସହିତ ତାଳ ଦେବା ଭଳି ଦକ୍ଷତା ବିକାଶ ପ୍ରଶିକ୍ଷଣ ପ୍ରଦାନ କରାଯିବ ବୋଲି ଯୋଜନା କରାଯାଇଥିଲା ।
ଏହିଭଳି ଘଟଣା ପ୍ରବାହ ମଧ୍ୟରେ ଗତକାଲି କୌଶଳ ବିକାଶ ଯୋଜନାର ତୃତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି । କୁହାଯାଉଛି ଯେ, ପ୍ରଥମ ଦୁଇଟି ପର୍ଯ୍ୟାୟରୁ ଲବ୍ଧ ଅନୁଭୂତି ଆଧାରରେ ତୃତୀୟ ପର୍ଯ୍ୟାୟ ଯୋଜନାର ରୂପରେଖ ପ୍ରସ୍ତୁତ କରାଯାଇଛି ଏବଂ କୋଭିଡ୍-19 ବିଶ୍ବ ମହାମାରୀ ଜନିତ ପରିବର୍ତ୍ତିତ ପରିସ୍ଥିତିକୁ ଧ୍ୟାନରେ ରଖି ଏହା ସଂପନ୍ନ ହୋଇଛି । ହେଲେ, ଏବେ ବଡ଼ ପ୍ରଶ୍ନ ହେଉଛି ... ଯେ ପ୍ରଥମ ଦୁଇଟି ପର୍ଯ୍ୟାୟରୁ କ’ଣ ସବୁ ଶିକ୍ଷା ମିଳିଲା ? ନିକଟରେ ଭାରତୀୟ ବାଣିଜ୍ୟ ମଣ୍ଡଳ ମହାସଂଘ ବା ‘ଆସୋଚାମ୍’ ପକ୍ଷରୁ ଆୟୋଜିତ ଏକ ବୈଠକରେ ଯୋଗ ଦେଇ କେନ୍ଦ୍ରମନ୍ତ୍ରୀ ରାଜକୁମାର ସିଂହ ସ୍ବୀକାର କରିଥିଲେ ଯେ, କୌଶଳ ବିକାଶ ଯୋଜନାର ପ୍ରଥମ ଦୁଇଟି ପର୍ଯ୍ୟାୟରେ 90 ଲକ୍ଷ ହିତାଧିକାରୀ ଥିଲେ ଏବଂ ଦକ୍ଷତା ବିକାଶ ପ୍ରଶିକ୍ଷଣ ନେବା ପରେ ମାତ୍ର 30-35 ଲକ୍ଷ ଲୋକଙ୍କୁ ନିଯୁକ୍ତି ସୁଯୋଗ ମିଳିଛି । ତେବେ, ବିଶ୍ଳେଷଣରୁ ଜଣାଯାଇଛି ଯେ ଏହି ଯୋଜନାରେ ମାତ୍ର 72 ଲକ୍ଷ ହିତାଧିକାରୀଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା ଏବଂ ସେମାନଙ୍କ ମଧ୍ୟରୁ 15 ଲକ୍ଷଙ୍କୁ ନିଯୁକ୍ତି ସୁଯୋଗ ମିଳିଛି । ସରକାରୀ ପରିସଂଖ୍ୟାନରୁ ସଂକେତ ମିଳେ ଯେ, ଏହି ଯୋଜନାରେ ମାତ୍ର 6,000 କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ଏଥିରୁ ସରକାରୀ କଥା ଓ କାମ ଭିତରେ ଥିବା ଫରକ ସ୍ପଷ୍ଟ ଦେଖାଯାଏ ।
