କୋଲକାତା: ସୁନାଗହଣାର ଖୁଚୁରା ବିକ୍ରୟ କମ୍ପାନୀ ସେନକୋ ଗୋଲ୍ଡ ଆଣ୍ଡ ଡାଇମଣ୍ଡର ଚେୟାରମ୍ୟାନଙ୍କ କୋରୋନା ସଂକ୍ରମଣରେ ଦେହାନ୍ତ । ଗତକାଲି(ମଙ୍ଗଳବାର) 63 ବର୍ଷ ବୟସରେ ଶଙ୍କର ସେନଙ୍କ ନିଧନ ହୋଇଛି । ଡାକ୍ତରୀ ସୂତ୍ରରୁ ସେ କୋରୋନା ସଂକ୍ରମଣ ହୋଇଥିବା ଜଣାପଡିଛି । ତେବେ ନିକଟରେ ସେନ ନିଜର ଆଣ୍ଠୁ ଅସ୍ତ୍ରୋପଚାର କରିଥିବା ତାଙ୍କ ପରିବାର ସଦସ୍ୟ କହିଛନ୍ତି ।
ସେନଙ୍କ ପରିବାରରେ ତାଙ୍କ ମା, ପତ୍ନୀ, ପୁଅ, ଝିଅ ଏବଂ ଦୁଇ ନାତିନାତୁଣୀ ଅଛନ୍ତି। ଜାତୀୟ ସ୍ତରରେ ସେନକୋ ଗୋଲ୍ଡକୁ ପରିଚୟ ଓ ସ୍ବୀକୃତି ଦେବାରେ ସେନଙ୍କର ଅମୂଲ୍ୟ ଅବଦାନ ରହିଛି । 1990 ଦଶକରେ ସେ ତାଙ୍କ ପିତାଙ୍କ ଠାରୁ ଉତ୍ତରାଧିକାରୀ ଭାବେ 3ଟି ଷ୍ଟୋର ପାଇଥିଲେ । ମାତ୍ର ଆଜି ସାରା ଦେଶରେ ସେନକୋ ଗୋଲ୍ଡ ଆଣ୍ଡ ଡାଇମଣ୍ଡ କମ୍ପାନୀର 100ରୁ ଅଧିକ ଷ୍ଟୋର ରହିଛି । ତାଙ୍କ ମୃତ୍ୟୁରେ ଇଣ୍ଡିଆନ ଚାମ୍ବର ଅଫ୍ କମର୍ସ ପକ୍ଷରୁ ସମବେଦନା ଦିଆଯାଇଛି ।