ଜୟପୁର: ରାଜସ୍ଥାନ ରାଜନୀତିର ଲାଗିଥିବା ନିଆଁର ତାତି କମିବାକୁ ନାଁ ନେଉନାହିଁ । ରାଜ୍ୟରେ ଆରୋପ ପ୍ରତ୍ୟାରୋପର ରାଜନୀତି ଜାରି ରହିଛି । ଏପରିସ୍ଥିତିରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ପୂନର୍ବାର ସଚିନ ପାଇଲଟଙ୍କୁ ଟାର୍ଗେଟ କରିଛନ୍ତି । ସଚିନ କଂଗ୍ରେସ ପିଠିରେ ଛୁରୀ ଭୁଷିବାର କାର୍ଯ୍ୟ କରିଥିବା କହିଛନ୍ତି ଅଶୋକ ।
ମୁଖ୍ୟମନ୍ତ୍ରୀ ଗେହଲଟ କହିଛନ୍ତି ଯେ ସଚିନଙ୍କୁ ଖୁବ ଅଳ୍ପ ବୟସରେ ସବୁକିଛି ମିଳିଯାଇଥିଲା । ଆମେ କେବେ ବି ତାଙ୍କୁ ପ୍ରଶ୍ନ କରିନାହୁଁ । ଦୀର୍ଘ 7 ବର୍ଷ ମଧ୍ୟରେ ରାଜସ୍ଥାନ ଏପରି ଏକ ରାଜ୍ୟ ଯେଉଁଠି ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ପରିବର୍ତ୍ତନ ପାଇଁ ଦାବି ଉଠିନାହିଁ । ଆମେ ଜାଣିଥିଲୁ ସେ ଅକର୍ମଣ୍ୟ ଥିଲେ । ତଥାପି ସମସ୍ତେ ତାଙ୍କୁ ସମ୍ମାନ ଜଣାଇଛନ୍ତି ।
ରାଜସ୍ଥାନର ରାଜନୈତିକ ଅସ୍ଥିରତାକୁ ନେଇ ବିଜେପି ବିରୋଧରେ ଅଭିଯୋଗ ଆଣିଛନ୍ତି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ । ସେ କହିଛନ୍ତି ଏହି ମାମଲାରେ ବଡ ବଡ କର୍ପୋରେଟ ଫଣ୍ଡିଂ କରୁଛନ୍ତି, କିନ୍ତୁ ଆମେ ଏସବୁ ଷଡଯନ୍ତ୍ରକୁ ବିଫଳ କରିଦେଇଛୁ । ସେ ଆହୁରି ମଧ୍ୟ କହିଛନ୍ତି ଯେ ରାଜସ୍ଥାନରେ ଗୁଣ୍ଡାଗର୍ଦ୍ଦି ଚାଲିଛି । ମନଇଚ୍ଛା ଚଢାଉ ହେଉଥିବା ସେ ଅଭିଯୋଗ କରିଛନ୍ତି ।