ନୂଆଦିଲ୍ଲୀ: କୋରୋନା ଭାଇରସ ଦେଶରେ ଦିନକୁ ଦିନ ଆତଙ୍କ ସୃଷ୍ଟି କରୁଛି । ଅର୍ଥବ୍ୟବସ୍ଥାକୁ ଫେରାଇ ଆଣିବା ପାଇଁ ଅନଲକକୁ ଧିରେ ଧିରେ କୋହଳ ଦିଆଯାଉଥିବାରୁ ପ୍ରତିଦିନ ନୂଆ ମାମଲା ସାମ୍ନାକୁ ଆସୁଛି । ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ଏହି ମାମଲା ଏକ ଲକ୍ଷ ଅତିକ୍ରମ କରିସାରିଛି । ସେହିପରି ରାଜଧାନୀରେ ପ୍ରତ୍ୟେକ ଦିନ ନୂଆ ରେକର୍ଡ ଭାଙ୍ଗୁଛି । ଏଭଳି ପରିସ୍ଥିତିରେ ବିରୋଧୀମାନେ ସରକାରଙ୍କୁ ଟାର୍ଗେଟ କରିବାରେ ଲାଗିଛନ୍ତି ।
କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧି ଶୁକ୍ରବାର କୋରୋନା ସଙ୍କଟକୁ ନେଇ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି । ରାହୁଲ ଏକ ଟ୍ବିଟରେ କୋରୋନା ଗ୍ରାଫକୁ ସେୟାର କରି ଲେଖିଛନ୍ତି ଯେ, "ଭାରତ ଏକ ଭୁଲ ଦୌଡ ଜିତିବା ରାସ୍ତାରେ ଅଛି । ଅହଂକାର ଏବଂ ଅକ୍ଷମତାର ଘାତକ ମିଶ୍ରଣ ଯୋଗୁଁ ଏକ ଭୟଙ୍କର ଦୁଃଖଦ ଘଟଣା ମୁଣ୍ଡ ଟେକିଛି" । ଏହି ଟ୍ବିଟରେ ରାହୁଲ ଗାନ୍ଧୀ ଏକ 20 ସେକେଣ୍ଡ ଭିଡିଓ ମଧ୍ୟ ସେୟାର କରିଛନ୍ତି ।
ଏହି ଭିଡିଓରେ ଦର୍ଶାଯାଇଛି ଯେ, କୋରୋନା ସଂକ୍ରମିତ ସଂଖ୍ୟା ବୃଦ୍ଧି ହେତୁ ମେ 17 ଠାରୁ ଭାରତ କିପରି ଗୋଟିଏ ସ୍ଥାନକୁ ବୃଦ୍ଧି ପାଉଛି ଏବଂ ବର୍ତ୍ତମାନ ଦେଶ କୋଭିଡ-19 ଦ୍ୱାରା ଅଧିକ ପ୍ରଭାବିତ ହୋଇଥିବା ଦେଶ ତାଲିକାରେ ଚତୁର୍ଥ ସ୍ଥାନରେ ରହିଛି ।
ଦେଶରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା 3 ଲକ୍ଷ ଟପିଛି । ମହାରାଷ୍ଟ୍ରରେ ସର୍ବାଧିକ ମାମଲା 1 ଲକ୍ଷରୁ ଉର୍ଦ୍ଧ୍ବ ରହିଛି । ସେହିପରି ତାମିଲନାଡୁରେ 40 ହଜାର 698ଟି ମାମଲା ଏବଂ ଦିଲ୍ଲୀରେ 34 ହଜାର 687ଟି ମାମଲା ରିପୋର୍ଟ ହୋଇଛି ।