ନୂଆଦିଲ୍ଲୀ: ଆତଙ୍କବାଦୀ ଲିଙ୍କରେ ଧରାପଡିଥିବା ଜାମ୍ମୁ କାଶ୍ମୀର ଡିଏସପି ଦବିନ୍ଦର ସିଂହଙ୍କ ପ୍ରସଙ୍ଗରେ ଚୁପ ରହିଥିବା ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ପ୍ରଧାନମନ୍ତ୍ରୀ ମୋଦି, ଗୃହମନ୍ତ୍ରୀ ଅମିତ ଶାହ ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଏହି ମାମଲାରେ ଚୁପ କାହିଁକି ରହିଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି । ଏହା ସହିତ ଏହି ମାମଲାର ଶୁଣାଣି ଫାଷ୍ଟଟ୍ରାକ କୋର୍ଟରେ ଚଳାଇବାକୁ ଦାବି କରିଛନ୍ତି ରାହୁଲ ଗାନ୍ଧୀ ।
ଏନେଇ ରାହୁଲ ଗାନ୍ଧୀ ଟ୍ବିଟ କରି କହିଛନ୍ତି, ଡିଏସପି ଦବିନ୍ଦର ସିଂହ 3 ଜଣ ଆତଙ୍କବାଦୀଙ୍କୁ ନିଜ ଘରେ ସ୍ଥାନ ଦେଇଥିଲେ । ଆତଙ୍କବାଦୀଙ୍କୁ ଦିଲ୍ଲୀ ନେଇଯାଉଥିବା ସମୟରେ ସେ ଧରାପଡିଥିଲେ । ତାଙ୍କ ବିରୋଧରେ ଫାଷ୍ଟଟ୍ରାକ କୋର୍ଟରେ ମକଦ୍ଦମା ଚଳାଇ 6 ମାସ ଭିତରେ ଏହାର ରାୟ ପ୍ରକାଶ କରିବା ଉଚିତ । ଯଦି ସେ ଦୋଷୀ ସାବ୍ୟସ୍ତ ହୁଅନ୍ତି ତାହେଲେ ଦୋଶଦ୍ରୋହ ପାଇଁ କଡାଦଣ୍ଡ ଦିଆଯିବା ଉଚିତ ବୋଲି ରାହୁଲ ଗାନ୍ଧୀ କହିଛନ୍ତି ।
ନିଜ ଟ୍ବିଟ ସହ ରାହୁଲ ଗାନ୍ଧୀ ପ୍ରଶ୍ନରେ ପୂର୍ଣ୍ଣ ଏକ ଟେମ୍ପଲେଟ ମଧ୍ୟ ପୋଷ୍ଟ କରିଛନ୍ତି, ଯେଉଁଥିରେ ଦେବିନ୍ଦର ସିଂହ ମାମଲାକୁ ନେଇ 4 ଟି ପ୍ରଶ୍ନ ରହିଛି । ସେଗୁଡିକ ହେଉଛି, ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ ଏବଂ ଏନଏସଏ ଦେବିନ୍ଦର ସିଂହ ମାମଲାରେ ଚୁପ୍ କାହିଁକି ଅଛନ୍ତି ? ପୁଲୱାମା ଆକ୍ରମଣରେ ଦେବିନ୍ଦରଙ୍କ ଭୂମିକା କ'ଣ ରହିଥିଲା ? ଏଭଳି ଆଉ କେତେ ଆତଙ୍କବାଦୀ ଥିଲେ ? ତାଙ୍କୁ କିଏ ସୁରକ୍ଷା ଦେଉଥିଲା ଏବଂ କାହିଁକି ? ବୋଲି ପ୍ରଶ୍ନ କରିଛନ୍ତି ରାହୁଲ ।