ମୁମ୍ବାଇ: ଶିବସେନା ପ୍ରମୁଖ ଉଦ୍ଧବ ଠାକରେ କହିଛନ୍ତି ସଂଘ ନେତା ମାନେ ତାଙ୍କ ସହ ସଂପର୍କ କରିଥିଲେ । ବିଜେପି ସହ ସରକାର ଗଠନ କରି ବିବାଦକୁ ବିରାମ ଦେବାକୁ ପରାମର୍ଶ ଦେଇଥିଲେ । କିନ୍ତୁ ସେ ଏହି ପ୍ରସ୍ତାବକୁ ଗ୍ରହଣ କରିନାହାଁନ୍ତି କାରଣ ସେମାନେ ଯେତେବେଳେ ପ୍ରସ୍ତାବ ଦେଳେ ସେତେବେଳେ ବହୁତ ସମୟ ବିତିଯାଇଥିଲା ବୋଲି ଉଦ୍ଧବ କହିଛନ୍ତି । ଏଠାରେ ସୂଚନା ଥାଉକି ମହାରାଷ୍ଟ୍ର ନିର୍ବାଚନ ଫଳ ପ୍ରକାଶ ପାଇବାକୁ ରବିବାରକୁ ଏକମାସ ପୁରିଛି ।
ସୂତ୍ର ଅନୁସାରେ ବିଜେପି-ଶିବସେନାକୁ ମିଳିତ ଭାବେ ସରକାର ଗଠନ କରିବାକୁ ପରଦା ପଛରେ ରହି ସଂଘ ନେତା ମାନେ ଅନେକ ବାର ଉଦ୍ୟମ କରିଛନ୍ତି । ରବିବାର ଦଳୀୟ ବିଧାୟକଙ୍କୁ ହୋଟେଲ ‘ଲଲିତ’ରେ ସାକ୍ଷାତ କରିବା ଅବସରରେ କହିଛନ୍ତି ତାଙ୍କ ସହ ଆରଏସଏସ ନେତା ମାନେ କଥାବାର୍ତ୍ତା କରିଥିଲେ । କିନ୍ତୁ ସେ ସଂଘର ସମସ୍ତ ପ୍ରସ୍ତାବକୁ ଅସ୍ବୀକାର କରିଛନ୍ତି । କାହିଁକି ନା ବିଜେପି ସହ ଦୋସ୍ତି କରିବାର ସମୟ ଚାଲିଯାଇଛି ବୋଲି ସେ କହିଛନ୍ତି ।
ସୂଚନାଯୋଗ୍ୟ ଯେ, ମୁମ୍ବାଇର ‘ଲଲିତ’ ହୋଟେଲରେ ଏବେ ଶିବସେନାର ସମସ୍ତ ବିଧାୟକ ଅଛନ୍ତି । ଖୋଦ ଉଦ୍ଧବ ଠାକରେ ହୋଟେଲ ଉପରେ ତୀକ୍ଷଣ ନଜର ରଖିଛନ୍ତି । ହୋଟେଲକୁ କେଉଁମାନେ ଆସୁଛନ୍ତି କେଉଁମାନେ ଯାଉଛନ୍ତି ତାର ସମସ୍ତ ତଥ୍ୟ ରଖୁଛନ୍ତି । ଶିବସେନାକୁ ଡର ଅଛି କୌଣସି ମତେ ବିଜେପି ଶିବସେନା ବିଧାୟକଙ୍କୁ ସଂପର୍କ କରି ପ୍ରଲୋଭିତ କରିପାରେ । ସେହି ଡରରେ ବିଧାୟକଙ୍କ ଉପରେ କଡା ନଜର ରଖିଛି ଦଳ ।