ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରରେ ଧାରା 371 ଲାଗୁ କରିବା ସମ୍ବନ୍ଧୀୟ ଖବରକୁ ଗୃହ ମନ୍ତ୍ରାଳୟ ପକ୍ଷରୁ ଖାରଜ କରାଯାଇଛି । ଧାରା 371 ଅଧୀନରେ କେତେକ ରାଜ୍ୟକୁ କିଛି ସ୍ବତନ୍ତ୍ର ଅଧିକାର ମିଳିଛି । ତେବେ ଏହି ସ୍ବତନ୍ତ୍ର ଅଧିକାର ଜମ୍ମୁ-କାଶ୍ମୀରରେ ଲାଗୁ କରିବା ପାଇଁ ଗୃହମନ୍ତ୍ରାଳୟ ପ୍ରସ୍ତାବ ଦେଇଥିବା କିଛି ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଥିଲା । ଯାହାକୁ ସମ୍ପୂର୍ଣ୍ଣ ଭୁଲ ଏବଂ ନିରାଧାର ବୋଲି ଶନିବାର ଗୃହମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।
ଗୃହମନ୍ତ୍ରାଳୟ ପକ୍ଷରୁ ଜମ୍ମୁ-କାଶ୍ମୀରରେ ଧାରା 371 ଲାଗୁ କରିବା ନେଇ ନିଷ୍ପତ୍ତି ନିଆଯାଇଛି। ଏଥିପାଇଁ ଜମ୍ମୁ-କାଶ୍ମୀରର ଆଇନ ବିଭାଗ ସହ ଆଲୋଚନା ମଧ୍ୟ ହୋଇଥିବା କିଛି ଗଣମାଧ୍ୟମ ସଂସ୍ଥା ଦାବି କରିଥିଲେ । ଏହା ସହିତ ସରକାର ଲଦାଖରେ ମଧ୍ୟ ଧାରା 371 ଲାଗୁ କରିବେ ବୋଲି ରିପୋର୍ଟରେ କୁହାଯାଇଥିଲା । ଏବେ ଏହି ରିପୋର୍ଟକୁ ଗୃହ ମନ୍ତ୍ରାଳୟ ପକ୍ଷରୁ ଖଣ୍ଡନ କରିବା ସହ ସେଥିରେ କୌଣସି ସତ୍ୟତା ନଥିବା ସଫେଇ ଦିଆଯାଇଛି ।
1947 ମସିହାରେ ସମ୍ବିଧାନର 32ତମ ସଂଶୋଧନରେ ଅନୁଚ୍ଛେଦ 371କୁ ସାମିଲ କରାଯାଇଥିଲା । ଧାରା 371 ଗୁଜୁରାଟ, ନାଗାଲାଣ୍ଡ, ଆସାମ, ମହାରାଷ୍ଟ୍ର, ଆନ୍ଧ୍ର ପ୍ରଦେଶ, ଗୋଆ, ଅରୁଣାଚଳ ପ୍ରଦେଶ, କର୍ଣ୍ଣାଟକ ସମେତ 10 ରାଜ୍ୟରେ ଲାଗୁ କରାଯାଇଛି । ଧାରା 371 ଅଧିନରେ ଏହି ସବୁ ରାଜ୍ୟ ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା ରହିଛି । ଏହି ସ୍ଵତନ୍ତ୍ର ବ୍ୟବସ୍ଥା ରାଜ୍ୟଗୁଡିକର ଆବଶ୍ୟକତା ହିସାବରେ ଭିନ୍ନ ଭିନ୍ନ ରହିଛି ।