ନୂଆଦିଲ୍ଲୀ: ତୁଟିଲା 30 ବର୍ଷର ସମ୍ପର୍କ । କ୍ଷମତା ପାଇଁ ଶିବସେନା-ବିଜେପି ଉଭୟ ଉଭୟଙ୍କ ହାତ ଛାଡିଛନ୍ତି । ମହାରାଷ୍ଟ୍ର କ୍ଷମତା ପାଇଁ ବିଜେପି-ଶିବସେନା ମଧ୍ୟରେ ଅଙ୍କ ନଛିଡିବାରୁ ଉଭୟ ଦଳ ସବୁ ସମ୍ପର୍କ ଛିନ୍ନ କରିଛନ୍ତି । ଆଉ ଏହାର ପ୍ରଥମ ପ୍ରଭାବ ପଡିଛି କେନ୍ଦ୍ର ମନ୍ତ୍ରୀମଣ୍ଡଳରେ । ଶିବସେନାରୁ ଏକ ମାତ୍ର ସାଂସଦ ଭାବେ କେନ୍ଦ୍ରମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାଇଥିବା ଅରବିନ୍ଦ ସାୱନ୍ତ ଆଜି ମନ୍ତ୍ରୀ ମଣ୍ଡଳରୁ ଇସ୍ତଫା ଦେଇଛନ୍ତି ।
ଇସ୍ତଫା ପରେ ଏକ ସାମ୍ବାଦିକ ସମ୍ମିଳନୀରେ ଅରବିନ୍ଦ କହିଛନ୍ତି ଉଭୟ ଦଳ ମିଳିତ ଭାବେ ନିର୍ବାଚନ ଲଢିଥିଲେ । ନିର୍ବାଚନ ପୂର୍ବରୁ ଯାହା ପରିଣାମ ଆସିବ ସେହି ଅନୁସାରେ ସମାନ ବଣ୍ଟନ କରାଯିବ ବୋଲି ନିଷ୍ପତି ହୋଇଥିଲା । କିନ୍ତୁ ଭାରତୀୟ ଜନତା ପାର୍ଟି ଏହାକୁ ମାନିବାକୁ ନାରାଜ । ଠାକରେ ପରିବାର ଯେଉଁ ପ୍ରତିଶୃତି ଦିଅନ୍ତି ତାହା ପାଳନ କରନ୍ତି । ହେଲେ ବିଜେପି ଯେଉଁ ଅବିଶ୍ବାସର ବାତାବରଣ ସୃଷ୍ଟି କଲା ସେଥିରେ ସମ୍ପର୍କ ଆଗକୁ ବଢିବା ଅସମ୍ଭବ । ଫଳରେ ମେଣ୍ଟରେ ପୂର୍ଣ୍ଣଛେଦ ପଡିଛି ।
ସେହି ଦୃଷ୍ଟିରୁ ମୁଁ କେନ୍ଦ୍ରୀୟ ମନ୍ତ୍ରୀ ରହିବା ଉଚିତ ହେବ ନାହିଁ । ନୈତିକତା ଦୃଷ୍ଟିରୁ ମୋର ଦାୟିତ୍ବ ମୁଁ ତ୍ୟାଗ କରି ମୋର ଇସ୍ତଫା ପତ୍ର ପ୍ରଧାନମନ୍ତ୍ରୀଙ୍କୁ ପଠାଇ ଦେଇଛି ବୋଲି କହିଛନ୍ତି ।