ମୁମ୍ବାଇ: ଶିବସେନା ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ ରବିବାର କୃଷି ବିଲ ପ୍ରସଙ୍ଗରେ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସଞ୍ଜୟ ରାଉତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ରାଜ୍ୟସଭାରେ କୃଷି ବିଲ୍ ବିଷୟରେ ଆଲୋଚନା କରିବା ସମୟରେ ଅନେକ ପ୍ରଶ୍ନ ଉଠାଇଥିଲେ।
ସଞ୍ଜୟ ରାଉତ କହିଛନ୍ତି, ‘ଆଜି ଆପଣ ଆଣିଥିବା ବିଲକୁ ନେଇ ଯଦି ଆପଣ ନିଶ୍ଚିତ କରନ୍ତି କୌଣସି କୃଷକ ଭୋକିଲା ରହିବେ ନାହିଁ, କୌଣସି କୃଷକ ଆତ୍ମହତ୍ୟା କରିବେ ନାହିଁ, ତେବେ ଏହା ସରକାରଙ୍କ ଏକ ବଡ଼ ସଫଳତା ହେବ । ଏହି ବିଲକୁ ନେଇ ସାମାନ୍ୟ ଦ୍ବନ୍ଦ୍ବ ରହିଛି। ଏହାକୁ ନେଇ ଏକ ସ୍ବତନ୍ତ୍ର ଅଧିବେଶନ ଡାକିବା ଉଚିତ୍ । ଗୋଟିଏ ଦିନର ଆଲୋଚନା ହେବା ଉଚିତ୍ । ଏହାପରେ ଏହିପରି ବିଲ୍ ଅଣିବା ଉଚିତ୍ ଥିଲା ’।
ସଞ୍ଜୟ ରାଉତ ଏହା ମଧ୍ୟ କହିଛନ୍ତି ଯେ ଦେଶର 70 ପ୍ରତିଶତ ଲୋକ କୃଷି ସହ ଜଡିତ। କୃଷକମାନେ ଲକଡାଉନରେ ବି କାମ କରୁଥିଲେ। ସରକାର କ’ଣ ନିଶ୍ଚିତ କରିପାରିବେ ଯେ ବିଲ୍ ପାସ୍ ହେବା ପରେ ଚାଷୀଙ୍କ ଆୟ ଦ୍ବିଗୁଣିତ ହେବ ଏବଂ ଦେଶରେ କୌଣସି କୃଷକ ଆତ୍ମହତ୍ୟା କରିବେ ନାହିଁ।
ତେବେ ଶିବସେନା ସାଂସଦ ଏହା ମଧ୍ୟ କହିଛନ୍ତି ଯେ ଯଦି ଏହି ବିଲ୍ କୃଷକ ବିରୋଧୀ ତେବେ ସମଗ୍ର ଦେଶରେ କାହିଁକି ବିରୋଧ ପ୍ରଦର୍ଶନ କରାଯାଉ ନାହିଁ ? ଯଦି ସମଗ୍ର ଦେଶରେ କୌଣସି ବିରୋଧ ନହୁଏ ତେବେ ଏହାର ଅର୍ଥ ହେଉଛି ବିଲ୍ର ଦମ୍ ଅଛି।
ସେ ଏହା ମଧ୍ୟ କହିଛନ୍ତି, ‘ପ୍ରଧାନମନ୍ତ୍ରୀ ମୋଦି ବିଲ ବିଷୟରେ ଗୁଜବ ପ୍ରଚାର ହେଉଥିବା କହିଥିଲେ ତେବେ କେବଳ ଗୁଜବ ପ୍ରଚାରରେ ଜଣେ କେନ୍ଦ୍ରମନ୍ତ୍ରୀ ଇସ୍ତଫା ଦେଇଦେଲେ କି ବୋଲି ମୁଁ ପ୍ରଶ୍ନ କରୁଛି ’ ।
ପ୍ରକାଶଥାଉକି, ଏନଡିଏର ପୁରୁଣା ସମର୍ଥକ ଶିରୋମଣୀ ଅକାଳୀ ଦଳର ସାଂସଦ ହରସିମରତ୍ କୌର ମନ୍ତ୍ରୀ ପଦରୁ ଇସ୍ତଫା ଦେଇଦେଲେ । ଅନ୍ୟପକ୍ଷେ ଆମ୍ ଆଦମୀ ପାର୍ଟିର ସାଂସଦ ସଞ୍ଜୟ ସିଂ କହିଛନ୍ତି ଯେ ଏହି ଆଇନ ମାଧ୍ୟମରେ ସରକାର ଚାଷୀଙ୍କ ପ୍ରତି ବିଶ୍ବାସଘାତକତା କରିଛନ୍ତି। ଏହା ହେଉଛି କଳା ନିୟମ ।