ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁଙ୍କ ବିରୋଧରେ ଆସିଥିବା ଦୁଷ୍କର୍ମ ମାମଲାରେ ହସ୍ତକ୍ଷେପ କରିବାକୁ ମନା କରିଛନ୍ତି ସୁପ୍ରିମକୋର୍ଟ । ଏହାସହ ଅଭିଯୁକ୍ତ ଆଣିଥିବା ପୀଡିତାଙ୍କୁ ହାଇକୋର୍ଟରେ ଆବେଦନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ପୀଡିତାଙ୍କ ପକ୍ଷରୁ ଦାଖଲ ପ୍ରମାଣରେ ସନ୍ତୁଷ୍ଟ ନଥିବା ହେତୁ ଏପରି ପଦକ୍ଷେପ ନେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ ।
ସୂଚନାଯୋଗ୍ୟ ଯେ ପୀଡିତା ଜଣକ 10 ବର୍ଷ ତଳେ ହୋଇଥିବା ଏହି ଘଟଣାରେ ଅଭିଯୋଗ ଆଣିଥିଲେ । ତାଙ୍କ ଅଭିଯୋଗ ଅନୁସାରେ ସେ ୧୫ ବର୍ଷ ବୟସର ହୋଇଥିବା ବେଳେ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ ଏବଂ ଅନ୍ୟ ୩ ଜଣ ତାଙ୍କୁ ଦୁଷ୍କର୍ମ କରିଥିଲେ । ସେତେବେଳେ ସେ ଅରୁଣାଚଳର ଏକ ସରକାରୀ କଲ ଅଫିସରେ କାର୍ଯ୍ୟ କରୁଥିଲେ । ଜଣେ ଅଜଣା ବ୍ୟକ୍ତି ତାଙ୍କୁ ସ୍ଥାୟୀ ସରକାରୀ ଚାକିରୀର ଲୋଭ ଦେଖାଇ ଏକ ବୈଠକରେ କିଛି ଲୋକଙ୍କୁ ଭେଟିବା ପାଇଁ କହିଥିଲେ । ତେବେ ବୈଠକରେ ପୀଡିତାଙ୍କୁ ଏକ ନିଶା ମିଶିଥିବା ପାନୀୟ ଦିଆଯାଇ ଅଚେତ କରାଯାଇ ଗଣଦୁଷ୍କର୍ମ କରାଯାଇଥିବା ସେ ଅଭିଯୋଗ କରିଥିଲେ ।
ଏହା ସମ୍ପର୍କରେ ପୀଡିତା ପୋଲିସ ଏବଂ ଚିଫ ଜୁଡିସିଆଲ ମାଜିଷ୍ଟ୍ରେଟଙ୍କ ନିକଟରେ ୪ ଜଣ ଅଭିଯୁକ୍ତଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ । କିନ୍ତୁ ତାଙ୍କ ଅଭିଯୋଗକୁ ସେମାନେ ଗ୍ରହଣ କରିନଥିଲେ । ଗତବର୍ଷ ମାର୍ଚ୍ଚରେ ସେ ଜାତୀୟ ମହିଳା କମିସନରେ ମଧ୍ୟ ବିସ୍ତୃତ ରିପୋର୍ଟ ଦାଖଲ କରିଥିଲେ । ଏହାପରେ ନ୍ୟାୟ ପାଇଁ ସେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ହେଲେ ତାଙ୍କ ରିପୋର୍ଟ ପଢିବା ପରେ ଏହି ମାମଲା ଦିଲ୍ଲୀ ହାଇକୋର୍ଟରେ ଲଢିବାକୁ ସର୍ବୋଚ୍ଚ ନ୍ୟାୟାଳୟ ପରାମର୍ଶ ଦେଇଥିଲେ ।
ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ବେଞ୍ଚ ଏହି ଘଟଣାରେ ହସ୍ତକ୍ଷେପ କରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । 10 ବର୍ଷ ତଳେ ଘଟିଥିବା ଏହି ଘଟଣାର ମାମଲା ଏବେ ଲଢିବା ନିଷ୍ପତ୍ତିକୁ ସୁପ୍ରିମକୋର୍ଟ ଗ୍ରହଣ କରିପାରିନାହାନ୍ତି । ଏ ମାମଲାର ଆବେଦନ ସମୟରେ ପୀଡିତା ତାଙ୍କୁ ପୋଲିସ ସୁରକ୍ଷା ଯୋଗାଇଦେବାକୁ ଆବେଦନ କରିଥିଲେ କିନ୍ତୁ ସୁପ୍ରିମକୋର୍ଟ ଏହାକୁ ଆଗ୍ରାହ୍ୟ କରିଦେଇଥିଲେ ।