ନୂଆଦିଲ୍ଲୀ: ଜୁନ୍ 1ରୁ ଚାଲିବାକୁ ଥିବା 200ଟି ସ୍ବତନ୍ତ୍ର ଟ୍ରେନର ତାଲିକା ଭାରତୀୟ ରେଳ ବୁଧବାର ପ୍ରକାଶ କରିଛି । ସମ୍ପୂର୍ଣ୍ଣ ରିଜର୍ଭ ଟ୍ରେନ ଗୁଡିକ ଉଭୟ ଏସି ଓ ଅଣ-ଏସି ରହିବ । ଏହାସହ ଟ୍ରେନର ବୁକିଂ ମେ 21 (ଗୁରୁବାର)ଠାରୁ ଆରମ୍ଭ ହେବ ବୋଲି କହିଛି ଭାରତୀୟ ରେଳ ।
ଏହି ସ୍ବତନ୍ତ୍ର ଟ୍ରେନର ବୁକିଂ ଗୁରୁବାର 10 ଟା ଠାରୁ IRCTC ମାଧ୍ୟମରେ ଆରମ୍ଭ ହେବ । ଅଧିକାରୀ କହିଛନ୍ତି ଯେ କେବଳ ଅନଲାଇନ୍ ଇ-ଟିକେଟ୍ ଆଇଆରସିଟିସି ୱେବସାଇଟ୍ କିମ୍ବା ମୋବାଇଲ୍ ଆପ୍ ମାଧ୍ୟମରେ କରାଯିବ । ସେ କହିଛନ୍ତି, କୌଣସି ରେଳ ଷ୍ଟେସନରେ ସଂରକ୍ଷଣ କାଉଣ୍ଟରରେ କୌଣସି ଟିକେଟ୍ ବୁକ୍ କରାଯିବ ନାହିଁ । ରେଳ ମନ୍ତ୍ରଣାଳୟର ମୁଖପାତ୍ର ଏକ ବିବୃତ୍ତିରେ କହିଛନ୍ତି ଯେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏବଂ ଗୃହ ମନ୍ତ୍ରଣାଳୟର ପରାମର୍ଶ କ୍ରମେ ଭାରତୀୟ ରେଳ ଜୁନ 1 ତାରିଖରୁ ଟ୍ରେନ୍ ସେବା ଆଂଶିକ ଭାବେ ପୁଣି ଥରେ ଚଳାଚଳ ଆରମ୍ଭ କରିବ ।
ରେଳମନ୍ତ୍ରୀ ପୀୟୁଷ ଗୋୟଲ ଜୁନ୍ 1 ରୁ 200 ଟି ସ୍ବତନ୍ତ୍ର ଟ୍ରେନ୍ ଚଳାଇବାକୁ ଘୋଷଣା କରିବାର ଗୋଟିଏ ଦିନ ପରେ ଏହି ଘୋଷଣା କରାଯାଇଛି। ରେଳ ଅଧିକାରୀ କହିଛନ୍ତି ଯେ ସମସ୍ତ ଯାତ୍ରୀଙ୍କୁ ବାଧ୍ୟତାମୂଳକ ଭାବେ ପରୀକ୍ଷା କରାଯିବ ଏବଂ କେବଳ ଲକ୍ଷଣ ବିହୀନ ଯାତ୍ରୀଙ୍କୁ ଟ୍ରେନରେ ଯିବା ପାଇଁ ଅନୁମତି ଦିଆଯିବ ।
ଯାତ୍ରୀମାନଙ୍କୁ ଟ୍ରେନ ଛାଡିବାର 90 ମିନିଟ ପୂର୍ବରୁ ଷ୍ଟେସନରେ ପହଞ୍ଚିବା ଏବଂ ଫେସ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଇଥିଲା । ଏହି 200 ଟି ସ୍ବତନ୍ତ୍ର ଟ୍ରେନରେ ଯେ କୌଣସି ଯାତ୍ରୀ ଯାତ୍ରା କରିବା ପାଇଁ ଆରୋଗ୍ୟ ସେତୁ ଆପ୍ ବାଧ୍ୟତାମୂଳକ ଅଟେ ।
@IANS