ନୂଆଦିଲ୍ଲୀ: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଏବଂ କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ ରାଜ୍ୟସଭାର ସଦସ୍ୟ ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି । ଉଭୟେ ଲୋକସଭା ନିର୍ବାଚନ ଲଢ଼ି ଜିତିଥିବାରୁ ଜନପ୍ରତିନିଧି ଆଇନ,1951ର ବିଭିନ୍ନ ଧାରା ମୁତାବକ ସଂସଦର ଉପର ସଦନରୁ ସଭ୍ୟପଦ ତ୍ୟାଗ କରିଛନ୍ତି ।
ସୂଚନାଯୋଗ୍ୟ, ଅମିତ ଶାହା ଚଳିତ ଥର ଗାନ୍ଧୀନଗର ସଂସଦୀୟ କ୍ଷେତ୍ରରୁ ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡ଼ଭାନୀଙ୍କ ସ୍ଥାନରେ ନିର୍ବାଚନ ଲଢ଼ିଥିଲେ । ସେଠାରୁ ସେ ରେକର୍ଡ଼ ସଂଖ୍ୟକ ଭୋଟରେ ଜିତିଛନ୍ତି । ମୋଦିଙ୍କ କ୍ୟାବିନେଟରେ ଶାହାଙ୍କୁ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ମିଳିବା ନେଇ ଚର୍ଚ୍ଚା ଚାଲିଛି ।
ସେହିଭଳି ରାଜ୍ୟସଭାକୁ ଯାଇ କେନ୍ଦ୍ରରେ ମନ୍ତ୍ରୀ ହୋଇଥିବା ରବିଶଙ୍କର ପ୍ରସାଦ ମଧ୍ୟ ଏଥର ଲୋକସଭାକୁ ନିର୍ବାଚିତ ହୋଇଛନ୍ତି । ବିହାରର ପାଟନା ସାହିବ ସଂସଦୀୟ ଆସନରୁ ସେ କଂଗ୍ରେସର ଶତ୍ରୁଘ୍ନ ସିହ୍ନାଙ୍କୁ ହରାଇଛନ୍ତି ।
ଏଥିସହ ରାଜ୍ୟସଭାର ସଦସ୍ୟ ଥିବା ଡିଏମକେ ନେତ୍ରୀ କାନିମୋଝି ମଧ୍ୟ ସଭ୍ୟପଦ ଛାଡ଼ିଛନ୍ତି । ଡିଏମକେ ମୁଖିଆ ଏମକେ ଷ୍ଟାଲିନଙ୍କ ଭଉଣୀ କାନିମୋଝି ତାମିଲନାଡୁ଼ର ଥୋଥୁକୁଡ଼ି ସଂସଦୀୟ କ୍ଷେତ୍ରରୁ ଏଥର ଲୋକସଭାକୁ ନିର୍ବାଚିତ ହୋଇଛନ୍ତି ।