ନୂଆଦିଲ୍ଲୀ: ଦେଶଦ୍ରୋହ ଅଭିଯୋଗରେ ଗିରଫ ହୋଇଥିବା ଜେଏନୟୁ ଛାତ୍ର ଶରଜିଲ ଇମାମ ସୋମବାର ଜଜ୍ଙ୍କ ସାମ୍ନାରେ ଉପସ୍ଥିତ କରାଯାଇଛି । ଶରଜିଲ ଇମାମଙ୍କୁ ସାର୍କେତ କୋର୍ଟ ପରିସରରେ ଜଜ ପୁରୁଷୋତ୍ତମ ପାଠକଙ୍କ ସମ୍ନାରେ ଉପସ୍ଥାପନ କରାଯାଇଥିଲା । ସେଠାରେ କ୍ରାଇମ ବ୍ରାଞ୍ଚ ଅଭିଯୁକ୍ତକୁ ଆହୁରି 5 ଦିନ ହେପାଜତରେ ରଖିବାକୁ ଆବେଦନ କରିଥିଲା । ହେଲେ ଜଜ୍ ତାଙ୍କୁ 3 ଦିନର ସମୟ ଅବଧି ଦେଇଛନ୍ତି ।
ସେପଟେ ପୋଲିସକୁ ଶରଜିଲଙ୍କ ଫୋନ କଲ୍ ଯାଞ୍ଚ କରିବାରୁ କୌଣସି ତଥ୍ୟ ମିଳିନଥିଲା । ଶରଜିଲଙ୍କ ହ୍ବାଟସଆପ୍ ଗ୍ରୁପ ଥିବା ଜଣାପଡିଛି, ଯାହାକି ସନ୍ଦେହାସ୍ପଦ । ଶରଜିଲର ରିମାଣ୍ଡ ଅବଧି ଗତକାଲି ସରିଯାଇଛି । ଏହି ମାମଲାକୁ ଯାଞ୍ଚ କରୁଥିବା ଦିଲ୍ଲୀ ପୋଲିସର କ୍ରାଇମ ବ୍ରାଞ୍ଚ ଅଧିକ ଦିନର ରିମାଣ୍ଡ ପାଇଁ ଦାବି କରିଛି । ସେପଟେ ଶରଜିଲ ଜାମିଆ ମିଲିଆ ଏବଂ ଆଲିଗଡ଼ରେ ଦେଶ ବିରୁଦ୍ଧରେ ଭାଷଣ ଦେଇଥିବାରୁ ଜାନୁଆରୀ 28 ତାରିଖରେ ତାଙ୍କୁ ବିହାରର ଜେହାନାବାଦରୁ ପୋଲିସ ଗିରଫ କରିଥିଲା ।
ଶରଜିଲ ଇମାମଙ୍କ ବିରୋଧରେ ଦେଶଦ୍ରୋହ ଅଭିଯୋଗ ଆସିଲା ପରେ ସେ ଫେରାର ହୋଇଯାଇଥିଲେ । ଜାନୁଆରୀ 16 ତାରିଖରେ ଶରଜିଲଙ୍କ ଏକ ଅଡିଓ କ୍ଲିପ୍ ଭାଇରାଲ ହୋଇଥିଲା । ଏଥିରେ ସେ କହିଥିଲେ ଆସାମ ଠାରୁ ଭାରତକୁ ଅଲଗା କରାଯିବା ଦରକାର । ଏପରି କଲେ ସରକାରକୁ ଏକ ଶିକ୍ଷା ମିଳିବ । ଶରଜିଲଙ୍କ ଏହି ଅଡିଓ କ୍ଲିପ ଭାଇରାଲ ହେବା ପରେ ତାଙ୍କୁ ଗିରଫ କରାଯାଇଛି ।