ସଡକ ସୁରକ୍ଷା ସର୍ବଦା ଏକ ମୁଖ୍ୟ ପ୍ରସଙ୍ଗ ରହିଆସିଛି । ଜନସ୍ୱାସ୍ଥ୍ୟ ପାଇଁ ଏକ ଉଦବେଗ ପାଲଟିଛି ସଡକ ସୁରକ୍ଷା । ସାରାବିଶ୍ୱରେ ସଡକ ଦୁର୍ଘଟଣାରେ ପ୍ରତିବର୍ଷ ୧ ଦଶମିକ ୩୫ ମିଲିଅନ ଲୋକ ପ୍ରାଣ ହରାଇଥାନ୍ତି । ଆଉ ଭାରତରେ ପ୍ରତିବର୍ଷ ଦେଢ ଲକ୍ଷ ଲୋକ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଥାଆନ୍ତି । ପ୍ରତିଦିନ ୪ ଶହରୁ ଲୋକଙ୍କ ସଡକ ଦୁର୍ଘଟଣାରେ ମୃତ୍ୟୁ ଘଟେ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଆକଳନ ଅନୁସାରେ ବିଶ୍ୱରେ ପ୍ରତିବର୍ଷ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ମଧ୍ୟରୁ ୧୧ ପ୍ରତିଶତ ଭାରତର ହୋଇଥାଆନ୍ତି ।
ଜାତୀୟ ସଡକ ସୁରକ୍ଷା ମାସ ( ଜାନୁଆରୀ ୧୮ରୁ ଫେବ୍ରୁଆରୀ ୧୭ ) ଉଦଘାଟନ କରି ସଡକ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ ସଡକ ଦୁର୍ଘଟଣାଜନିତ ମୃତ୍ୟୁସଂଖ୍ୟା ହ୍ରାସ ଉପରେ ଗୁରୁତ୍ୱ ଦେଇଥିଲେ। ଭାରତରେ ପ୍ରତିଦିନ ୪୧୫ ଜଣ ଲୋକ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଥାଆନ୍ତି ବୋଲି ମନ୍ତ୍ରୀ ଗଡକରୀ କହିଥିଲେ । ବିଭାଗୀୟ ମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ, ସଡକରେ ମୃତ୍ୟୁ ସଂଖ୍ୟା ହ୍ରାସ ପାଇଁ ତ୍ୱରିତ ପଦକ୍ଷେପ ନେବାକୁ ପଡିବ । ୨୦୩୦ ଯାଏଁ ଯଦି ଆମେ ଅପେକ୍ଷା କରିବା, ତାହା ହେଲେ ସଡକ ଦୁର୍ଘଟଣାରେ ୬ରୁ ୭ ଲକ୍ଷ ଲୋକ ପ୍ରାଣ ହରାଇସାରିଥିଲେ । ୨୦୨୫ ପୂର୍ବରୁ ଆମ ଦେଶରେ ଦୁର୍ଘଟଣାଜନିତ ମୃତ୍ୟୁସଂଖ୍ୟା ୫୦ ପ୍ରତିଶତ ହ୍ରାସ କରିବା ଉପରେ ଗୁୁରୁତ୍ୱାରୋପ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଗଡକରୀ ।
