ଭୋପାଳ: କୁହାଯାଏ ଫଳଙ୍କ ମଧ୍ୟରେ ରାଜା ହେଉଛି ଆମ୍ବ । ସାରା ବିଶ୍ବରେ ଭାରତୀୟ ଆମ୍ବର ସୁଆଦ ଶୀର୍ଷରେ । ଏବେ ଭାରତରେ ଆମ୍ବ ମାନଙ୍କ ଭିତରେ ସବୁଠାରୁ ସୁନ୍ଦରୀ ଆମ୍ବ କଥା ଆମେ କହୁଛୁ । ଯାହାର ନାଁ ଯେମିତି ଭାଉ ବି ସେମିତି । ଆମ୍ବର ନାଁ ନୁରଜାହାଁ । ଗୋଟିଏ ଗୋଟିଏ ଆମ୍ବର ଓଜନ 2 କିଲୋରୁ ଅଧିକ ହୋଇଥିଲା ବେଳେ ଦାମ 500 ଟଙ୍କା ରହିଛି ।
ଏହି ପ୍ରଜାତିର ଆମ୍ବ ଆଫଗାନିସ୍ତାନରେ ମୁଖ୍ୟତଃ ଦେଖିବାକୁ ମିଳିଥାଏ । ମାତ୍ର ମଧ୍ୟପ୍ରଦେଶରେ ଅଲ୍ଲିରାଜ ପୁର ଜିଲ୍ଲା ଅନ୍ତର୍ଗତ କଟ୍ଟିବାଡି ଅଞ୍ଚଳରେ ଏହି ପ୍ରଜାତିର ଆମ୍ବ ଚାଷ କରାଯାଉଥିବା ସୂଚନା ରହିଛି । ନୁରଜାହାଁ ପାଖାପାଖି ଏକଫୁଟ ଲମ୍ବ ହେବାର କ୍ଷମତା ରଖିଥାଏ । ଏହାସହ ଗୋଟିଏ ଗୋଟିଏ ଆମ୍ବର ଓଜନ 2କିଲୋରୁ ଅଧିକ ହୋଇଥାଏ । ବେଳେ ବେଳେ ଏହି ଆମ୍ବ 4କିଲୋ ହେବାର ସୂଚନା ଦେଇଛନ୍ତି ଚାଷୀ । ଚଳିତ ବର୍ଷ ଏହି ଆମ୍ବ ଫସଲ ପାଇଁ ବାତାନୁକୂଳ ପରିବେଶ ଥିବାରୁ ଏଥିରୁ ଲାଭ ଆଶାରେ ରହିଛନ୍ତି ଚାଷୀ । ବିଗତ ବର୍ଷରେ କୁହୁଡି ଫଳରେ ମାତ୍ରାଧିକ କ୍ଷତି ସହିଥିଲେ ଆମ୍ବ ଚାଷୀ ।
ଏହାର ଚାହିଦା ତଥା ଗୁଣବତ୍ତା ଗ୍ରାହକଙ୍କ ପ୍ରଥମ ପସନ୍ଦ ହୋଇଥାଏ । ଗୋଟିଏ ଗୋଟିଏ ଆମ୍ବର ମୂଲ୍ୟ 500 ଟଙ୍କାରୁ ଅଧିକ ହେଲେ ବି ସୁଆଦିଆ ତଥା ରସୁଆଳ ନୁରଜାହାଁକୁ ଅଗ୍ରୀମ ବୁକିଂ କରିବାରେ ହେଳା କରନ୍ତି ନାହିଁ ଗରାଖ ।
ଏଠାରେ ସୂଚନା ଯୋଗ୍ୟ ଯେ ଭାରତରୁ ଆମେରିକା, ବ୍ରିଟେନ୍, ଅଷ୍ଟ୍ରେଲିଆକୁ ପ୍ରତି ବର୍ଷ କୋଟିକୋଟି ଟଙ୍କାର ଆମ୍ବ ରପ୍ତାନୀ ହୋଇଥାଏ । ଭାରତରେ ୧୫୦୦ରୁ ଅଧିକ ପ୍ରଜାତିର ଆମ୍ବ ଫଳୁଥିବାବେଳେ ୧୨ ପ୍ରଜାତିର ଆମ୍ବର ବିକ୍ରି ସବୁଠୁ ଅଧିକ ହୋଇଥାଏ । ବିଶେଷଜ୍ଞଙ୍କ ମତରେ ବିଗତ କିଛି ବର୍ଷ ହେଲା ମୌସୁମୀ ଆସିବାରେ ବିଳମ୍ବ, ସ୍ବଳ୍ପ ବର୍ଷା, ଅତ୍ୟଧିକ ବର୍ଷା ଓ ବାୟୁ ଚଳାଚଳ ଭଳି ପ୍ରିତକୂଳ ପରିସ୍ଥିତି ପାଇଁ ନୁରଜାହାଁ ପ୍ରଜାତିର ଆମ୍ବର ଓଜନ କ୍ରମଶଃ ହ୍ରାସ ପାଇବାରେ ଲାଗିଛି । ଜଳବାୟୁ ପରିବର୍ତ୍ତନ ଫଳରେ ଏବେ ଏହି ବିରଳ ପ୍ରଜାତୀର ଆମ୍ବ ସଙ୍କଟ ପରିସ୍ଥିତିର ସାମ୍ନା କରୁଛି ।