ମୁମ୍ବାଇ: କଂଗ୍ରେସର ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କ ସ୍ବାମୀ ରବର୍ଟ ଭଦ୍ରା ଶୁକ୍ରବାର ମୁମ୍ବାଇସ୍ଥିତ ମୁମ୍ବା ଦେବୀଙ୍କୁ ଦର୍ଶନ କରିବା ଲାଗି ମନ୍ଦିର ଯାଇଥିଲେ । ରବର୍ଟ ଯେତେବେଳେ ମନ୍ଦିର ଦର୍ଶନ ସାରି ବାହାରକୁ ବାହାରିଲେ, ସେତେବେଳେ ସେଠାରେ ଉପସ୍ଥିତ ଲୋକେ ମୋଦି-ମୋଦି କହି ନାରା ଦେଲେ । ଏଠାରେ ଏତେ ଭିଡ଼ ଥିଲା ଯେ ବାଧ୍ୟ ହୋଇ ପୋଲିସ ଭଦ୍ରାଙ୍କ ସୁରକ୍ଷା ଲାଗି ପହଞ୍ଚିଲା । ଏଠାରେ ଉପସ୍ଥିତ ଲୋକଙ୍କ ଭିଡକୁ ହଟାଇ ଭଦ୍ରାଙ୍କ ଯିବା ରାସ୍ତାକୁ ଖାଲି କରିଥିଲା ପୋଲିସ ।
ସୂଚନା ଅନୁସାରେ ମୁମ୍ବା ମନ୍ଦିରରେ ଭଦ୍ରା ଶୁକ୍ରବାର ଦିନ 12ଟାବେଳେ ଦର୍ଶନ କରିବାକୁ ଯାଇଥିଲେ । ତାଙ୍କୁ ଦେଖିବା ଲାଗି ଲୋକଙ୍କ ଭିଡ ଜମିଲା । ଏହି ସମୟରେ ଭଦ୍ରା ଠାକୁରାଣୀଙ୍କୁ ଦର୍ଶନ କରି ମନ୍ତ୍ର ଉଚ୍ଚାରଣ କଲେ ଏବଂ ମନ୍ଦିର ପରିସରରେ ବୁଲିଲେ । ଭଦ୍ରା ଯେତେବେଳେ ମନ୍ଦିର ଦର୍ଶନ ସାରି ବାହାରକୁ ବାହାରିଲେ, ସେହି ସମୟରେ ପ୍ରବଳ ମୋଦି-ମୋଦିର ନାରା ଶୁଣିବାକୁ ମିଳିଲା । ସେଠାରେ ଉପସ୍ଥିତ ଗଣମାଧ୍ୟମ ଉକ୍ତ ଲୋକଙ୍କୁ ଏପରି ନାରା ଦେବାର କାରଣ ପଚାରିଥିଲେ । ସେମାନେ କହିଲେ ଦେଶରେ ଆଉ ଥରେ ମୋଦି ସରକାର ଦରକାର । ତେଣୁ ଏପରି ନାରା ଦିଆଯାଉଛି ।
ମନ୍ଦିର ବାହାରେ ଠିଆ ହୋଇଥିବା ଉକ୍ତ ଭିଡକୁ ବିଜେପି ପକ୍ଷରୁ ପଠାଯାଇଛି କି ବୋଲି ପ୍ରଶ୍ନ କରାଯାଇଥିଲା । ସେମାନେ କହିଲେ ଆମେ ବିଜେପିର ସମର୍ଥକ । ଆମକୁ କେହି ପଠାଇନାହାଁନ୍ତି । ଆମ ଇଚ୍ଛାରୁ ଆମେ ମୋଦି ନାରା ଦେଉଛୁ ବୋଲି କହିଥିଲେ । ସେପଟେ ଉକ୍ତ ନାରାକୁ ନେଇ ଭଦ୍ରାଙ୍କୁ ପ୍ରଶ୍ନ କରାଯିବାରୁ ସେ କହିଲେ, ‘ପରିବାରଙ୍କ ସହ ମନ୍ଦିର ଆସିବାରୁ ବହୁତ ଖୁସି ଲାଗୁଛି । ମନ୍ଦିରରେ ରାଜନୈତିକ କଥା ଉଠାଇବା ଉଚିତ ନୁହେଁ । ’