ଡେରାଡୁନ: ମଦର୍–ଏ-ୱତନ ହେଉଛି ପାକିସ୍ତାନର ସବୋ ର୍ଚ୍ଚ ବେସାମରିକ ସମ୍ମାନ । ଆଉ ଏହି ସମ୍ମାନ ପାଇଥିଲେ ଭାରତର ଝିଅ ଶୀଲା ଇରିନ ପନ୍ତ, ଯିଏ କି ପାକିସ୍ତାନର ଥିଲେ ପ୍ରଥମ ମହିଳା । ବର୍ତମାନର ଉତରାଖଣ୍ଡର ଆଲମୋରାରେ ଜନ୍ମ ଗ୍ରହଣ କରିଥିବା ଇରିନ୍ ପାକିସ୍ତାନର ପ୍ରଥମ ପ୍ରଧାନମନ୍ତ୍ରୀ ଲିଆକତ ଅଲ୍ଲୀ ଖାନଙ୍କୁ ବିବାହ କରିଥିଲେ । ସେ ଆଜୀବନ ମହିଳାଙ୍କ ଅଧିକାର ନେଇ ଲଢେଇ କରିବା ସହ ମୌଳବାଦ ବିରୋଧରେ ବି ସ୍ବର ଉତ୍ତୋଳନ କରିଥିଲେ।
ଭାରତର ବହୁ ସୁଯୋଗ୍ୟ ସନ୍ତାନଙ୍କୁ ଜନ୍ମ ଦେଇଥିବା ଆଲମୋରାରେ ଏକ ଖ୍ରୀଷ୍ଟିଆନ ପରିବାରରେ ୧୯୦୫ ମସିହା ଫେବ୍ରୁାଆରୀ ୧୩ ତାରିଖରେ ଜନ୍ମ ଗ୍ରହଣ କରିଥିଲେ ଡାନିଏଲ ପନ୍ତଙ୍କ ଝିଅ ଇରିନ୍ । ଇରିନଙ୍କ ଜେଜେ ବାପା ୧୮୮୭ରେ ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କରିଥିଲେ ।
ଆଲମୋରା ଓ ନୈନିତାଲରେ ପ୍ରାଥମିକ ସ୍କୁଲ ପାଠ ପଢା ଶେଷ କରିଥିଲେ ଇରିନ । ସେ ଲକ୍ଷ୍ନୌର ଲାଲବାଗ ସ୍କୁଲରେ ମାଧ୍ୟମିକ ସ୍କୁଲ ଶିକ୍ଷା ଶେଷ କରିଥିଲେ । ଇସାବେଲା ଥୋବର୍ନ କଲେଜରୁ ଇକୋନୋମିକ୍ସ ଓ ରେଲିଜିଅସ ଷ୍ଟଡିଜରେ ଇରିନ ମାଷ୍ଟର୍ସ ଡିଗ୍ରୀ ହାସଲ କରିଥିଲେ। ଆଲମୋରା ସ୍ଥିତ ତାଙ୍କର ପୈତୃକ ଗୃହ ଏବେ ବି ରହିଛି । ମେଥଡିଷ୍ଟ ଚର୍ଚ୍ଚ ଅଧୀନରେ ଥିବା ଏହି ଘରେ ତାଙ୍କ ଭାଇ ନର୍ମାନ ପନ୍ତଙ୍କ ବୋହୁ ଓ ନାତି ରାହୁଲ ପନ୍ତ ରହନ୍ତି ।
ସ୍ମୃତିଚାରଣ କରି ରାହୁଲ କହନ୍ତି ଯେ, ଇରିନ ବିବାହ ପରେ କେବେ ବି ଆଲମୋରା ଯାଇ ନ ଥିଲେ ମଧ୍ୟ ସେ ତାଙ୍କ ଭାଇ ନର୍ମାନଙ୍କୁ ନିୟମିତ ଚିଠି ଲେଖୁଥିଲେ । ଇରିନ ଓ ଲିଆକତ ଅଲ୍ଲୀ ଖାନଙ୍କ ମଧ୍ୟରେ ପ୍ରଥମ ସାକ୍ଷାତ ସଂପର୍କରେ ପରିବାର ଲୋକେ କହନ୍ତି ଯେ, ବିହାରର ବନ୍ୟା ପ୍ରଭାବିତ ଲୋକଙ୍କ ପାଇଁ ଏକ ଚାରିଟି ଶୋ ଆୟୋଜନ କରାଯାଇଥିଲା । ସେତେବେଳେ ଇରିନ କଲେଜରେ ପଢୁଥିଲେ । ତାଙ୍କୁ ଚାରିଟି ଶୋ’ର ଟିକେଟ ବିକ୍ରି ଦାୟିତ୍ବ ଦିଆଯାଇଥିଲା । ସେତେବଳେ ସେ ଲକ୍ଷ୍ନୌ ବିଧାନସଭା ଯାଇଥିଲା ବେଳେ ଲିଆକତଙ୍କ ସହ ତାଙ୍କର ପ୍ରଥମ ସାକ୍ଷାତ ହୋଇଥିଲା । ପ୍ରଥମରୁ କୁଣ୍ଠିତ ହୋଇଥିଲେ ମଧ୍ୟ ଲିଆକତ ପରେ ଟିକେଟ କିଣିବାକୁ ରାଜି ହୋଇଥିଲେ । ଇରିନ, ଅନ୍ତତଃ ଦୁଇଟି ଟିକେଟ କିଣିବାକୁ ଲିଆକତଙ୍କୁ କହିଥିଲେ । ହେଲେ ଅନ୍ୟ ଟିକେଟରେ କିଏ ଶୋ ଦେଖିବାକୁ ଯିବ, ତାହା ସେ ଜାଣନ୍ତି ନାହିଁ ବୋଲି କହିବାରୁ ଇରିନ୍ ନିଜେ ତାଙ୍କ ସହ ଯିବା ପାଇଁ କହିଥିଲେ ।
ଇରିନ ଦିଲ୍ଲୀର ଇନ୍ଦ୍ରପ୍ରସ୍ଥ କଲେଜରେ ପ୍ରଫେସର ଭାବେ ପ୍ରାୟ ଦେଢ ବର୍ଷ କାମ କରିଥିଲେ । ସେଠାରେ ଥିବା ବେଳେ ସେ ଜାଣିବାକୁ ପାଇଲେ ଯେ, ଲିଆକତ ୟୁପି ବିଧାନସଭାର ଉପ ସଭାପତି ଭାବେ ନିବା ର୍ଚିତ ହୋଇଛନ୍ତି । ଏହା ପରେ ଇରିନ ଲିଆକତଙ୍କୁ ଅଭିନନ୍ଦନ ଜଣାଇ ଚିଠି ଲେଖିଥିଲେ । ଲିଆକତ ବି ଇରିନଙ୍କୁ ଚିଠି ଲେଖି କନ୍ନଟ ପ୍ଲେସ ସ୍ଥିତ ୱେଗନେର ରେଷ୍ଟୁରାଣ୍ଟରେ ଚା ପାଇଁ ଆମନ୍ତ୍ରଣ କରିଥିଲେ । ଏକାଧିକ ଦେଖାସାକ୍ଷାତ ପରେ ଦୁହେଁ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ପରେ ଲିଆକତ ପାକିସ୍ତାନର ପ୍ରଥମ ପ୍ରଧାନମନ୍ତ୍ରୀ ହୋଇଥିଲେ । ଲିଆକତ ପୂବର୍ରୁ ବିବାହିତ ଥିଲେ । ପ୍ରଥମ ବିବାହରୁ ତାଙ୍କର ଏକ ପୁଅ ବି ଥିଲା । ଲିଆକତ ୧୯୩୩ ମସିହାରେ ଇରିନଙ୍କୁ ଦିଲ୍ଲୀର ସବୁଠାରୁ ବ୍ୟୟବହୁଳ ମେଣ୍ଡିଜ ହୋଟେଲରେ ବିବାହ କରିଥିଲେ । ସେହି ହୋଟେଲ୍ ଆଜିର ଓବୋରୟ ମେଣ୍ଡିଜ ଭାବେ ଜଣାଶୁଣା । ୧୯୯୪ ମସିହାରେ ଏହି ହୋଟେଲକୁ ଐତିହ୍ୟ ମାନ୍ୟତା ଦିଆଯାଇଥିଲା ।
ଲିଆକତଙ୍କୁ ବିବାହ କଲା ପରେ ଇସଲାମ ଗ୍ରହଣ କରିଥିଲେ ଇରିନ୍ । ନିଜ ନାଁ ଗୁଲ୍-ଇ ରାଣା ରଖିଥିଲେ ଇରିନ୍ । ଲିଆକତ ଅଲ୍ଲୀ ଖାନଙ୍କ ସ୍ତ୍ରୀ ଭାବେ ଇରିନ ଯେ, କେବଳ ଇତିହାସ ଦେଖି ନ ଥିଲେ, ବରଂ ଏହାର ଅଂଶ ବି ରହିଥିଲେ । ୧୯୪୭ ଅଗଷ୍ଟରେ ଗୁଲ-ଇ-ରାଣା,ତାଙ୍କ ସ୍ବାମୀ ଓ ଦୁଇ ପୁଅ ଆସ୍ରଫ ଓ ଆକବରଙ୍କ ସହ ଦିଲ୍ଲୀରୁ ବିମାନ ଯୋଗେ କରାଚିରେ ପହଂଚିଥିଲେ । ଲିଆକତ ପାକିସ୍ତାନର ପ୍ରଥମ ପ୍ରଧାନମନ୍ତ୍ରୀ ହେଲା ପରେ ଗୁଲ-ଇ ରାଣା ହୋଇଥିଲେ ଫାଷ୍ଟ ଲେଡି। ଲିଆକତ, ନିଜ ସ୍ତ୍ରୀଙ୍କୁ ମନ୍ତ୍ରିମଣ୍ଡଳରେ ସ୍ଥାନ ଦେଇ ସଂଖ୍ୟାଲଘୁ ଓ ମହିଳା ବ୍ୟାପାର ମନ୍ତ୍ରୀ କରିଥିଲେ । ୧୯୫୧ ମସିହା ଅକ୍ଟୋବର ୧୬ ତାରିଖରେ ଲିଆକତଙ୍କୁ ରାୱଲପିଣ୍ଡିରେ କଂପାନିବାଗରେ ଏକ ସାଧାରଣ ସଭାରେ ହତ୍ୟା କରାଯାଇଥିଲା । ସ୍ବାମୀଙ୍କ ହତ୍ୟାରେ ସେ ଭାଙ୍ଗି ପଡିଥିଲେ ମଧ୍ୟ ପଛକୁ ନ ହଟିବାକୁ ସ୍ଥିର କରିଥିଲେ ଇରିନ । ପାକିସ୍ତାନରେ ରହି ଶେଷ ନିଶ୍ବାସ ପର୍ଯ୍ୟନ୍ତ ମହିଳାମାନଙ୍କ ଅଧିକାର ବାବଦରେ ଲଢେଇ କରିବାକୁ ନିଷ୍ପତି ନେଇଥିଲେ ଇରିନ୍ । ମୌଳବାଦୀ ଶକ୍ତିଙ୍କ ବିରୋଧରେ ସେ ସ୍ବର ଉତୋଳନ କରିଥିଲେ । ଏହାଛଡା ସାମରିକ ଶାସକ ଜେନେରାଲ ଜିଆ ଉଲ ହକଙ୍କ ଇସଲାମିକ ଆଇନ ପ୍ରଣୟନ ନିଷ୍ପତିର ବି କଡା ସମାଲୋଚନା କରିଥିଲେ ଇରିନ୍ । ଜୁଲଫିକର ଅଲ୍ଲୀ ଭୁଟ୍ଟୋଙ୍କୁ ଫାଶୀ ବିରୋଧରେ ଅଭିଯାନ ଚଳାଇଥିଲେ ଇରିନ । ଇରିନ ହଲାଣ୍ଡ ଓ ଇଟାଲୀରେ ପାକିସ୍ତାନର ରାଷ୍ଟ୍ରଦୂତ ବି ରହିଥିଲେ । ୧୯୯୦ ମସିହା ଜୁନ ୧୩ ତାରିଖରେ ଇରିନଙ୍କ ଦେହାନ୍ତ ହୋଇଯାଇଥିଲା । ନିଜର ୮୫ ବର୍ଷର ଜୀବନକାଳ ମଧ୍ୟରେ ଇରିନ ୪୩ ବର୍ଷ ଭାରତରେ କଟାଇଥିବା ବେଳେ ବାକି ସମୟ ପାକିସ୍ତାନରେ ବିତାଇଥିଲେ । ୧୯୪୭ ପରେ ସେ ତିନି ତିନି ଥର ଭାରତ ଆସିଥିଲେ ମଧ୍ୟ ସେ ଆଲମୋରା ଯାଇ ନ ଥିଲେ ।
ଜୀବନବ୍ୟାପୀ ସଫଳତା
ଦେଶସେବା ପାଇଁ ପାକିସ୍ତାନର ମଦର-ଏ-ୱତନ ସମ୍ମାନରେ ସମ୍ମାନିତ ହୋଇଥିଲେ ଇରିନ । ଜୁଲଫିକର ଅଲ୍ଲୀ ଭୂଟ୍ଟୋ ତାଙ୍କୁ କ୍ୟାବିନେଟ ମନ୍ତ୍ରୀ କରିଥିଲେ । ସିନ୍ଧର ରାଜ୍ୟପାଳ ବି ହୋଇଥିଲେ ଇରିନ୍ । କରାଚି ବିଶ୍ବବିଦ୍ୟାଳୟର ସେ ଥିଲେ ପ୍ରଥମ ମହିଳା କୁଳପତି । ହଲାଣ୍ଡ, ଇଟାଲୀ ଓ ଟ୍ୟୁନିସିଆରେ ପାକିସ୍ତାନର ରାଷ୍ଟ୍ରଦୂତ ଥିଲେ ଇରିନ୍ । ସେ ଏକାଧିକ ସମ୍ମାନରେ ବି ସମ୍ମାନିତ । ସେଗୁଡିକ ହେଲା –
- ଜାତିସଂଘ ମାନବାଧିକାର ସମ୍ମାନ
- ନାଇଟ୍ ଗ୍ରାଣ୍ଡ କ୍ରସ ଅଫ ଦି ଅର୍ଡର ଅଫ ମେରିଟ ଅଫ ଦି ଇଟାଲିଆନ ରିପବ୍ଲିକ
- ଓମ୍ୟାନ ଅଫ ଦି ୱାର୍ଲଡ, ଟର୍କିସ ଓମ୍ୟାନ ଆସୋସିଏସନ
- ନିଶାନ-ଇ-ଇମତିଆଜ
- ମଦର ଅଫ ପାକିସ୍ତାନ
- ଜେନ୍ ଆଡାମସ ମେଡାଲ
- ଓମ୍ୟାନ ଅଫ ଆଚିଭମ୍ୟାଂଟ ମେଡାଲ
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