ହାଇଦ୍ରାବାଦ: ସାରା ବିଶ୍ବରେ ଜଳବାୟୁ ପରିବର୍ତ୍ତନକୁ ଉଦବେଗ ପ୍ରକାଶ କରାଯାଉଛି । ଜଳବାୟୁ ପରିବର୍ତ୍ତନକୁ ନେଇ ବିଶ୍ବ ଅର୍ଥନୈତିକ ଫୋରମରେ 1 ଟ୍ରିଲିୟନ ଗଛ ଲଗାଇବା ପାଇଁ ୟୁନାଇଟେଡ ନେସନ୍ସ ଏନଭାୟର୍ଣ୍ଣମେଣ୍ଟାଲ ପ୍ରୋଗ୍ରାମ(UNEP) ଓ ୟୁନାଇଟେଡ ନେସନ୍ସ ଫୁଡ ଆଣ୍ଡ ଏଗ୍ରିକଲଚର ଅର୍ନାଇଜେସନ(FAO) ପକ୍ଷରୁ ନୂତନ ଭାବେ ପଦକ୍ଷେପ ନିଆଯାଇଛି । ସଦଗୁରୁଙ୍କ ଦ୍ବାରା ପ୍ରତିଷ୍ଠିତ ଈଶା ଫାଉଣ୍ଡେସନ ପକ୍ଷରୁ ମଧ୍ୟ 10 ବର୍ଷ ମଧ୍ୟରେ ବିଶ୍ବବ୍ୟାପୀ ଏକ ଟ୍ରିଲିୟନ ବୃକ୍ଷରୋପଣ କରିବା ପାଇଁ ସମର୍ଥନ କରାଯାଇଛି । ବିଶ୍ବ ଅର୍ଥନୈତିକ ଫୋରମରେ ବ୍ୟବସାୟ, ରାଜନୀତି, ଜଳବାୟୁ ଓ ସଂସ୍କୃତି ବିଶେଷଜ୍ଞ ସହ ମଞ୍ଚରେ ଆଲୋଚନା ସମୟରେ ସଦଗୁରୁ ଏହାକୁ ସମର୍ଥନ କରିଛନ୍ତି ।
ବିଶ୍ବ ଅର୍ଥନୈତିକ ଫୋରମରେ ଅନୁଷ୍ଠିତ ଏହି ବୈଠକରେ କଲମ୍ବିଆର ରାଷ୍ଟ୍ରପତି ଇଭାନ ଡୁକ ମାରକ୍ୟୁଜ, ସେଲ୍ସ ଫୋର୍ସର ପ୍ରତିଷ୍ଠାତା ମାର୍କ ବେନିଅଫ, IFPATର ସଭାପତି ହିନ୍ଦ୍ୟୁ ଇବ୍ରାହିମ ଓ ବୈଜ୍ଞାନିକ ଡ. ଜାନି ଗୁଡ ଅଲ ସାମିଲ ହୋଇଥିଲେ ।
ସଦଗୁରୁ ଏଥିରେ ପରିବେଶରୁ ଆସୁଥିବା ବିଭିନ୍ନ ଆହ୍ବାନକୁ ପ୍ରତିହତ କରିବାକୁ ଭାରତ ଦ୍ବାରା ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଗୁଡିକୁ ବର୍ଣ୍ଣନା କରିଥିଲେ । ପ୍ରୋଜେକ୍ଟ ଗ୍ରୀନ ହ୍ୟାଣ୍ଡ(PGH) ଓ ରାଲି ଫର ରିଭର୍ସ(RFR) ଭଳି ପୁରସ୍କାର ପ୍ରାପ୍ତ ପଦକ୍ଷେପ ଗୁଡିକ ରହିଥିବା ସେ ପ୍ରକାଶ କରିଥିଲେ । ଏହି ଦୁଇ ପଦକ୍ଷେପରେ ବୃକ୍ଷ ରୋପଣକୁ ପ୍ରାଧାନ୍ୟ ଦିଆଯାଉଥିବା ସେ ପ୍ରକାଶ କରିଥିଲେ । PGH ମାଧ୍ୟମରେ ତୃଣମୂଳ ସ୍ତରରେ 3 ମିଲିୟନ ଲୋକଙ୍କ ଦ୍ବାରା 35 ମିଲିୟନ ବୃକ୍ଷରୋପଣର ଲକ୍ଷ୍ୟ ରଖାଯାଇଥିବା ବେଳେ RFR ଏକ ଅର୍ଥନୈତିକ ମଡେଲକୁ ପ୍ରତିଫଳିତ କରୁଛି । ଯାହାଦ୍ବାରା ଚାଷୀଙ୍କୁ ନିଜ ଜମିରେ ବୃକ୍ଷରୋପଣ କରିବା ସହ ରୋଜଗାର ମିଳିପାରିବ ।
କଲମ୍ବିଆରେ ମଧ୍ୟ ବୃକ୍ଷରୋପଣକୁ ନେଇ ଉଲ୍ଲେଖନୀୟ ଉଦ୍ୟମ କରାଯାଇଥିବା ନେଇ ରାଷ୍ଟ୍ରପତି ଇଭାନ ଡୁକ କହିଛନ୍ତି । ଏଥିରେ 2022 ସୁଦ୍ଧା ଦେଶରେ 180 ମିଲିୟନ ବୃକ୍ଷରୋପଣ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ସେହିପରି 1 ଟ୍ରିଲିୟନ ବୃକ୍ଷ ଦ୍ବାରା 2 ଶହ ଗିଗା ଟନରୁ ଉର୍ଦ୍ଧ୍ବ କାର୍ବନ କମା ଯାଇପାରିବ ବୋଲି ମାର୍କ ବେନିଅଫ ପ୍ରକାଶ କରିଛନ୍ତି।
