କାଶ୍ମୀର: ସବୁବେଳେ ଅଶାନ୍ତ ରହୁଥିବା କାଶ୍ମୀରରେ ବିଗିଡିପାରେ କାନୁନ ବ୍ୟବସ୍ଥା । ସରକାର ଉପତ୍ୟକାରେ 10 ହଜାର ପ୍ଲାଟୁନ ଫୋର୍ସ ମୁତୟନ କରିବା ପରେ ଏଭଳି ଆଶଙ୍କା କରିଛନ୍ତି ବଡଗାମ ରେଳୱେ ସୁରକ୍ଷା ଅଧିକାରୀ ସୁଦେଶ ନୁଗ୍ୟଲ । ସେ ଏନେଇ ତାଙ୍କ ଅଧିସ୍ତନ କର୍ମଚାରୀଙ୍କୁ ଚିଠି ଲେଖି ଆଗାମୀ 4ମାସ ପର୍ଯ୍ୟନ୍ତ ଖାଦ୍ୟ ସାମଗ୍ରୀ ସାଇତି ରଖିବା କହିବା ସହ ନିଜ ପରିବାର ଲୋକଙ୍କୁ ଘାଟି ବାହାରେ ଛାଡିବାକୁ ଆହ୍ୱାନ କରିଛନ୍ତି । ତାଙ୍କର ଏହି ଚିଠିଟି ବର୍ତ୍ତମାନ ସୋସିଆଲ ମିଡି଼ଆରେ ଭାଇରାଲ ହେବାକୁ ଲାଗିଛି ।
ଏହାକୁ ନେଇ ସ୍ପଷ୍ଟୀକରଣ ଦେଇଛି ରେଲୱେ ବିଭାଗ । ସେ କୌଣସି ଉଚ୍ଚ ପଦାଧିକାରୀ ନୁହଁନ୍ତି କି ତାଙ୍କର ଚିଠିରେ କୌଣସି ସରକାରୀ ନୁହେଁ ବୋଲି ସଫେଇ ଦିଆଯାଇଛି । ଏପରିକି କର୍ମଚାରୀଙ୍କ ଏହି ଚିଠିରେ ଉଚ୍ଚ ପଦାଧିକାରୀଙ୍କ ଦସ୍ତଖସ୍ତ ମଧ୍ୟ ନାହିଁ । ତେବେ ଏହି କର୍ମଚାରୀ ନିଜ ବିଚାର ଅନୁସାରେ ଏପରି ଲେଖିଥିବା ବେଳେ ଉଚ୍ଚ ଶିକ୍ଷା ପାଇଁ ଜୁଲାଇ 26ରୁ ବର୍ଷେ ଯାଏ ଛୁଟିରେ ଥିବା ମଧ୍ୟ କୁହାଯାଇଛି ।
ସୂଚନାଯୋଗ୍ୟସ, ନିକଟରେ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଜମ୍ମୁ ଗସ୍ତରୁ ଫେରିବା ପରେ ରାଜ୍ୟରେ ପ୍ରଥମେ 10 ହଜାର ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିଲା । ଏହା ପରେ ପୁଣି ଥରେ ଆଉ 10 ହଜାର ଫୋର୍ସଙ୍କୁ ମୁତୟନ କରାଯାଇଛି । ଆଗାମୀ ଦିନରେ କେନ୍ଦ୍ର ସରକାର ସ୍ବତନ୍ତ୍ର 35(ଏ) ଅନୁଚ୍ଛେଦ ଉଠାଇବାକୁ ଏଭଳି ପଦକ୍ଷେପ ଉଠାଯାଇଥିବା ଚର୍ଚ୍ଚା ହେଉଥିବା ବେଳେ ଛାୟାଯୁଦ୍ଧ ଭଳି ସମ୍ଭାବନା ଦେଖାଦେଇଛି ।