ଚେନ୍ନାଇ: ଭେଟେରାନ ପ୍ଲେବ୍ୟାକ ସିଙ୍ଗର ଏସପି ବାଲାସୁବ୍ରମଣ୍ୟମ(ଏସପିବି)ଙ୍କ ପରଲୋକ । ଚିକିତ୍ସାଧୀନ ଅବସ୍ଥାରେ ଏମଜିଏମ ହେଲଥ କେୟାରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ସେ । ତାଙ୍କ ପୁଅ ଏନେଇ ସୂଚନା ଦେଇଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ 74 ବର୍ଷ ବୟସ ହୋଇଥିଲା ।
ଦୀର୍ଘ ସମୟ ଧରି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ବାଲାସୁବ୍ରମଣ୍ୟମ । ଅଗଷ୍ଟ 5ରେ କୋରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଏହା ପରେ ସେ ଏକ ଭିଡିଓ ଜାରି କରିଥିଲେ । ଯେଉଁଥିରେ ସେ ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଏବଂ ନିଜକୁ କ୍ବାରେଣ୍ଟିନରେ ରଖଥିବା ଦେଖାଇଥିଲେ ।
ହେଲେ ଗତ ସପ୍ତାହରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡିବାରେ ଲାଗିଥିଲା । ଏହା ପରେ ସେ ହସ୍ପିଟାଲର ଆଇସିୟୁରେ ଭେଣ୍ଟିଲେଟରରେ ଥିଲେ । ସେଠାରେ ସେ ଅକ୍ସିଜେନର ନେଉଥିଲେ । ତାଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡିବା ଖବର ସାରା ଦେଶକୁ ଚକିତ କରିଥିଲା । ଆଉ ଆଜି ତାଙ୍କ ବିୟୋଗ ଖବର ଚଳଚ୍ଚିତ୍ର ଜଗତରେ ଶୋକର ଛାୟା ଖେଳାଇ ଦେଇଛି ।
ଏସପି ବାଲସୁବ୍ରମଣ୍ୟମ 90 ଦଶକର ପ୍ରାୟ ସମସ୍ତ ଫିଲ୍ମରେ ନିଜ କଣ୍ଠର ଯାଦୁ ଦେଖାଇଛନ୍ତି । ତେଲୁଗୁ, ତାମିଲ, କନ୍ନଡ, ହିନ୍ଦୀ ଏବଂ ମାଲାୟାଲମ୍ ଆଦି ଚଳଚ୍ଚିତ୍ରରେ ହଜାର ହଜାର ଗୀତ ଗାଇଛନ୍ତି । ଯାହା ଆଜି ବି ସେତିକି ସତେଜ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