ଜୟପୁର: ଲକଡାଉନରେ ବେଆଇନ ମଦ କାରାବାର ଦ୍ବିଗୁଣିତ ହୋଇଛି । ମଦ ବେପାରଙ୍କ ପାଇଁ ପାଲଟିଛି ସ୍ବରୋଜଗାର ଯୋଜନା । ଏପରିକି ରୋଜଗାର କରିବା ପାଇଁ ଏହା ଉତ୍ତମ ସମୟ ମିଳିଛି । ତେଣୁ ରାଜ୍ୟରେ ମଦ ଦୋକାନ ଖୋଲିବାକୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ଚିଠି ଲେଖି ଜଣାଇଛନ୍ତି କୋଟାର ସଙ୍ଗୋଦ ବିଧାନସଭାର ବିଧାୟକ ।

ବର୍ତ୍ତମାନ ସମୟରେ ମଦ କାରବାର ବଢିଛି । ଲକଡାଉନ ଯୋଗୁଁ ସରକାର ବହୁ ରାଜସ୍ବ ହରାଇଛନ୍ତି । ଯଦି ମଦ ଦୋକାନ ଖୋଲାଯାଏ ତେବେ ସରକାର ଏଥିରୁ କିଛି ରାଜସ୍ବ ପାଇପାରିବେ । ସେପଟେ, ନିଶାଗ୍ରସ୍ତ ବ୍ୟକ୍ତିଙ୍କ ପାଇଁ ମଦ ଦୋକାନ ବନ୍ଦ ରହିବା ତାଙ୍କ ସ୍ବାସ୍ଥ୍ୟ ପ୍ରତି ଠିକ ନୁହେଁ ବୋଲି ମଧ୍ୟ ବିଧାୟକ ଜଣକ କହିଛନ୍ତି ।
ଏହା ସହ ସେ କହିଛନ୍ତି, ଆଲକହଲ ଯୁକ୍ତ ସାନିଟାଇଜ ଦ୍ବାରା ହାତ ଧୋଇଲେ ଯେମିତି କୋରୋନା ଭାଇରସ ବ୍ୟାପିନଥାଏ, ଠିକ ସେହିପରି ମଦ ପିଇଲେ ଗଳାରୁ ମଧ୍ୟ ସମସ୍ତ ଭାଇରସ ଶେଷ ହୋଇଯିବେ । ସୂଚନାଯୋଗ୍ୟ, ଲକଡାଉନ ପାଇଁ ରାଜସ୍ଥାନରେ ମଦର ମୂଲ୍ୟ ବଢାଇ ଦେଇଛନ୍ତି । ମଦ ବିକ୍ରି କରିବା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ।