ହାଇଦ୍ରାବାଦ: କୋରୋନା ଭାଇରସକୁ ନେଇ ସାରା ବିଶ୍ବ ଆତଙ୍କିତ । ଭାଇରସ ବିରୋଧରେ ମୁକାବିଲା ପାଇଁ ସବୁ ଦେଶ ସତର୍କତା ଅବଲମ୍ବନ କରୁଛନ୍ତି । ଏପରି ସ୍ଥିତିରେ କୋରୋନାକୁ ନେଇ ରବିବାର ସାର୍କ ଦେଶଗୁଡିକର ଭିଡିଓ କନଫରେନ୍ସିଂ ଜରିଆରେ ବୈଠକ ହେବ ବୋଲି ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ବୈଠକ ପାଇଁ ପ୍ରଧାନମନ୍ତ୍ରୀ ମୋଦି ସାର୍କ ଦେଶର ନେତାଙ୍କୁ ଦେଇଥିଲେ ପ୍ରସ୍ତାବ ।
ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ କୋରୋନାକୁ ମହାମାରୀ ଘୋଷଣା କରିଛି । ଦିନକୁ ଦିନ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏପରି ସ୍ଥିତିରେ ଭାଇରସ ବିରୋଧରେ ଲଢେଇ ପାଇଁ ପ୍ରଧାନମନ୍ତ୍ରୀ ମୋଦି ସାର୍କ ଦେଶମାନଙ୍କୁ ଅପିଲ କରିଥିଲେ । କରୋନା ଭାଇରସ ସହିତ ଲଢିବା ପାଇଁ ଏକ ଦୃଷ୍ଟାନ୍ତମୂଳକ ରଣନୀତି ପ୍ରସ୍ତୁତ କରିବାକୁ ସାର୍କ ଦେଶଗୁଡିକର ନେତାଙ୍କୁ ପ୍ରସ୍ତାବ ଦେଇଥିଲେ ମୋଦି । ଭିଡିଓ କନଫରେନ୍ସିଂ ମାଧ୍ୟମରେ ନାଗରିକମାନଙ୍କୁ ସୁସ୍ଥ ରଖିବା ପାଇଁ ଆଲୋଚନା କରିପାରିବା ବୋଲି ମୋଦି କହିଥିଲେ ।
ତେବେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ପ୍ରସ୍ତାବକୁ ସ୍ବାଗତ ଜଣାଇଥିଲେ ସାର୍କ ଦେଶର ସମସ୍ତ ରାଷ୍ଟ୍ରାଧ୍ୟକ୍ଷ । ମୋଦିଙ୍କ ଏହି ପ୍ରସ୍ତାବ ପାଇଁ ଭୁଟାନ ପ୍ରଧାନମନ୍ତ୍ରୀ ଲୋଟି ସେରିଙ୍ଗ, ମାଳଦ୍ବୀପ ରାଷ୍ଟ୍ରପତି ଇବ୍ରାହିମ ମହମ୍ମଦ ସୋଲିହ, ଶ୍ରୀଲଙ୍କା ରାଷ୍ଟ୍ରପତି ଗୋତବାୟା ରାଜପକ୍ଷ ଓ ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଖୁସି ଜାହିର କରିବା ସହ ତାଙ୍କୁ ଧନ୍ୟବାଦ ଜଣାଇଥିଲେ ।
@ANI