୫ ବର୍ଷ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଥିବା ‘ମେକ୍ ଇନ୍ ଇଣ୍ଡିଆ’ କାର୍ଯ୍ୟକ୍ରମକୁ ଏକ ଅତି ଉଚ୍ଚାକାଂକ୍ଷୀ ଲକ୍ଷ୍ୟ ବୋଲି କୁହାଯାଉଥିଲା । କୋରୋନା ସଙ୍କଟ ପରିପ୍ରେକ୍ଷୀରେ ନିକଟରେ ପ୍ରଧାନମନ୍ତ୍ରୀଙ୍କ ‘ଆତ୍ମ ନିର୍ଭର ଭାରତ’ର ଆହ୍ୱାନ ବି ଏକ ଅବାସ୍ତବ ଓ ଅସାଧାରଣ ସ୍ୱପ୍ନ ପରି ମନେହେଉଛି, ଯାହା କି ପୂରଣ ହେବା ଅପେକ୍ଷାରେ ରହିଛି । ଆତ୍ମ ନିର୍ଭର ଭାରତ ଯୋଜନା ପାଇଁ କେନ୍ଦ୍ର ସରକାର ମାନ୍ୟୁଫାକ୍ଚରିଂ, ମେସିନାରୀ, ମୋବାଇଲ ଫୋନ-ଇଲେକ୍ଟ୍ରୋନିକ୍ସ, ରତ୍ନ-ଗହଣା, ଫାର୍ମାସିଟ୍ୟୁକାଲ, ବୟନ ଶିଳ୍ପ ଭଳି ୧୦ଟି ମୁଖ୍ୟ କ୍ଷେତ୍ର ଚିହ୍ନଟ କରିଛନ୍ତି । ଏହାଛଡା ଏୟାର କଣ୍ଡିସନର, କାଠ ନିର୍ମିତ ଆସବାବପତ୍ର, ଜୋତା ଭଳି ସାମଗ୍ରୀର ଘରୋଇ ନିର୍ମାଣକୁ ପ୍ରୋତ୍ସାହନ ଦେବା ପାଇଁ ୧ ଲକ୍ଷ ୨୫ ହଜାର କୋଟିର ପୁଞ୍ଜିନିବେଶ ପ୍ରସ୍ତାବ ଉପରେ ଗଭୀର ଭାବେ ବିଚାରବିମର୍ଷ କରୁଛନ୍ତି । ଇଲେକ୍ଟ୍ରୋନିକ୍ସ କ୍ଷେତ୍ରରେ ଚୀନର ପ୍ରାଧାନ୍ୟ ନିୟନ୍ତ୍ରଣ ପାଇଁ ମଧ୍ୟ ନୂଆ ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସରକାର । ସେମିକଣ୍ଡକ୍ଟର ଓ ମୋଡିଫାଏଡ୍ ଇଲେକଟ୍ରୋନିକ୍ସ ନିର୍ମାଣ ସହ ଘରୋଇ ଉତ୍ପାଦନ ବୃଦ୍ଧି ପାଇଁ ୫୦ ହଜାର କୋଟିର ପ୍ରକଳ୍ପ ଆରମ୍ଭ କରିଛନ୍ତି ସରକାର । ଭାରତକୁ ପ୍ରମୁଖ ମୋବାଇଲ କମ୍ପାନୀର ଗ୍ଲୋବାଲ ହବ୍ କରିବାକୁ ଏଭଳି ସମ୍ମାନଜନକ ପ୍ରକଳ୍ପର ଲକ୍ଷ୍ୟ । ଏହି ପ୍ରକଳ୍ପ ଦ୍ୱାରା ୫ ଦଶମିକ ୮୯ ଲକ୍ଷ କୋଟି ଟଙ୍କାର ରପ୍ତାନି ଧାର୍ଯ୍ୟ କରାଯିବା ସହ ୨୦ ଲକ୍ଷ କୋଟି କର୍ମନିଯୁକ୍ତି ସୃଷ୍ଟିର ଲକ୍ଷ୍ୟ ରହିଛି । ୨୦୧୨ର ଜାତୀୟ ଇଲେକ୍ଟ୍ରୋନିକ୍ସ ନୀତି –ଏନପିଇ ଭାରତର ଅର୍ଥନୈତିକ ସମ୍ଭାବନାକୁ ଉପଯୋଗ କରିପାରିଥିଲା । ଏହି ନୀତି ଦ୍ୱାରା ଭାରତରେ ୨୦୧୯ ଶେଷ ସୁଦ୍ଧା ୨ ଦଶମିକ ୧୪ ଲକ୍ଷ କୋଟି ମୂଲ୍ୟର ୩୩ କୋଟି ସ୍ମାର୍ଟଫୋନ୍ ଯନ୍ତ୍ରାଂଶ ନିର୍ମାଣ ହୋଇଥିଲା । କେବଳ ମୋବାଇଲ୍ ଫୋନ୍ ଯନ୍ତ୍ରାଂଶ ରପ୍ତାନି କରି ଭାରତ ୨୬ ହଜାର କୋଟି ଟଙ୍କା ପାଇଥିଲା । ୨୦୧୯ର ଜାତୀୟ ଇଲେକ୍ଟ୍ରୋନିକ୍ସ ନୀତି ଅନୁସାରେ ୧୩ ଲକ୍ଷ କୋଟି ଟଙ୍କାର ୧୦୦ କୋଟି ସ୍ମାର୍ଟଫୋନ୍ ନିର୍ମାଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା । ପ୍ରତିରକ୍ଷା ଭଳି ଷ୍ଟ୍ରାଟେଜିକ୍ ସେକ୍ଟରକୁ ଆତ୍ମ ନିର୍ଭରଶୀଳ କରିବା ପାଇଁ ଇଲେକ୍ଟ୍ରୋନିକ୍ସ ସେକ୍ଟର ଡ୍ରାଇଭିଂ ଫୋର୍ସ ହେବା ଜରୁରୀ ।
ପ୍ରତିବର୍ଷ ଇଲେକ୍ଟ୍ରୋନିକ୍ସ ଇଣ୍ଡଷ୍ଟ୍ରି ନୂଆ ନୂଆ ସଫଳତାର ଶିଖର ସ୍ପର୍ଶ କରୁଛି । ଅତ୍ୟାଧୁନିକ ଟେକ୍ନୋଲୋଜି ଯୋଗୁଁ ଏହା ସମ୍ଭବ ହୋଇପାରିଛି । ଗତବର୍ଷ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁସାରେ ଗ୍ଲୋବାଲ ଇଲେକ୍ଟ୍ରୋନିକ୍ସ ଇଣ୍ଡଷ୍ଟ୍ରିର କାରବାର ୧୩୬ ଲକ୍ଷ କୋଟି ଥିବା ବେଳେ ଭାରତର ଅଂଶ ଥିଲା ମାତ୍ର ୩ ଦଶମିକ ୩ ପ୍ରତିଶତ ( ୪ ଦଶମିକ ୫୬ ଲକ୍ଷ କୋଟି ଟଙ୍କା ) କୋରୋନା ମହାମାରୀ ଦୃଷ୍ଟିରୁ ବଡ ବଡ କମ୍ପାନୀଗୁଡିକ ଚୀନ ଉପରେ ନିଜର ଅଧିକ ନିର୍ଭରଶୀଳତାକୁ କମ୍ କରିବାକୁ ଚାହାନ୍ତି । (ଗ୍ଲୋବାଲ ଇଲେକଟ୍ରୋନିକ୍ସ ଓ ଇଲେକଟ୍ରୋନିକ୍ସ କମ୍ପୋନେଣ୍ଟର ୩୦ ପ୍ରତିଶତ ନିର୍ମାଣ କେବଳ ଚୀନ୍ରେ ହୋଇଥାଏ ) ମୋବାଇଲ ଫୋନ ନିର୍ମାଣ ଦୃଷ୍ଟିରୁ ଚୀନ ପରେ ଭାରତ ହେଉଛି ଦ୍ୱିତୀୟ ବଡ ଦେଶ । ୨୦୨୫ ସୁଦ୍ଧା ଭାରତ ଏ କ୍ଷେତ୍ରରେ ପ୍ରଥମ ସ୍ଥାନ ଚୀନଠାରୁ ଛଡାଇ ନେବା ଲକ୍ଷ୍ୟରେ ରହିଛି । ଜାତୀୟ ଇଲେକଟ୍ରୋନିକ୍ସ ନୀତି ଦ୍ୱାରା ଇଲେକଟ୍ରୋନିକ୍ସ ସିଷ୍ଟମ ଡିଜାଇନ୍ ଓ ମାନ୍ୟୁଫାକ୍ଚରିଂ-ଇଏସଡିଏମରେ ୨୦୨୫ ସୁଦ୍ଧା ବାର୍ଷିକ କାରବାର ୨୬ ଲକ୍ଷ କୋଟି ହେବ ବୋଲି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । କିନ୍ତୁ ଏହି ଲକ୍ଷ୍ୟ ହାସଲ କରିବାକୁ ହେଲେ କେତେଗୁଡିଏ ପ୍ରତିବନ୍ଧକ ହଟାଇବାକୁ ପଡିବ । ଖୋଦ୍ କେନ୍ଦ୍ର ମନ୍ତ୍ରୀ ମଧ୍ୟ ଏ କ୍ଷେତ୍ରରେ କିଛି ପ୍ରତିବନ୍ଧକ ଥିବା ସ୍ୱୀକାର କରିଛନ୍ତି । ଆବଶକୀୟ ଭିତ୍ତିଭୂମି ଓ ଗୁଣାତ୍ମକ ବିଦ୍ୟୁତ ଯୋଗାଣ ଭଳି ସମସ୍ୟା ରହିଛି । ଏହାଛଡା ଉଚ୍ଚ ସୁଧହାର, ଅବିକଶିତ ଦେଶୀୟ ମ୍ୟାନୁଫାକ୍ଚରିଂ ଶିଳ୍ପ, ଆର ଆଣ୍ଡ୍ ଡି ଓ ଡିଜାଇନ୍ କାପାସିଟିର ଅଭାବ ଭାରତକୁ ଅନ୍ୟ ଦେଶ ତୁଳନାରେ ବେଶ୍ ପଛରେ ପକାଇଛି । ଏସବୁ ବାସ୍ତବିକତା ସତ୍ତ୍ବେ କେବଳ ଆର୍ଥିକ ପ୍ୟାକେଜ ବଳରେ କେନ୍ଦ୍ର ସରକାର ଉଚ୍ଚମାନର ପ୍ରଦର୍ଶନ ପାଇଁ ଆଶା ରଖିଛନ୍ତି । ନ୍ୟାସନାଲ ପଲିସି ଫର୍ ଇଲେକଟ୍ରୋନିକ୍ସ –ଏନପିଇ ୨୦୧୯ରେ ଫାଇଭ ଜି, ଆଇଓଟି, ସେନସର, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ,ମେସିନ ଲର୍ଣ୍ଣିଂ, ଭର୍ଚୁଆଲ୍ ରିୟଲିଟି, ଡ୍ରୋନ, ରୋବୋଟିକ୍ସ ଓ ଫୋଟୋନିକ୍ସ କ୍ଷେତ୍ରରେ ଷ୍ଟାର୍ଟଅପ୍ ଓ ଉଦ୍ୟୋଗ ପ୍ରତି କ୍ଷେତ୍ରକୁ ପ୍ରୋତ୍ସାହନ ଦେବା ପାଇଁ ଲକ୍ଷ୍ୟ ରଖାଯାଇଛି । ଏଥିସହ ଚିପ ଡିଜାଇନ୍, ମେଡିକାଲ, ଅଟୋମୋଟିଭ ଓ ଇଲେକଟ୍ରିକାଲ୍ ସେକ୍ଟରର ସମ୍ପ୍ରସାରଣ ଉପରେ ଏନପିଇର ଫୋକସ ରହିଛି । ଏନପିଇର ଭିଜନ ସହ କେନ୍ଦ୍ର ସରକାରଙ୍କ ରଣନୀତି ମେଳ ଖାଇଲେ ହିଁ ବିକାଶର ଧାରା ତ୍ୱରାନ୍ୱିତ ହୋଇପାରିବ ।