ନୂଆଦିଲ୍ଲୀ: 2020-21 ଆର୍ଥିକ ବର୍ଷ ପାଇଁ ସଂସଦରେ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ମୋଦି ସରକାରଙ୍କ ଦ୍ବିତୀୟ ବଜେଟକୁ ନେଇ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଆସୁଛି । ବିରୋଧି ଦଳ ଏହାକୁ ନେଇ ସମାଲୋଚନା କରିଥିବା ବେଳେ ଶାସକ ଦଳର ନେତା ଏହାକୁ ସମର୍ଥନ କରିଛନ୍ତି ।
କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ବଜେଟକୁ ସମର୍ଥନ କରି କହିଛନ୍ତି, 'ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଟିକସ କମ କରି ସାଧାରଣବର୍ଗର ଲୋକଙ୍କୁ ଉପହାର ଦେଇଛନ୍ତି । ଏଥିପାଇଁ ପ୍ରଧାନମନ୍ତ୍ରୀ ମୋଦି ଏବଂ ନିର୍ମଳା ସୀତାରମଣଙ୍କୁ ଧନ୍ୟବାଦ। '
ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଐତିହାସିକ ବଜେଟ ଉପସ୍ଥାପନ କରିଥିବାରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଧନ୍ୟବାଦ ଦେଇଛନ୍ତି । ସେ କହିଛନ୍ତି, ‘ଏହି ବଜେଟ ସବକା ସାଥ, ସବକା ବିକାଶ ଭାବନାକୁ ସାକାର କରିବ। ସବୁବର୍ଗର ଲୋକଙ୍କୁ ଏହା ଆଶ୍ବସ୍ତି ଦେବ। ’
ସେପଟେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ବଜେଟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହି ବଜେଟ ଉନ୍ନତି ମୂଳକ ଓ କୃଷକଙ୍କୁ ସୁହାଇବା ଭଳି ହୋଇଥିବା ଯୋଗୀ କହିଛନ୍ତି । ଏଥିରେ ଦେଶର ଆର୍ଥିକ ସ୍ଥିତି ମଜବୁତ ହେବ ବୋଲି ସେ କହିଛନ୍ତି । ଏହି ବଜେଟ ଦେଶର ଆବଶ୍ୟକତା ଅନୂରୂପ ଦେଶର ଆର୍ଥ ବ୍ୟବସ୍ଥାକୁ ମଜବୁତ କରିବା ସହ ପ୍ରତ୍ୟକ ନାଗରିକଙ୍କ ଆଶା ଓ ଆକାଂକ୍ଷାକୁ ପୁରା କରିବାର ମାଧ୍ୟମ ହେବ ବୋଲି ଯୋଗୀ ପ୍ରତିକ୍ରିୟା ଦେଇଛନ୍ତି ।