ରାଞ୍ଚି: ସଡକ ସୁରକ୍ଷା ଜୀବନ ରକ୍ଷା, ଦ୍ରୁତ ଗତି ମହା ବିପତ୍ତି। ଏହି ଉକ୍ତିଟି ସିନା ସମସ୍ତଙ୍କ ମନରେ ଥାଏ ହେଲେ ଏହାକୁ ପାଳନ କରିବା କଥା କେହି ଭାବନ୍ତିନାହିଁ। ଯାହାଫଳରେ କେବଳ ଏକ ସଡକ ଦୁର୍ଘଟଣାରେ ବହୁ ଧନଜୀବନ ନଷ୍ଟ ହେବାର ଅନେକ ଖବର ସାମ୍ନାକୁ ଆସିଛି। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଛତିଶଗଡର ରାମଗଡ ଠାରେ।
ସୂଚନା ଅନୁସାରେ, ରାମଗଡ ଅନ୍ତର୍ଗତ ଚେଟୁପାଲୁ ଅଞ୍ଚଳରେ ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ସମସ୍ତଙ୍କ ହୋସ ଉଡାଇଦେଇଛି। ଏହି ଅଞ୍ଚଳରେ ଦେଖିବାକୁ ମିଳିଛି ଏକ ସିରିଜ ଦୁର୍ଘଟଣା। ଯେଉଁଠାରେ 3 ଟି ଟ୍ରଲର, 2ଟି ଟ୍ରକ ଓ ଗୋଟିଏ ଟ୍ରେକର ଧକ୍କା ହେବାରୁ ଏଥିରେ 5 ଜଣଙ୍କ ଅକାଳ ମୃତ୍ୟୁ ହୋଇଛି।
ରାଞ୍ଚି-ପାଟନା ଏନଏଚ 33ରେ ପ୍ରଥମରୁ ଏକ ଟ୍ରକ ଦୁର୍ଘଟଣାର ଶିକାର ହୋଇଥିଲା। ଏହି କ୍ରମରେ ଦ୍ରୁତ ଗତିରେ ଅନ୍ୟଗାଡି ଗୁଡିକ ଆସି ପରସ୍ପରକୁ ଧକ୍କା ଦେଇଥିଲେ। କେହି କିଛି ବୁଝିବା ଆଗରୁ ସେଠାରେ 5 ଜଣଙ୍କର ମୃତ୍ୟୁ ହୋଇଥିଲା। ତେବେ 10ରୁ ଅଧିକ ଲୋକ ଗୁରୁତର ଆହତ ହୋଇଥିବାରୁ ମୃତ୍ୟୁ ସଂଖ୍ୟା ବଢିବା ନେଇ ଆଶଙ୍କା କରାଯାଉଛି।
ତେବେ ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ବେଳେ ଘଟଣାର ତଦନ୍ତ ଆରମ୍ଭ କରିଛି।