ନୂଆଦିଲ୍ଲୀ: କୋଝିକୋଡ ବିମାନ ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ଋଷ ରାଷ୍ଟ୍ରପତି ବ୍ଲାଦିମିର ପୁତିନ । ଏହି ଦୁଃଖଦ ଘଟଣା ପାଇଁ ପୁତିନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମବେଦନା ଜଣାଇଛନ୍ତି।
କେରଳର କୋଝିକୋଡରେ ହୋଇଥିବା ବିମାନ ଦୁର୍ଘଟଣାରେ 19 ଜଣଙ୍କର ମୃତ୍ୟୁ ଘଟିଥିବାବେଳେ 100ରୁ ଅଧିକ ଲୋକ ଆହତ ହୋଇଛନ୍ତି। ତେବେ ଶନିବାର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟକୁ ଲେଖିଥିବା ଶୋକ ପତ୍ରରେ ପୁତିନ ଆହତଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ।
ଏନେଇ ପୁତିନ କହିଛନ୍ତି, କୋଝିକୋଡ ବିମାନ ଦୁର୍ଘଟଣା ପାଇଁ ଋଷ ଅତ୍ୟନ୍ତ ଦୁଃଖୀତ। ପୀଡିତଙ୍କ ପରିବାର ପ୍ରତି ଆମେ ସମବେଦନା ଜଣାଉଛୁ । ଏଥି ସହିତ ଆହତଙ୍କ ନିମନ୍ତେ ଆଶୁ ଆରୋଗ୍ୟ କାମନା କରୁଛୁ ।
ସୂଚନାଯୋଗ୍ୟ, ଏୟାର ଇଣ୍ଡିଆ ବିମାନ ପାଇଲଟ ଓ କ୍ର୍ୟୁ ମେମ୍ବରଙ୍କ ସମେତ ମୋଟ 190 ଜଣଙ୍କୁ ନେଇ ଦୁବାଇରୁ କେରଳ ଫେରୁଥିବାବେଳେ କୋଝିକୋଡ ବିମାନ ବନ୍ଦର ରନୱେରେ କ୍ରାସ ଲ୍ୟାଣ୍ଡିଂ କରିଥିଲା । ଯେଉଁଥିରେ 123 ଜଣ ଆହତ ହୋଇଥିବା ବେଳେ ଏବେ ସୁଦ୍ଧା 19 ଜଣ ପ୍ରାଣ ହରାଇଛନ୍ତି । ଗୁରୁତର ଆହତଙ୍କୁ କୋଝିକଡର 7ଟି ବିଭିନ୍ନ ହସପିଟାଲରେ ଚିକିତ୍ସା କରାଯାଉଛି । ଅନେକଙ୍କ ଅବସ୍ଥା ଗୁରୁତର ଥିବାରୁ ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ ବୋଲି ଆଶଙ୍କା କରାଯାଉଛି ।