ଜୟପୁର: ଲୋକଙ୍କ ସୁଖ ଦୁଃଖ ଅଭାବ ଅସୁବିଧା ବେଳେ ସେମାନଙ୍କ ପାଖରେ ରହି ଆବଶ୍ୟକ ସହାୟତା କରିବା ବଦଳରେ ଦିନକୁ ଷାଠିଏ ବ୍ୟଞ୍ଜନର ମଜା ନେଉଛନ୍ତି ଲୋକ ପ୍ରତିନିଧି । ଏହାସହ ଏହି ରାଜଭୋଗ କୁ ଆଉ ଟିକେ ରୋମାଞ୍ଚିତ କରିବା ପାଇଁ ପଞ୍ଚତାରକା ହୋଟେଲରେ ଆୟୋଜନ ହେଉଛି ନୃତ୍ୟ ଗୀତ ମନରୋଞ୍ଜନର ଆସର । ଆଉ ସମସ୍ତ ବ୍ୟବସ୍ଥାକୁ ଏକାକାର ହୋଇ ଉପଭୋଗ କରୁଛନ୍ତି ବିଧାୟକ ଗୋଷ୍ଠୀ ।
ଏ ଭିଡିଓ ହେଉଛି ରାଜସ୍ଥାନ ରାଜନୀତିର କଥା । ରାଜ୍ୟରେ ଚାଲିଛି କଂଗ୍ରେସ ସରକାର । ଆଉ ଦଳର ଅନ୍ତକନ୍ଦଳ ପାଇଁ ଏବେ ସମସ୍ୟା ଭୋଗୁଛନ୍ତି ରାଜ୍ୟର 8 କୋଟି ଜନତା । କଂଗ୍ରେସର 2 ଗୋଷ୍ଠୀ ମଧ୍ୟରେ କ୍ଷମତା ବିବାଦ ପାଇଁ ଏବେ ବିଧାୟକ ଗୃହବନ୍ଦୀ । ମୁଖ୍ୟମନ୍ତ୍ରୀ ସରକାର ଓ ଗାଦି ବଞ୍ଚାଇବା ବ୍ୟତୀତ ସେଭଳି କୌଣସି କାର୍ଯ୍ୟ କରୁନାହାଁନ୍ତି ରାଜ୍ୟବାସୀଙ୍କ ପାଇଁ । କଂଗ୍ରେସର ସମସ୍ତ ବିଧାୟକ 2 ଭାଗରେ ବିଭକ୍ତ । ଉଭୟ ଗୋଷ୍ଠୀର ବିଧାୟକ ଦୀର୍ଘ ଏକ ମାସରୁ ଉର୍ଦ୍ଧ୍ବ ହେଲା ପଞ୍ଚତାରକା ହୋଟେଲରେ । ମୁଖ୍ୟମନ୍ତ୍ରୀ ସରକାର କିଭଳି ବଞ୍ଚାଇବେ ଚଳାଇଛନ୍ତି ରଣନୀତି ।
ସେପଟେ ବିଧାୟକ ମଧ୍ୟ ବିନ୍ଦାସ । ରାଜ୍ୟରେ କୋରୋନା, ପଙ୍ଗପାଳ, ଅଭାବୀ ବର୍ଷା, ସ୍ବାସ୍ଥ୍ୟ ସେବା, ଶିକ୍ଷା ଭଳି ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଏବେ ଠପ । ରାଜ୍ୟ ପ୍ରଶାସନିକ କଳ ଏକ ପ୍ରକାର ଅଚଳ । ଲୋକେ ଭୋଗୁଛନ୍ତି ସମସ୍ୟା ।
ଅନ୍ୟପଟେ ବିଜେପି ମଧ୍ୟ ସବୁ ଦେଖି ଚୁପ । ଯଦିଓ ଦଳୀୟ ବିଧାୟକ ନିଜ ନିଜ ନିର୍ବାଚନ ମଣ୍ଡଳୀର ଅଛନ୍ତି । ତଥାପି ସ୍ଥିତିରୁ କିଭଳି ରାଜନୈତିକ ଫାଇଦା ନେବ ଦଳ ସେ ଲକ୍ଷ୍ୟରେ ରହିଛି । ଉଭୟ ଦଳ ରାଜ୍ୟବାସୀଙ୍କୁ ଭଗବାନ ଭରଷାରେ ଛାଡିଦେଇ ନିଜ ନିଜ ରାଜନୈତିକ ଲଢେଇରେ ମାତିଛନ୍ତି । ଲୋକପ୍ରତିନିଧିଙ୍କ ଏହି ସବୁ କାରନାମା ରାଜ୍ୟବାସୀ ଅତି ନିକଟରୁ ଦେଖୁଛନ୍ତି ଓ ପରଖୁଛନ୍ତି । ସମୟ ଆସିଲେ ସେମାନେ ବିଚାର କରିବେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