ବିଳାସପୁର: ଛତିଶଗଡ ରାଜ୍ୟରେ ଜଳାଭାବ କିଛି ନୂଆ ସମସ୍ୟା ନୁହେଁ । ଏହି ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର ଅମୃତ ମିଶନ ଯୋଜନା ଆରମ୍ଭ କରିଥିବା ବେଳେ ଖୁବଶୀଘ୍ର ଅନ୍ୟ ଏକ ଯୋଜନା କାର୍ଯ୍ୟକାରୀ ହେବାକୁ ଯାଉଛି । ଦୀର୍ଘ ବର୍ଷ ହେବ ଅମ୍ବିକାପୁର ସହରରେ ବନ୍ଦ ପଡିଥିବା ତକିୟା ପ୍ଲାଣ୍ଟର ଏକ ୟୁନିଟ କାର୍ଯ୍ୟକାରୀ ହେବାର ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ଏଠାରେ ଥିବା ପମ୍ପ ହାଉସ ପୁଣି କାର୍ଯ୍ୟକ୍ଷମ ହେବାର ଯୋଜନା ରହିଛି । ଏହାଦ୍ବାରା ରାଜ୍ୟର ଶୁଷ୍କ ବେଲ୍ଟରେ ଥିବା 15ଟି ଗ୍ରାମ ପଞ୍ଚାୟତକୁ ଜଳ ଯୋଗାଣ ଆରମ୍ଭ ହୋଇପାରିବ । ଫଳରେ ଲୋକଙ୍କ ଆଉ ନଳକୂପ, କୂଅ ଓ ଚୂଆ ଆଦି ଉପରେ ନିର୍ଭରଶୀଳ ହେବାକୁ ପଡିବ ନାହିଁ ।
ଗାଁ ଗାଁରେ ଦୂର ହେବ ପାନୀୟ ଜଳ ସମସ୍ୟା:
ଅମ୍ବିକାପୁରରେ ଦୀର୍ଘ ଦିନ ହେବ ଜାରି ରହିଥିବା ପାନୀୟ ଜଳ ସମସ୍ୟା ନେଇ ଇଟିଭି ଭାରତ ଜିଲ୍ଲା ପଞ୍ଚାୟତ ଉପାଧ୍ୟକ୍ଷ ରାକେଶ ଗୁପ୍ତାଙ୍କ ସହ ଆଲୋଚନା କରିଥିଲା । ଆଲୋଚନାରେ ସେ କହିଥିଲେ କି ଏହି ଦିଗରେ କାର୍ଯ୍ୟ ଆରମ୍ଭ ହୋଇ ସାରିଛି । ଏନେଇ ତକିୟାରେ ବନ୍ଦ ପଡିଥିବା ପମ୍ପ ହାଉସକୁ ପୁଣି ଚାଲୁ କରାଯିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି । ଏଥିପାଇଁ ଆବଶ୍ୟକୀୟ ପାଇପ ବିଛାଯାଇ ପ୍ଲଟ ବିସ୍ତାର କରାଯାଇଛି । ଏଥିରୁ ପ୍ରାୟ 15ଟି ଗ୍ରାମ ପଞ୍ଚାୟତ ଲାଭବାନ ହେବେ । ଆଗାମୀ ଖରାଦିନ ପୂର୍ବରୁ ଏହି ଯୋଜନା ସମ୍ପୂର୍ଣ୍ଣ କାର୍ଯ୍ୟକାରୀ କରିବା ପାଇଁ ଯୋଜନା ରହିଥିବା ସେ ପ୍ରକାଶ କରିଛନ୍ତି ।
ଜନସଂଖ୍ୟା ବୃଦ୍ଧି ସହ ବଢୁଛି ଆବଶ୍ୟକତା:
ସୂଚନା ଅନୁଯାୟୀ ଅମ୍ବିକାପୁରବାସୀଙ୍କୁ ଜଳ ଯୋଗାଇବା ପାଇଁ ବ୍ୟବହୃତ ତକିୟା ଫିଲ୍ଟର ପ୍ଲାଣ୍ଟରେ ବାଙ୍କି ଡ୍ୟାମରୁ ଜଳ ଆସିଥାଏ । ଜଳ ଡ୍ୟାମରୁ ସିଧାସଳଖ ପ୍ଲଟରେ ପହଞ୍ଚିବା ପାଇଁ ଏକ ଛୋଟ ପମ୍ପ ହାଉସ ୟୁନିଟର ସ୍ଥାପନ କରାଯାଇଥିଲା । ପ୍ରଥମେ ମାତ୍ର ଗୋଟିଏ ପମ୍ପ ହାଉସ ଖୋଲାଯାଇଥିବା ବେଳେ ବଢୁଥିବା ଜନସଂଖ୍ୟାକୁ ନଜରରେ ରଖି ଆଉ ଏକ ପମ୍ପ ହାଉସ ସ୍ଥାପନ କରାଯାଇଥିଲା । ବଡ କଥା ହେଉଛି ପୂର୍ବରୁ ସିଧାସଳଖ ପାଣି ପମ୍ପ ହାଉସରେ ପହଞ୍ଚିଥିବାରୁ ଅଧା ବାଟରେ କିଛି ପାଣି ନଷ୍ଟ ହେବା ସହ ଜଳ ଯୋଗାଣ ପାଇଁ ଦୁଇଟି ପମ୍ପ ହାଉସ ପରିଚାଳିତ କରାଯାଉଥିଲା । ହେଲେ ଏହି ସମସ୍ୟାର ସମାଧାନ ସ୍ବରୂପ ଭୂତଳ ପାଇପ ବିଛା କାର୍ଯ୍ୟ ସମ୍ପାଦନ ହୋଇଥିଲା । ଯାହା ପରେ ଏବେ ପ୍ଲଟରେ ପର୍ଯ୍ୟାପ୍ତ ପାଣି ପହଞ୍ଚିବା ସହ ପମ୍ପ ହାଉସର ବ୍ୟବହାର କମିବାରେ ଲାଗିଛି । ତେଣୁ ସମୟ କ୍ରମେ ଧିରେ ଧିରେ ଏହି ପମ୍ପ ହାଉସରେ ତାଲା ଲାଗିଥିଲା । ଇତିମଧ୍ୟରେ ଅମୃତ ମିଶନ କାର୍ଯ୍ୟକ୍ଷମ ହୋଇ ସହରମାନଙ୍କରେ ଜଳ ଯୋଗାଣ ଆରମ୍ଭ ହୋଇସାରିଛି ।
ଏହି ନୂଆ ମିଶନର କାର୍ଯ୍ୟକାରିତା ପାଇଁ ତକିୟା ଫିଲ୍ଟର ପ୍ଲାଣ୍ଟ ଉପରେ ଭାର କମିଥିଲା । ତେଣୁ ଏହାକୁ ବନ୍ଦ କରିବା ବଦଳରେ ଗ୍ରାମ ପଞ୍ଚାୟତଗୁଡିକୁ ଜଳ ଯୋଗାଣରେ ବ୍ୟବହାର କରିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି । ଏଥିପାଇଁ ନଗର ନିଗମ ପାଖରେ ବିଶେଷ ବଜେଟ ନଥିବା ସତ୍ତ୍ବେ ପଞ୍ଚାୟତ ବିଭାଗର ମିଳିତ ଉଦ୍ୟମରେ ଏହି କାର୍ଯ୍ୟ ଆଗେଇ ଚାଲିଛି । ଏହି ପମ୍ପ ହାଉସ ପୁଣି ଖୋଲାଗଲେ ରାମନଗର, ମଲଗବାଂ, ଖୈରବାର, ତକିୟା, ବଧିଆଞ୍ଚୁଆ, ରଣପୁର, ସୋନପୁର, ପରସା, ଭକୁରା ଓ ଭଫୋଲି ସମେତ 15 ଟି ପଞ୍ଚାୟତରେ ପାନୀୟ ଜଳ ସମସ୍ୟା ଦୂର ହେବ ବୋଲି ଆଶା କରାଯାଉଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