ଜୟପୁର: ଆଜି ଠାରୁ ରାଜସ୍ଥାନ ବିଧାନସଭା ଅଧିବେଶନ ଆରମ୍ଭ ହୋଇଯାଇଛି । ଗୃହ କାର୍ଯ୍ୟ ଆରମ୍ଭରୁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ବିଧାନସଭାରେ ଆସ୍ଥା ଭୋଟ ପ୍ରସ୍ତାବ ଆଗତ କରିଛନ୍ତି । ସେପଟେ ଅଧିବେଶନ ପୂର୍ବରୁ କଂଗ୍ରେସ ବିରୋଧରେ ନିଜ ବିଧାୟକମାନଙ୍କ ଉପରେ ହ୍ବିପ ଜାରି କରିଛି ବିଏସପି । ବିଜେପି ଅନାସ୍ଥା ପ୍ରସ୍ତାବ ଆଣିବା ପୂର୍ବରୁ କଂଗ୍ରେସ ଆସ୍ଥା ପ୍ରସ୍ତାବ ଆଗତ କରିଛି ।
ପୂର୍ବାହ୍ନ 11 ସମୟରେ ବିଧାନସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ବିଧାନସଭା ଅଧିବେଶନ ଆରମ୍ଭରେ ଗଲୱାନ ଘାଟିରେ ଶହୀଦ ହୋଇଥିବା 20 ଜଣ ସେନାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା।
ଜୟପୁରରେ ପ୍ରବଳ ବର୍ଷା ଯୋଗୁଁ ବିଧାୟକଙ୍କ ଗୋଟିଏ ବସ ପହଞ୍ଚିଛି ଓ ଅନ୍ୟ ବିଧାୟକମାନେ ଫସି ରହିଛନ୍ତି । ଯାହାକୁ ନେଇ ବାଚସ୍ପତି ଗୃହକୁ ମଧ୍ୟାହ୍ନ 1 ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି । କଂଗ୍ରେସ ନେତା ସଚିନ ପାଇଲଟ ବିଧାନସଭାରେ ପହଞ୍ଚି ସାରିଛନ୍ତି । ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ମଧ୍ୟ ପହଞ୍ଚିଛନ୍ତି । ବିଧାନସଭା ଆରମ୍ଭ ହେବା ପୂର୍ବରୁ ଅଶୋକ ଗେହଲଟ ଏକ ଟ୍ବିଟ କରିଥିଲେ, ଯେଉଁଥିରେ ସେ ସତ୍ୟର ଜିତ ହେବ ବୋଲି କହିଥିଲେ।