ତୃତୀୟ ପର୍ଯ୍ୟାୟରେ ଦେଶର 600 ଜିଲ୍ଲାରେ ଏହି ଯୋଜନା କାର୍ଯ୍ୟକାରୀ ହେବ ଏବଂ ଏଥିରେ 948 କୋଟି ଟଙ୍କା ବ୍ୟୟ କରାଯାଇ 8 ଲକ୍ଷ ଲୋକଙ୍କୁ ସାମିଲ କରାଯିବ ବୋଲି ଆଶା କରାଯାଉଛି । ଏହି ହାରରେ ସରକାର କେବେ ଧାର୍ଯ୍ୟ ଲକ୍ଷ୍ୟ ଅନୁସାରେ 40 କୋଟି ଲୋକଙ୍କ ଦକ୍ଷତା ବିକାଶ କରାଇପାରିବେ ? ଏହି ଯୋଜନା କାର୍ଯ୍ୟକାରୀ କରିବାର ନିର୍ଦ୍ଦେଶାବଳୀ ଏବଂ ପ୍ରଶିକ୍ଷଣ ପରେ ଫଳାଫଳ ଘୋଷଣାର ଢଙ୍ଗ ଉପରେ ଶାରଦା ପ୍ରସାଦ କମିଟି ପ୍ରଶ୍ନ ଉଠାଇଥିବା ବେଳେ ଦେଶରେ ନିଯୁକ୍ତି ନିମନ୍ତେ ଯୋଗ୍ୟ ମାନବ ସମ୍ବଳ ସୃଷ୍ଟି ଦିଗରେ ଏହି କାର୍ଯ୍ୟକ୍ରମକୁ ଶକ୍ତିଶାଳୀ କରିବାର ଆବଶ୍ୟକତା ରହିଛି । ଏହି ପୃଷ୍ଣଭୂମିରେ, ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଜାପାନୀ ଲୋକଙ୍କ ହାରାହାରି ବୟସ 48 ବର୍ଷ, ଆମେରିକୀୟମାନଙ୍କର 46 ଏବଂ ୟୁରୋପୀୟମାନଙ୍କର 42 ଏବଂ ଭାରତୀୟମାନଙ୍କର ହାରାହାରି ବୟସ 27 ବର୍ଷ ।
ଦେଶର ମୋଟ ଜନସଂଖ୍ୟାର 62 ପ୍ରତିଶତ ଲୋକଙ୍କ ବୟସ 15ରୁ 59 ମଧ୍ୟରେ ଏବଂ ଏଥିରୁ ହିଁ ଭାରତର ପ୍ରାକୃତିକ ସାମର୍ଥ୍ୟର ଇଙ୍ଗିତ ମିଳେ । ଭାରତ ମାନବ ସମ୍ବଳର ଏକ ବୃହତ୍ ଗନ୍ତାଘର ହୋଇଥିଲେ ହେଁ ଏଠାରେ ନିଯୁକ୍ତିଯୋଗ୍ୟ ଦକ୍ଷତା ସଂପନ୍ନ କର୍ମଚାରୀଙ୍କ ଅଭାବ ରହିଥିବା ଦର୍ଶାଇ ଅନେକ ସଂଗଠନ କ୍ଷୋଭ ପ୍ରକାଶ କରିଆସୁଛନ୍ତି ।
ଅନ୍ୟପକ୍ଷରେ, ଏହା ହିଁ ବିଡମ୍ବନାର ବିଷୟ ଯେ ଏଠାରେ ସ୍ନାତକୋତ୍ତର ଡିଗ୍ରୀ, ଏମିତି କି ଡକ୍ଟରେଟ୍ ହାସଲ କରିଥିବା ବ୍ୟକ୍ତିମାନେ ବି ଛୋଟମୋଟ ଚାକିରି ପାଇଁ ଧାଡ଼ିରେ ଠିଆ ହୋଇଥିବା ଦେଖିବାକୁ ମିଳେ । ଏଭଳି ସ୍ଥିତିରେ ମାନବ ସମ୍ବଳର ଏହି ବିଶାଳ ଅପଚୟ ରୋକିବା ନିମନ୍ତେ ପ୍ରଚଳିତ ଯୋଜନାରେ ପରିବର୍ତ୍ତନର ଆବଶ୍ୟକତା ଅନୁଭୂତ ହୁଏ । କୌଶଳ ବିକାଶ ଯୋଜନା ଆରମ୍ଭ ହେବାର ଚାରି ବର୍ଷ ପରେ, ଦକ୍ଷତା ବିକାଶ ପ୍ରଶିକ୍ଷକମାନଙ୍କ ପାଇଁ ଏକ ସ୍ବତନ୍ତ୍ର ଡିଗ୍ରୀ ବ୍ୟବସ୍ଥା ସହିତ ଏକ ସ୍ବତନ୍ତ୍ର ଅନୁଷ୍ଠାନ ଗଢ଼ାଯିବା ସପକ୍ଷରେ ସଂପୃକ୍ତ ମନ୍ତ୍ରୀ ମତ ଦେଇଥିଲେ । କିନ୍ତୁ ସେ ଦିଗରେ କୌଣସି ଅଗ୍ରଗତି ହୋଇନାହିଁ ।
