ଶ୍ରୀନଗର: ନିଜ ଗୃହବନ୍ଦୀ ବିରୁଦ୍ଧରେ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟଙ୍କ ଦ୍ବାରସ୍ଥ ହେଲେ ପୂର୍ବତନ ଆଇଏଏସ୍ ଅଧିକାରୀ ତଥା ଜମ୍ମୁ-କାଶ୍ମୀର ପିପୁଲ୍ସ ମୁଭମେଣ୍ଟ ପାର୍ଟିର ଅଧ୍ୟକ୍ଷ ଶାହ ଫୈଜଲ । ଏନେଇ ସେ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟରେ ଏକ ଯାଚିକା ଦାଖଲ କରିଛନ୍ତି । ତେବେ କୋର୍ଟ ତାଙ୍କ ଯାଚିକାକୁ ଗ୍ରହଣ କରିବା ସହ କେନ୍ଦ୍ର ସରକାରଙ୍କୁ ଏନେଇ ଜବାବ ତଲବ କରିଛନ୍ତି। ମାମଲାର ଶୁଣାଣି ଅଗଷ୍ଟ 23 ତାରିଖରେ ହେବ ।
ଫୈଜଲ ଗତ 14 ତାରିଖରେ ବିଦେଶ ଗସ୍ତ କରୁଥିବା ବେଳେ ପୋଲିସ ବିମାନ ବନ୍ଦରରେ ପହଞ୍ଚି ତାଙ୍କୁ ହେପାଜତକୁ ନେଇଥିଲା । ଏହାପରେ ତାଙ୍କୁ ଦିଲ୍ଲୀ ବିମାନ ବନ୍ଦରରୁ ପୁଣି ଶ୍ରୀନଗର ପଠାଇ ଦିଆଯାଇଥିଲା। ସେଠାରେ ଫୈଜଲଙ୍କୁ ଗୃହବନ୍ଦୀ ଭାବେ ରଖାଯାଇଛି । କେନ୍ଦ୍ର ସରକାର ଜମ୍ମୁ-କାଶ୍ମୀରରୁ ଧାରା 370 ଉଚ୍ଛେଦ କରିବା ପରଠାରୁ ସେ ଲଗାତାର ବିବାଦୀୟ ମନ୍ତବ୍ୟ ଦେଉଥିଲେ । କାଶ୍ମୀରକୁ ନେଇ ସେ ବ୍ୟକ୍ତିଗତ ବୟାନ ଦେବାସହ ଗଣମାଧ୍ୟମରେ ହିଂସାତ୍ମକ ବୟାନ ଦେଇଥିଲେ । ତେଣୁ ସରକାର ତାଙ୍କ ଗତିବିଧି ଉପରେ ନଜର ରଖିବା ପାଇଁ ଏଭଳି କରିଛନ୍ତି ।