ନୂଆଦିଲ୍ଲୀ: ଜେଲର ଚାରି କାନ୍ଥ ଭିତରେ ଅଭାବନୀୟ ଘଟଣା ଘଟିଛି । ଦେଶର ସବୁଠୁ ବଡ଼ ଓ ସୁରକ୍ଷିତ ଜେଲ୍ କୁହାଯାଉଥିବା ଦିଲ୍ଲୀର ତିହାର ଜେଲ ଭିତରେ ହତ୍ୟାକାଣ୍ଡ । ଜେଲରେ ସଜା କାଟୁଥିବା କଏଦୀ ଜାକିର ଆଉ ଜଣେ କଏଦୀ ମେହତବକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ହତ୍ୟା କରିଛି।
ମେହତବ ଜାକିରର ଭଉଣୀକୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ଏହି ଜେଲରେ ସଜା କାଟୁଥିଲା। ଦୁଷ୍କର୍ମର ଶିକାର ହେବା ପରେ ପୀଡ଼ିତା ଜଣଙ୍କ ଆତ୍ମହତ୍ୟା କରିଥିଲେ ବୋଲି ତିହାର ପୁଲିସ କହିଛି ।
ଜାକିର ଆଉ ଏକ ଜେଲରେ ଥିଲା। ନିକଟରେ ସେ ଜେଲର ଗ୍ରାଉଣ୍ଡ ଫ୍ଲୋରରେ ଥିବା 4ଏ ଓ୍ୱାର୍ଡକୁ ସ୍ଥାନାନ୍ତର ହୋଇଥିଲା। ତେବେ ମେହତବ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଏହି ଜେଲରେ ରହୁଥିଲା। ଜାକିର ପୂର୍ବ ଜେଲରେ ସହଯୋଗୀଙ୍କ ସହ ଗଣ୍ଡଗୋଳ କରିବାରୁ ଏହି ଜେଲକୁ ସ୍ଥାନାନ୍ତର ହୋଇଥିଲା।
ତେବେ ଜାକିର ଦୀର୍ଘ ଦିନ ହେବ ପ୍ରତିଶୋଧ ନେବ ବୋଲି ଯୋଜନା କରୁଥିଲା ବୋଲି ପୁଲିସ ଏବେ ଜାଣିବାକୁ ପାଇଛି। ସୋମବାର ସକାଳେ ସମସ୍ତ କଏଦୀ ପ୍ରାର୍ଥନା ପାଇଁ ଏକାଠି ହେଉଥିଲେ। ସେହି ସମୟରେ ଜାକିର ଉପର ମହଲାକୁ ଯାଇ ମେହତବକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ହତ୍ୟା କରିଥିବା ସୂଚନା ରହିଛି।