କୋଭିଡ୍-19 ସଂକଟ ଯୋଗୁଁ ସାରା ବିଶ୍ବର ବିଭିନ୍ନ କ୍ଷେତ୍ର ଦୋହଲି ଉଠିଥିବା ବେଳେ, ପରିବର୍ତ୍ତିତ ପରିସ୍ଥିତିରେ ଶିଳ୍ପ ଓ ସେବା କ୍ଷେତ୍ରର ଆବଶ୍ୟକତା ପୂରଣ ଦିଗରେ ଆମର ଯୁବା ବର୍ଗକୁ ଗଢ଼ି ତୋଳିବା ଏକ ବୃହତ୍ ଆହ୍ବାନରେ ପରିଣତ ହୋଇଛି । ଆଗାମୀ ଦଶନ୍ଧିଗୁଡ଼ିକରେ ଲୋକଙ୍କ ଜୀବନଶୈଳୀରେ ବ୍ୟାପକ ପରିବର୍ତ୍ତନ ଘଟିବା କାରଣରୁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ଗୁରୁତ୍ବ ବୃଦ୍ଧି ପାଇବ ଏବଂ ବିଭିନ୍ନ କ୍ଷେତ୍ରରେ ନିଯୁକ୍ତି ବ୍ୟବସ୍ଥାରେ ମଧ୍ୟ ଆମୂଳଚୂଳ ପରିବର୍ତ୍ତନ ପରିଲକ୍ଷିତ ହେବ । ଏହି ସଂଘଟିତ ପରିବର୍ତ୍ତନକୁ ଆପଣେଇ ନେବାକୁ ସକ୍ଷମ ହେବା ସକାଶେ ଉପଯୁକ୍ତ ଶିକ୍ଷା ପାଠ୍ୟକ୍ରମ ପ୍ରସ୍ତୁତ କରାଯିବା ଉଚିତ । ସେହିଭଳି ଶିକ୍ଷକ ଚୟନ ଏବଂ ସେମାନଙ୍କର ପ୍ରଶିକ୍ଷଣ ପ୍ରକ୍ରିୟାରେ ବି ଅନୁରୂପ ପରିବର୍ତ୍ତନ କରାଯିବା ଉଚିତ । ଶିକ୍ଷକମାନଙ୍କ ଚୟନ ଏବଂ ପ୍ରଶିକ୍ଷଣ ନିମନ୍ତେ ତୁରନ୍ତ ଏକ ମୁକ୍ତ ଓ ସ୍ବାଧୀନ ବ୍ୟବସ୍ଥା ପ୍ରଣୟନ କରାଯିବା ଉଚିତ । ଯାହା ଫଳରେ କି ସେମାନେ ଏହି ଆହ୍ବାନକୁ ଗ୍ରହଣ କରିପାରିବେ ।
କର୍ମଚାରୀମାନଙ୍କ ଦକ୍ଷତା ବୃଦ୍ଧି ନିମନ୍ତେ ବିଭିନ୍ନ ଶିଳ୍ପ ସଂସ୍ଥା ବହୁ ମୂଲ୍ୟବାନ ସମ୍ବଳ ବ୍ୟୟ କରୁଛନ୍ତି । ମେଧାବୀ ପ୍ରାର୍ଥୀମାନଙ୍କୁ ସେମାନଙ୍କ କ୍ୟାମ୍ପସ୍ରୁ ହିଁ ଚୟନ କରି ଆଣିବା ଦିଗରେ ଶିଳ୍ପ ସଂସ୍ଥାମାନଙ୍କୁ ଉପଯୋଗୀ ଶିକ୍ଷା ପ୍ରଦାନ କରାଯିବା ଉଚିତ । କେବଳ ଆମ ଦେଶର କୋଟି କୋଟି ଯୁବକ ଯୁବତୀଙ୍କ ଦକ୍ଷତା ବିକାଶ ନୁହେଁ, ବରଂ ସେମାନଙ୍କର ବୃତ୍ତିଗତ ଜୀବନକୁ ସମୃଦ୍ଧ କରିବା ଦିଗରେ ମଧ୍ୟ ଏହି ସମୁଜ୍ଜ୍ବଳ ପଥ ଅନୁସରଣ କରିବା ବିଧେୟ ।