ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ଧାରା ୩୭୦ ଉଚ୍ଛେଦ ମାମଲାରେ ଶୁଣାଣି ବୁଧବାର ମଧ୍ୟ ଜାରି ରହିବ । ଧାରା 370 କୁ ଚ୍ୟାଲେଞ୍ଜ କରି ସୁପ୍ରିମ କୋର୍ଟରେ ଦାଖଲ କରାଯାଇଥିବା ସମସ୍ତ ଯାଚିକାର ଶୁଣାଣି କରୁଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ ।
ମଙ୍ଗଳବାର ଶୁଣାଣି ସମୟରେ ବରିଷ୍ଠ ଓକିଲମାନେ ଏହି ମାମଲାକୁ ଏକ ବଡ ବେଞ୍ଚକୁ ପଠାଇବା ପାଇଁ ଦାବି କରିଥିଲେ । ମାତ୍ର ଆଟର୍ଣ୍ଣି ଜେନେରାଲ କେକେ ବେଣୁଗୋପାଳ ଏହି ମାମଲାକୁ ପାଞ୍ଚରୁ ଊର୍ଦ୍ଧ୍ବ ଜଜଙ୍କ ଦ୍ବାରା ଗଠିତ ଖଣ୍ଡପୀଠକୁ ନ ପଠାଇବା ପାଇଁ ଯୁକ୍ତି ବାଢିଛନ୍ତି ।
ବର୍ତ୍ତମାନ ସମ୍ପୂର୍ଣ୍ଣ ମାମଲାକୁ ସୁପ୍ରିମକୋର୍ଟରେ ଜଷ୍ଟିସ ଏନବି ରମନାଙ୍କ ଅଧ୍ୟକ୍ଷତାରେ ଗଠିତ ପାଞ୍ଚ ଜଣିଆ ଖଣ୍ଡପୀଠ ବିଚାର କରୁଛନ୍ତି । ଏହି ବେଞ୍ଚରେ ଜଷ୍ଟିସ ଏସକେ କୈଲ, ଜଷ୍ଟିସ ଆର ସୁଭାଷ ରେଡ୍ଡୀ, ଜଷ୍ଟିସ ବି.ଆର. ଗବାଇ ଓ ଜଷ୍ଟିସ ସୁର୍ଯ୍ୟକାନ୍ତ ରହିଛନ୍ତି । ଅନୁଚ୍ଛେଦ ୩୭୦ ସମ୍ବନ୍ଧିତ ସମସ୍ତ ଆବେଦନର ଶୁଣାଣି ଏକାସହ କରିବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।
ସୂଚନା ଯେ, ଧାରା 370କୁ ଉଚ୍ଛେଦ କରିବା ସହ ଏବଂ ଲଦାଖ ଏବଂ ଜାମ୍ମୁ ଓ କାଶ୍ମୀରକୁ ଭାରତର ଦୁଇଟି ନୂଆ କେନ୍ଦ୍ର ଶାସିତ ପ୍ରଦେଶରେ ପରିଣତ କରିଛନ୍ତି କେନ୍ଦ୍ର ସରକାର ।