ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ୱାୟନାଡର ସାଂସଦ ରାହୁଲ ଗାନ୍ଧୀ ଏକ ଭିଡିଓ ସିରିଜ୍ ‘ସତ୍ୟର ଯାତ୍ରା: ରାହୁଲ ଗାନ୍ଧୀଙ୍କ ସହ’ ଆରମ୍ଭ କରିଛନ୍ତି । ଏଥିରେ ଦେଶରେ ଥିବା ଚ୍ୟାଲେଞ୍ଜ ବିଷୟରେ ସେ ଲୋକଙ୍କୁ ଅବଗତ କରାଉଛନ୍ତି । ଏହି ସିରିଜର ତୃତୀୟ ଏପିସୋଡ୍ ଆଜି(ଗୁରୁବାର) ରିଲିଜ କରିଛନ୍ତି । ଏଥିରେ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ମୋଦି ନିଜର ଛବି ସଜାଡିବାରେ ବ୍ୟସ୍ତ ଅଛନ୍ତି ଓ ଭାରତର ସମସ୍ତ ଅନୁଷ୍ଠାନ ମଧ୍ୟ ଏହି କାର୍ଯ୍ୟରେ ଜଡିତ ।
ଚୀନ ସହିତ କାରବାର ବିଷୟରେ ରାହୁଲ ଗାନ୍ଧୀ କହିଛନ୍ତି ଯେ ଯଦି ଆପଣ ସେମାନଙ୍କ ସହ ମୁକାବିଲା କରିବାକୁ ଦୃଢ ସ୍ଥିତିରେ ଅଛନ୍ତି, ତେବେ ଯାଇ ଆପଣ କାମ କରିପାରିବେ। ସେମାନଙ୍କଠାରୁ ଆପଣ ତାହା ପାଇପାରିବେ ଯାହା ଆପଣ ଚାହାଁନ୍ତି । ଯଦି ଚୀନ ଆଉ ଦୁର୍ବଳତା ଧରି ଦେଲା ତେବେ ସବୁ ବିଗିଡି ଯିବ ।
ରାହୁଲ ଗାନ୍ଧୀ କହିଛନ୍ତି, ‘ଆପଣ କୌଣସି ଦୃଷ୍ଟିକୋଣ ବିନା ଚୀନ ସହିତ ମୁକାବିଲା କରିପାରିବେ ନାହିଁ। ମୁଁ କେବଳ ଜାତୀୟ ଦୃଷ୍ଟିକୋଣରୁ କହୁନାହିଁ, ଆନ୍ତର୍ଜାତୀୟ ଦୃଷ୍ଟିକୋଣରୁ କହୁଛି । ଭାରତ ନିଶ୍ଚିତ ଭାବରେ ଏକ ବିଶ୍ବସ୍ତରୀୟ ଦୃଷ୍ଟିକୋଣ ଗ୍ରହଣ କରିବ । ଭାରତକୁ ବର୍ତ୍ତମାନ ଏକ ବିଚାର ଗଠନ କରିବାକୁ ପଡିବ, ଯାହାକି ଏକ ବିଶ୍ବସ୍ତରୀୟ ଧାରଣା ହେବ ’।