ଅନ୍ୟପକ୍ଷରେ ସଦଗୁରୁ କହିଛନ୍ତି, ପୃଥିବୀରେ 50ରୁ 60 ପ୍ରତିଶତ ମୃତ୍ତିକା ବୃକ୍ଷ ଆଚ୍ଛାଦିତ ହେବା ଆବଶ୍ୟକ । ନହେଲେ ମୃତ୍ତିକାର ଉର୍ବରତ୍ବ ରହିବ ନାହିଁ । ଏହା ଦ୍ବାରା ମୃତ୍ତିକାର ଗୁଣବତ୍ତା ହ୍ରାସପାଇବ । ଏହା ଖାଦ୍ୟଶସ୍ୟ ଉତ୍ପାଦନରେ ପ୍ରଭାବ ପକାଇବ । ଏପରିକି ଅଜୈବିକ ଉପାଦାନ ବ୍ୟବହାର ଦ୍ବାରା ଶସ୍ୟରେ ରହିଥିବା ପୋଷକ 40 ପ୍ରତିଶତ ହ୍ରାସ ଘଟିବ ।
ବୃକ୍ଷରୋପଣକୁ ଏକ ଅର୍ଥନୈତିକ ମଡେଲରେ ପରିଣତ କରିବା ଦ୍ବାରା କୃଷକଙ୍କ ଅଭିବୃଦ୍ଧି ସହଜ ହେବ । ଆମେ କେବେ ବି କୃଷକକୁ ବିଶ୍ବରକ୍ଷା ଦିଗରେ କାର୍ଯ୍ୟକରିବାକୁ କହିପାରିବା ନାହିଁ । Cauvery Calling model ଆଧାରରେ ସଦଗୁରୁ ଅର୍ଥନୈତିକ ମଡେଲ ବିକାଶ କରିବାକୁ ପରାମର୍ଶ ଦେଇଛନ୍ତି ।
ଯାହାକୁ ଦକ୍ଷିଣ ଭାରତର ନଦୀକୂଳ ଅଞ୍ଚଳରେ ପ୍ରୟୋଗ କରାଯାଉଛି । ଯଦି କୃଷକ କିଛି ଏଥିରୁ ଲାଭ ପାଇବନାହିଁ, ତେବେ ଏହା କାର୍ଯ୍ୟକାରୀ କରାଯାଇପାରିବ ନାହିଁ । ଏହାସହ ସଦଗୁରୁ ବିଶ୍ବରେ ଚାଲିଥିବା ବେଆଇନ କାଠ କାରବାରକୁ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି । ଏହାକୁ ରୋକିବାକୁ ହେଲେ କାଠକୁ ଏକ କୃଷି କ୍ଷେତ୍ରୀୟ ଉତ୍ପାଦନ ଭାବରେ ଗ୍ରହଣ କରିବାକୁ ପଡିବ ବୋଲି ସେ ଉଲ୍ଲେଖ କରିଛନ୍ତି । ଏହା ଦ୍ବାରା ଉଭୟ କୃଷକ ଓ ଅର୍ଥନୀତିର ବିକାଶ ହୋଇପାରିବ ସଦଗୁରୁ ମତପୋଷଣ କରିଛନ୍ତି ।
କୃଷକକୁ ଚାଷ ସହିତ ଜଡିତ ରଖିବାକୁ ହେଲେ ଅଧିକ ଅମଳକ୍ଷମ ଶସ୍ୟର ବିହନ ପ୍ରୟୋଗ ଜରୁରୀ । ଏହା ଦ୍ବାରା ବିଭିନ୍ନ ବୃତ୍ତିଭିତ୍ତିକ ତଥା ସ୍ଥାନ ଭିତ୍ତିକ ସ୍ଥାନାନ୍ତରଣ ରୋକା ଯାଇପାରିବ । ଭାରତର ଗ୍ରାମାଞ୍ଚଳରୁ ସହର ଅଭିମୁଖେ 220 ମିଲିୟନ ଲୋକ ସ୍ଥାନାନ୍ତର ହେଉଥିବା ଦେଖିବାକୁ ମିଳିଛି । ସେହିପରି ବିଶ୍ବରେ ଏହି ସ୍ଥାନାନ୍ତର ପ୍ରକ୍ରିୟାରେ 1.6 ବିଲିୟନ ଲୋକ ରହିଛନ୍ତି । ଗ୍ରାମାଞ୍ଚଳର ବିକାଶ ସହ କୃଷକଙ୍କୁ ସହାୟତା ପ୍ରଦାନ କରି ସେମାନଙ୍କୁ କୃଷି ଦିଗରେ ପ୍ରୋତ୍ସାହିତ କରିବା ଆବଶ୍ୟକ ବୋଲି ସଦଗୁରୁ ପ୍ରକାଶ କରିଛନ୍ତି । ନହେଲେ ଏହି ଅଞ୍ଚଳ ଭିତ୍ତିକ ସ୍ଥାନାନ୍ତର ଏପରି ବୃଦ୍ଧି ପାଇବ କୌଣସି ସହର ଏହି ସମସ୍ୟାକୁ ସମାଧାନ କରିପାରିବ ନାହିଁ ।