୨୦୧୯ର ସଡକ ଦୁର୍ଘଟଣା ରିପୋର୍ଟ ଅନୁସାରେ ସେହି ବର୍ଷ ଭାରତରେ ୪ ଲକ୍ଷ ୪୯ ହଜାର ୨ଟି ଦୁର୍ଘଟଣା ଘଟିଥିଲା । ଆଉ ଏଥିରେ ୧ ଲକ୍ଷ ୫୧ ହଜାର ୧୧୩ ଲୋକଙ୍କ ପ୍ରାଣ ଯାଇଥିଲା । ୪ ଲକ୍ଷ ୫୧ ହଜାର ୩୬୧ ଜଣ ଆହତ ହୋଇଥିଲେ । ମୃତକଙ୍କ ମଧ୍ୟରୁ ୮୪ ପ୍ରତିଶତ ହେଉଛନ୍ତି ୧୮ରୁ ୬୦ ବର୍ଷ ବୟସ୍କ ୱାର୍କିଂ ଏଜ୍ ଗ୍ରୁପ୍ର । ସଡକ ଦୁର୍ଘଟଣାରେ ପ୍ରାଣ ହରାଉଥିବା ଓ ଗୁରୁତର ଭାବେ ଆହତ ୫୪ ପ୍ରତିଶତ ଲୋକଙ୍କ ମଧ୍ୟରେ ପଦାତିକ, ସାଇକେଲ ଚାଳକ, ବାଇକ୍ ଚାଳକ ରହିଛନ୍ତି । ସଡକ ସୁରକ୍ଷା ପାଇଁ ବର୍ଷ ବର୍ଷ ଧରି କାମ କରିଆସୁଥିବା ନାଗରିକ ସଂଗଠନ କଂଜ୍ୟୁମର ଭଏସର ସିଓଓ ଅସୀମ ସାନ୍ୟାଲଙ୍କ ମତରେ ସରକାର ପ୍ରତି ଚାରି ମିନିଟରେ ଆମ ଦେଶରେ ସଡକ ଦୁର୍ଘଟଣାଜନିତ ମୃତ୍ୟୁ ହୁଏ । ସଡକ ସୁରକ୍ଷା ଓ ଦୁର୍ଘଟଣା ନିୟନ୍ତ୍ରଣ ଉଭୟ ସରକାର ଓ ନାଗରିକଙ୍କ ମିଳିତ ଦାୟିତ୍ୱ ବୋଲି ସାନ୍ୟାଲ କହିଛନ୍ତି । ଏ ଦିଗରେ ପ୍ରତିଟି ଛୋଟ ବଡ
ପଦକ୍ଷେପ ଗୁରୁତ୍ୱ ରଖେ ବୋଲି ସାନ୍ୟାଲ କହିଛନ୍ତି । କାରଣ ପ୍ରତିଟି ଜୀବନ ଅତି ମୂଲ୍ୟବାନ । ବିଭିନ୍ନ ରିସ୍କ ଫ୍ୟାକ୍ଟର ହେଲମେଟ ଦୁଇ ଚକିଆ ମୋଟର ଯାନ ଚଳାଇବା ବେଳେ ହେଲମେଟ ନ ପିନ୍ଧିବା ଯୋଗୁଁ ୨୦୧୯ରେ ୪୪ ହଜାର ୬୬୬ ଜଣଙ୍କର ମୃତ୍ୟୁ ହୋଇଥିଲା , ଯାହା କି ମୋଟ ସଡକ ଦୁର୍ଘଟଣାଜନିତ ମୃତ୍ୟୁସଂଖ୍ୟାର ୨୯ ଦଶମିକ ୮୨ ପ୍ରତିଶତ । ମନ୍ତ୍ରାଳୟର ତଥ୍ୟ ଅନୁସାରେ ୨୦୧୯ରେ ୩୦ ହଜାର ୧୪୮ ଦୁଇ ଚକିଆ ମୋଟର ଯାନ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିଲା । ମୁଣ୍ଡରେ ଆଘାତ ସଡକ ଦୁର୍ଘଟଣାଜନିତ ମୃତ୍ୟୁର ପ୍ରମୁଖ କାରଣ ହୋଇଥାଏ । ଏଥିଯୋଗୁଁ ଅନେକ ଆହତ ବି ହୋଇଥାଆନ୍ତି । ବହୁ ସଂଖ୍ୟାରେ ବାଇକରମାନେ ହେଲମେଟ ପିନ୍ଧି ନ ଥାନ୍ତି । ଆଉ ଯେଉଁମାନେ ବି ହେଲମେଟ ପିନ୍ଧିଥାନ୍ତି, ଅଧିକାଂଶ ହେଲମେଟ ନିମ୍ନମାନର ହୋଇଥାଏ। ଗୁଣାତ୍ମକ ମାନର ହେଲମେଟ ପିନ୍ଧିଲେ ଦୁର୍ଘଟଣାଜନିତ ଆଘାତର ତୀବ୍ରତା ହ୍ରାସ କରିହେବ ।
ଓଭର ସ୍ପିଡିଂ
ଓଭର ସ୍ପିଡିଂ ହେଉଛି ସଡକ ଦୁର୍ଘଟଣାର ଆଉ ଏକ ପ୍ରମୁଖ କାରଣ । ୫୦ ମିଲିଅନ ଜନସଂଖ୍ୟା ବିଶିଷ୍ଟ ସହରଗୁଡିକରେ ଓଭରସ୍ପିଡିଂ ଏକ ମୁଖ୍ୟ ସମସ୍ୟା । ମୋଟ ସଡକ ଦୁର୍ଘଟଣାର ୬୪ ଦଶମିକ ୫ ପ୍ରତିଶତ ହେଉଛି ଓଭର ସ୍ପିଡିଂ । କେନ୍ଦ୍ରୀୟ ରିପୋର୍ଟ ଅନୁସାରେ ସବୁ ସଡକ ଦୁର୍ଘଟଣାର ହାରାହାରି ୭୧ ଦଶମିକ ୬ ପ୍ରତିଶତ କାରଣ ହେଉଛି ଓଭର ସ୍ପିଡିଂ । ୨୦୧୯ରେ ୪୪ ହଜାର ୩୫୮ଟି ଦୁର୍ଘଟଣା ଏମିତି ଥିଲା, ଯେଉଁଥିରେ କି ଡ୍ରାଇଭରମାନଙ୍କ ବୈଧ ଡ୍ରାଇଭିଂ ଲାଇସେନ୍ସ ନ ଥିଲା । ୨୦୧୮ରେ ଏହି ସଂଖ୍ୟାଥିଲା ୩୭ ହଜାର ୫୮୫ ।
ସିଟ୍ ବେଲ୍ଟ
ନିରାପଦ ଡ୍ରାଇଭିଂ ପାଇଁ କାର୍ ଭଳି ଯାନବାହନରେ ସିଟ୍ବେଲଟ୍ ଏକ ସୁରକ୍ଷିତ ଡିଭାଇସ୍ । ଉଭୟ ଡ୍ରାଇଭର ଓ ଅନ୍ୟ ଯାତ୍ରୀଙ୍କ ପାଇଁ ସିଟ୍ ବେଲ୍ଟ ପିନ୍ଧିବା ବାଧ୍ୟତାମୂଳକ । କାରଗୁଡିକରେ ସୁରକ୍ଷା ପାଇଁ ଏୟାରବ୍ୟାଗ ବ୍ୟବସ୍ଥା ତ ରହିଛି । କିନ୍ତୁ ସିଟବେଲ୍ଟ ନ ପିନ୍ଧିରେ ଏହା ପ୍ରଭାବହୀନ । ୨୦୧୯ରେ ୨୦ ହଜାର ୮୮୫ଟି ସଡକ ଦୁର୍ଘଟଣାଜନିତ ମୃତ୍ୟୁ ସିଟ୍ ବେଲଟ୍ ନ ପିନ୍ଧିବା ସହ ସଂପୃକ୍ତ ଥିଲା । ୯ ହଜାର ୫୬୨ ଜଣ ଡ୍ରାଇଭର ଓ ୧୧ ହଜାର ୩୨୩ ଜଣ ଯାତ୍ରୀ ସିଟ୍ ବେଲ୍ଟ ପିନ୍ଧି ନ ଥିଲେ।
ମଦ ପିଇ ଗାଡି ଚଳାଇବା
