ନୂଆଦିଲ୍ଲୀ: ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ପରେ ଲୋକସଭାରେ ବଦଳିଯାଇଛି ରାହୁଲ ଗାନ୍ଧିଙ୍କ ସ୍ଥାନ । ଏଣିକି ସେ ଲୋକସଭାରେ ପ୍ରଥମ ଲାଇନରେ ବସି ପାରିବେ ନାହିଁ । 17 ତମ ଲୋକସଭାର ସିଟିଂ ଆରେଞ୍ଜମେଣ୍ଟ ଅନୁସାରେ ରାହୁଲଙ୍କୁ ଦ୍ବିତୀୟ ଲାଇନରେ ବସିବାକୁ ପଡିବ ।
ବର୍ତ୍ତମାନ ସେ ବିରୋଧୀ ଦଳର ବେଞ୍ଚରେ ସୋନିଆଙ୍କ ନିକଟରେ ପ୍ରଥମ ଲାଇନରେ ବସୁଛନ୍ତି । କିନ୍ତୁ ବାଚସ୍ପତିଙ୍କ ସିଟିଂ ଆରେଞ୍ଜମେଣ୍ଟ ଅନୁସାରେ ତାଙ୍କୁ ଖୁବ୍ ଶୀଘ୍ର ତ୍ବିତୀୟ ଲାଇନରେ ବସିବାକୁ ଜାଗା ଦିଆଯାଇ ପାରେ ।
କଂଗ୍ରେସକୁ ବିରୋଧୀ ବେଞ୍ଚର ପ୍ରଥମ ଲାଇନରେ 2ଟି ଆସନ ଦିଆଯାଇଛି । କଂଗ୍ରେସର ସହଯୋଗୀ ତଥା ଦ୍ବିତୀୟ ବଡ ବିରୋଧୀ ଦଳ ଡିଏମକେକୁ କଂଗ୍ରେସ ନେତାଙ୍କ ନିକଟରେ ଗୋଟିଏ ଆସନ ଦିଆଯାଇଛି । ଏହି ପରିପ୍ରେକ୍ଷୀରେ କଂଗ୍ରେସର ଦୁଇଟି ଆସନ ମଧ୍ୟରୁ ଗୋଟିଏରେ ସୋନିଆ ଗାନ୍ଧି ଏବଂ ଅନ୍ୟ ଆସନରେ କଂଗ୍ରେସର ସଂସଦୀୟ ଦଳ ନେତା ଅଧୀର ରଞ୍ଜନ ଚୌଧୁରୀ ବସିବେ ବୋଲି ଜଣାପଡିଛି ।
ସୂଚନା ଯୋଗ୍ୟ ଯେ, ସୋନିଆ ଗାନ୍ଧି ସଂସଦୀୟ ଦଳର ସହମତିରେ ସଂସଦର ପବ୍ଲିକ ଆକାଉଣ୍ଟସ୍ କମିଟି(ପିଏସି)ର ଅଧ୍ୟକ୍ଷ ପଦ ପାଇଁ ଅଧୀର ରଞ୍ଜନ ଚୌଧୁରୀଙ୍କ ନାମ କେନ୍ଦ୍ର ସରକାର ଏବଂ ବାଚସ୍ପିତିଙ୍କ ନିକଟକୁ ପଠାଇଛନ୍ତି ।