ସେ ଏହା ମଧ୍ୟ କହିଛନ୍ତି ଯେ କେବଳ ବଡ ଆକାରରେ ଚିନ୍ତା କରି ଭାରତକୁ ସୁରକ୍ଷା କରାଯାଇପାରିବ। ଚୀନ ସହିତ ସୀମା ବିବାଦ ଅଛି ଓ ଆମକୁ ଏହାର ସମାଧାନ କରିବାକୁ ପଡିବ କିନ୍ତୁ ଆମକୁ ଆମର ମାର୍ଗ ପରିବର୍ତ୍ତନ କରିବାକୁ ପଡିବ । ଆମକୁ ଆମର ଚିନ୍ତାଧାରା ପରିବର୍ତ୍ତନ କରିବାକୁ ପଡିବ । ଆମେ ଦୁଇଟି ରାସ୍ତାରେ ଛିଡା ହୋଇଛୁ । ଯଦି ଆମେ ଗୋଟିଏ ପାର୍ଶ୍ବକୁ ଯିବା, ତେବେ ଆମେ ସଫଳତା ପାଇବୁ ଓ ଅନ୍ୟ ପଟେ ଆମେ ଅପ୍ରାସଙ୍ଗିକ ହୋଇଯିବା ।
ସେ କହିଛନ୍ତି ଯେ ମୁଁ ଚିନ୍ତିତ ଅଛି କାରଣ ଏକ ବଡ ସୁଯୋଗ ହାତଛଡା ହେଉଛି । ଭାରତୀୟମାନେ ସର୍ବଦା ନିଜ ମଧ୍ୟରେ ଲଢୁଛନ୍ତି। ପ୍ରଧାନମନ୍ତ୍ରୀ ମୋର ପ୍ରତିଦ୍ବନ୍ଦ୍ବୀ ଓ ତାଙ୍କୁ ପ୍ରଶ୍ନ ପଚାରିବା ମୋର ଦାୟିତ୍ବ । ପ୍ରଶ୍ନ କରିବା ଓ ପ୍ରଧାନମନ୍ତ୍ରୀଙ୍କ ଉପରେ ଚାପ ପକାଇବା ମୋର ଦାୟିତ୍ବ ଅଟେ । ମୁଁ ଦାବି ଦେଇ କହିପାରେ କି ଚୀନ ଭାରତ ମଧ୍ୟରେ ପ୍ରବେଶ କରିଛି ।
ସେ ଏହା ମଧ୍ୟ କହିଛନ୍ତି ଯେ, ଏକ ପ୍ରଭାବଶାଳୀ ରାଜନେତା ଭାବରେ ରହିବା ପାଇଁ ନିଜ 56 ଇଞ୍ଚର ଛାତି ବିଚାରର ରକ୍ଷା କରିବାକୁ ପଡିବ ବୋଲି ମୋଦି ଜାଣନ୍ତି । ଏବେ ପ୍ରଶ୍ନ ଉଠୁଛି ଯେ ମୋଦି ଏହାର କି ପ୍ରତିକ୍ରିୟା ଦେବେ ? ମୋଦି କଣ ଏହି ଚ୍ୟାଲେଞ୍ଜ ଗ୍ରହଣ କରିବେ ଆଉ କହିବେ ମତେ ମୋ ଛବି ବଞ୍ଚାଇବାର ନାହିଁ ନା ଆଗକୁ ଆଉ କିଛି କରିବେ ?
ଏହାପୂର୍ବରୁ ରାହୁଲ ଗାନ୍ଧୀ ତାଙ୍କ ଭିଡିଓ ସିରିଜର ଦ୍ବିତୀୟ ଏପିସୋଡରେ କହିଥିଲେ ଯେ କ୍ଷମତାକୁ ଆସିବା ପାଇଁ ପ୍ରଧାନମନ୍ତ୍ରୀ ଜଣେ ନକଲି ଶକ୍ତିଶାଳୀ ବ୍ୟକ୍ତିଙ୍କ ପ୍ରତିଛବି ସୃଷ୍ଟି କରିଛନ୍ତି। ଏହା ତାଙ୍କର ସବୁଠାରୁ ବଡ ଶକ୍ତି ଓ ବର୍ତ୍ତମାନ ଏହା ହେଉଛି ଭାରତର ସବୁଠାରୁ ବଡ ଦୁର୍ବଳତା । ଏହା କେବଳ ସୀମା ପ୍ରସଙ୍ଗ ନୁହେଁ ବୋଲି ରାହୁଲ ଗାନ୍ଧୀ କହିଥିଲେ।