୨୦୧୯ରେ ରଙ୍ଗ୍ ସାଇଡ୍ ଡ୍ରାଇଭିଂ ଯୋଗୁଁ ହୋଇଥିବା ସଡକ ଦୁର୍ଘଟଣାରେ ୯ ହାର ୨ ଶହ ଲୋକଙ୍କ ଜୀବନ ଯାଇଥିଲା । ଏକ ଚତୁର୍ଥାଂଶ ଦୁର୍ଘଟଣା ( ୨ ହଜାର ୭୨୬ ) ଜାତୀୟ ରାଜପଥଗୁଡିକରେ ହୋଇଛି । ମଦ ପିଇ ଗାଡିଚାଳନା ଯୋଗୁଁ ୨୦୧୯ରେ ଜାତୀୟ ରାଜପଥଗୁଡିକରେ ଘଟିଥିବା ଦୁର୍ଘଟଣାରେ ୨ ହଜାର ୩୭୬ ଜଣ ପ୍ରାଣ ହରାଇଥିଲେ ।
ମୋବାଇଲ ଫୋନ୍ର ବ୍ୟବହାର
ଡ୍ରାଇଭିଂ ବେଳେ ଚାଳକ ମୋବାଇଲ ଫୋନରେ କଥାହେଲେ ରାସ୍ତା ଉପରୁ ଧ୍ୟାନ ହଟିଯାଇଥାଏ । ଏଥିପାଇଁ ଦୁର୍ଘଟଣାର ସମ୍ମୁଖୀନ ହୋଇଥାଏ। ମଦପିଇ ଗାଡି ଚଳାଇବା, ରେଡ୍ ଲାଇଟ ଜମ୍ପ୍ କରିବା ଓ ମୋବାଇଲ ଫୋନ ବ୍ୟବହାର କରିବା ଦ୍ୱାରା ଘଟୁଥିବା ଦୁର୍ଘଟଣା ମୋଟ ସଡକ ଦୁର୍ଘଟଣାର ୬ ପ୍ରତିଶତ ହୋଇଥାଏ । ଆଉ ସଡକ ଦୁର୍ଘଟଣାଜନିତ ମୃତ୍ୟୁସଂଖ୍ୟାର ଏହା ୮ ପ୍ରତିଶତ ।
ସଡକ ସୁରକ୍ଷା : କ’ଣ କରିବେ,କ’ଣ କରିବ ନାହିଁ
. ସର୍ବଦା ପାଦଚଲା ଲୋକ ଓ ଶିଶୁଙ୍କୁ ଆଗ ଯିବାକୁ ଦିଅନ୍ତୁ
. ସବୁ ଲ୍ୟାମ୍ପ୍ ଯେମିତି ଭଲ ସ୍ଥିତିରେ ରହିବ,ତାହା ନିଶ୍ଚିତ କରନ୍ତୁ
. ରାଜପଥରେ ପାର୍କିଂ ବେଳେ ହାଜାର୍ଡ ଲ୍ୟାମ୍ପ୍ ସ୍ୱିଚ୍ ଅଫ୍ କରିବା ଉଚିତ
. ଭେଇକିଲର ପଛପଟେ ରିଫ୍ଲେକ୍ଟର ବ୍ୟବହାର ହେବା ଉଚିତ ନୁହେଁ
. ବ୍ରେକ୍ ଓ ଟାୟରର ମାନ ସହ କୌଣସି ସାଲିସ ହେବା ଉଚିତ ନୁହେଁ
. ଟ୍ରାଫିକ ନିୟମ ମାନନ୍ତୁ
. ଡ୍ରାଇଭରଙ୍କୁ ଯଥେଷ୍ଟ ବିଶ୍ରାମ ଦିଆଯିବା ଉଚିତ
. ତରବରିଆ ହୁଅନ୍ତୁ ନାହିଁ । ସେଫ୍ ରୁଟରେ ଯାତ୍ରା କରନ୍ତୁ
. ସବୁବେଳେ ସିଟ୍ ବେଲ୍ଟ ପିନ୍ଧନ୍ତୁ
. କୁହୁଡିରେ ଗାଡି ଚଳାନ୍ତୁ ନାହିଁ । ପ୍ରତିକୂଳ ପାଗରେ ଗାଡି ଚାଳନାକୁ ଦୂରେଇ ରହନ୍ତୁ
. ସବୁବେଳ ସତର୍କ ସଂକେତକୁ ପଢନ୍ତୁ ।