କୋଲକାତା: ଶାରଦା ଚିଟଫଣ୍ଡ ଠକେଇ ମାମଲାରେ କୋଲକାତାର ପୂର୍ବତନ ପୋଲିସ କମିଶନର ରାଜୀବ କୁମାରଙ୍କ ଗିରଫଦାରୀ ଅବଧି ପୁଣି ଘୁଞ୍ଚିଲା । ତାଙ୍କ ଗିରଫଦାରୀକୁ ଗୋଟିଏ ସପ୍ତାହ ଘୁଞ୍ଚାଇଛନ୍ତି କୋଲକାତା ହାଇକୋର୍ଟ । ଏଥିସହିତ କୋଟି କୋଟି ଟଙ୍କାର ଏହି ଘୋଟାଲାକୁ ନେଇ ସିବିଆଇରେ ହାଜର ହେବାକୁ ଏବଂ ତଦନ୍ତରେ ସହଯୋଗ କରିବାକୁ ତାଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ହାଇକୋର୍ଟର ଅବକାଶ ପୀଠ ମେ 30ରେ ହେବାକୁ ଥିବା ରାଜୀବ କୁମାରଙ୍କ ଗିରଫଦାରୀକୁ ଜୁଲାଇ 10କୁ ଘୁଞ୍ଚାଇଥିଲେ । ପରେ ଜୁଲାଇ 22କୁ ଘୁଞ୍ଚାଇ ଦିଆଯାଇଥିଲା । କିନ୍ତୁ ତାଙ୍କ ଗିରଫଦାରୀର ଅବଧି ସୋମବାର ଶେଷ ହୋଇଥିବାବେଳେ ଜଷ୍ଟିସ ମଧୁମତି ମିତ୍ରା ପୁଣି ଥରେ ଏହାକୁ ଗୋଟିଏ ସପ୍ତାହ ଘୁଞ୍ଚାଇ ଦେଇଛନ୍ତି ।
ଗତ ମେ ମାସରେ ସିବିଆଇ ପକ୍ଷରୁ ମିଳିଥିବା ନୋଟିସକୁ ରାଜୀବ ରଦ୍ଦ କରିବାକୁ ଦେଇଥିବା ଯାଚିକାକୁ କୋର୍ଟ ଆସନ୍ତା ମଙ୍ଗଳବାର ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି । ବର୍ତ୍ତମାନ ରାଜୀବ କୁମାର ପଶ୍ଚିମବଙ୍ଗ ସିଆଇଡିର ଅତିରିକ୍ତ ମହାନିର୍ଦ୍ଦେଶକ ଅଛନ୍ତି ।