ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଭାରତ ସମେତ ଅନେକ ଦେଶରେ ତାଣ୍ଡବ ରଚୁଛି ମହାମାରୀ କୋରୋନା । ଏହି କୋରୋନା ସଙ୍କଟ ଯୋଗୁଁ ସବୁ କାର୍ଯ୍ୟ ଏକ ପ୍ରକାର ଠପ ହୋଇଯାଇଛି । ତେବେ କୋରୋନା କାଳରେ ଭାରତ ସୀମାରେ ଚୀନକୁ ନେଇ ଉତ୍ତେଜନା ଲାଗି ରହିଥିବା ବେଳେ ସୁରକ୍ଷା ଦୃଷ୍ଟିକୋଣରୁ ଏକ ବଡ ଖବର ସାମ୍ନାକୁ ଆସିଛି । ଜୁଲାଇରେ ଫ୍ରାନ୍ସରୁ ଆସିବାକୁ ଥିବା ରାଫେଲ ଯୁଦ୍ଧ ବିମାନ ବିତରଣରେ କୌଣସି ପ୍ରକାର ବିଳମ୍ବ ହେବ ନାହିଁ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଙ୍ଗଳବାର ଫ୍ରାନ୍ସ ପ୍ରତିରକ୍ଷା ମନ୍ତ୍ରୀ ଫ୍ଲୋରେନ୍ସ ପାର୍ଲଙ୍କ ସହ କଥା ହୋଇଛନ୍ତି ।
ଏହି ସମୟ ମଧ୍ୟରେ ଫ୍ରାନ୍ସ୍ ତରଫରୁ ନିଶ୍ଚିତ କରାଯାଇଛି ଯେ ରାଫେଲ ଯୁଦ୍ଧ ବିମାନ ଭାରତକୁ ଠିକ୍ ସମୟରେ ପହଞ୍ଚିବ । କରୋନା ବିପର୍ଯ୍ୟୟ ଏହା ଉପରେ ପ୍ରଭାବ ପକାଇବ ନାହିଁ। ଦୁଇ ଦେଶର ପ୍ରତିରକ୍ଷା ମନ୍ତ୍ରୀମାନେ ଦ୍ୱିପାକ୍ଷିକ ସମ୍ପର୍କ, ଆଞ୍ଚଳିକ ସୁରକ୍ଷାକୁ ନେଇ ଆଲୋଚନା ଏବଂ କରୋନା ସଙ୍କଟ ଉପରେ ଆଲୋକପାତ କରିଥିଲେ ।
ସୂଚନାମୁତାବକ, ଫ୍ରାନ୍ସରୁ ରାଫେଲ ବିମାନ କିଣିବା ପାଇଁ ଭାରତ ଏକ ଚୁକ୍ତି କରିଛି, ଯାହାର ପ୍ରଥମ ବ୍ୟାଚରେ ସମୁଦାୟ 4ଟି ରାଫେଲ ବିମାନ ଆସନ୍ତା ଜୁଲାଇରେ ଭାରତରେ ପହଞ୍ଚିବ । ଏହି ବିମାନଗୁଡିକ ଅମ୍ବାଲାର ଏୟାରଫୋର୍ସ ଷ୍ଟେସନରେ ନିୟୋଜିତ କରାଯାଇପାରିବ | 2016 ରେ ଭାରତ 36ଟି ରାଫେଲ ବିମାନ ପାଇଁ ଫ୍ରାନ୍ସ ସହ ଏକ ଚୁକ୍ତିନାମା ସ୍ୱାକ୍ଷର କରିଥିଲା । ଗତ ବର୍ଷ ଭାରତର କିଛି ବାୟୁସେନା ଅଧିକାରୀ ମଧ୍ୟ ଫ୍ରାନ୍ସ ଯାଇଥିଲେ, ତା’ପରେ ସେଠାରେ ସେମାନଙ୍କର ରାଫେଲ ଉଡ଼ାଣ ତାଲିମ ଆରମ୍ଭ ହୋଇଥିଲା । ସୂଚନାଯୋଗ୍ୟ, ଗତ ବର୍ଷ ଅକ୍ଟୋବରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଫ୍ରାନ୍ସ ଯାଇ ସେଠାରେ ରାଫେଲ ବିମାନ ଗ୍ରହଣ କରିବା ସହ ନିଜେ ରାଫେଲ ଯୁଦ୍ଧ ବିମାନରେ 30 ମିନିଟ ପର୍ଯ୍ୟନ୍ତ ଉଡ଼ାଣ ଭରିଥିଲେ ।