ନୂଆଦିଲ୍ଲୀ: ପୁଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରକୁ ଟାର୍ଗେଟ କରିଛନ୍ତି ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ସେ କହିଛନ୍ତି, କେନ୍ଦ୍ରରେ ଥିବା ମୋଦି ସରକାର ବିପର୍ଯ୍ୟୟ ସମୟରେ ମଧ୍ୟ ଗରିବ ଲୋକଙ୍କଠାରୁ ଲାଭ ପାଇବା ପାଇଁ ସମସ୍ତ ପ୍ରକାର ଉଦ୍ୟମ କରିଛନ୍ତି । ରାହୁଲ କହିଛନ୍ତି ଯେ ଦେଶରେ କୋରୋନାର କଳା ବାଦଲ ଘେରି ହୋଇ ରହିଥିବା ସତ୍ତ୍ବେ ଭାରତୀୟ ରେଳ ଲାଭବାନ ହୋଇଛି ।
ଏକ ରିପୋର୍ଟ ଟ୍ବିଟ୍ କରି ରାହୁଲ ଗାନ୍ଧୀ ଏହି ମନ୍ତବ୍ୟ ଦେଇଛନ୍ତି । ରିପୋର୍ଟରେ ଦର୍ଶାଯାଇଛି ଯେ କୋରୋନା ଯୁଗରେ ଭାରତୀୟ ରେଳ ବିଭାଗ ଶ୍ରମିକ ସ୍ବତନ୍ତ୍ର ଟ୍ରେନରୁ 428 କୋଟି ଟଙ୍କା ଆୟ କରିଛି । ମାର୍ଚ୍ଚ 25 ରେ ଯେତେବେଳେ କୋରୋନା ସଂକ୍ରମଣ ହେତୁ ଦେଶବ୍ୟାପୀ ଲକଡାଉନ୍ ହୋଇଥିଲା ସେତେବେଳେ ବିହାର, ଝାଡଖଣ୍ଡ, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ଓ ଓଡିଶାର ଲକ୍ଷ ଲକ୍ଷ ଶ୍ରମିକ ଦିଲ୍ଲୀ, ମୁମ୍ବାଇ, ପୁନେ, ସୁରାଟ, ଅହମ୍ମଦାବାଦ ଭଳି ସହରରେ ଫସି ରହିଥିଲେ । ଏହି ଶ୍ରମିକଙ୍କ ସୁବିଧା ପାଇଁ ଦେଶରେ ଶ୍ରମିକ ସ୍ବତନ୍ତ୍ର ଟ୍ରେନ ଚାଲିଥିଲା ।
ପରେ ଶ୍ରମିକ ଟ୍ରେନର ଭଡା ନେଇ ମଧ୍ୟ ବିବାଦ ଲାଗି ରହିଥିଲା। ଯେତେବେଳେ ଶ୍ରମିକ ଟ୍ରେନ୍ ଆରମ୍ଭ ହେଲା ସେତେବେଳେ ରାଜ୍ୟ ଗୁଡିକ ଶ୍ରମିକମାନଙ୍କଠାରୁ ଭଡା ନ ନେବାକୁ ଘୋଷଣା କରିଥିଲେ। ଏଥିରେ ମଧ୍ୟପ୍ରଦେଶ, ବିହାର, ରାଜସ୍ଥାନ, ଛତିଶଗଡ ଭଳି ରାଜ୍ୟ ଅନ୍ତର୍ଭୁକ୍ତ ଥିଲା। ତେବେ ଗୁଜୁରାଟ, ମୁମ୍ବାଇ, ଦିଲ୍ଲୀରୁ ଫେରୁଥିବା ଶ୍ରମିକମାନେ ଟ୍ରେନ୍ ଯୋଗେ ଫେରୁଥିବା ବେଳେ ଭଡା ଆଦାୟ ହୋଇଥିବା ଅଭିଯୋଗ କରିଥିଲେ।
ଏହାପରେ କେନ୍ଦ୍ର ସ୍ପଷ୍ଟୀକରଣ ଦେଇ କହିଥିଲା ଯେ, 85 ପ୍ରତିଶତ ଖର୍ଚ୍ଚ କେନ୍ଦ୍ର ସରକାର ବହନ କରୁଥିବାବେଳେ 15 ପ୍ରତିଶତ ରାଜ୍ୟ ସରକାରଙ୍କୁ ଦେବାକୁ ପଡିବ।