ଲକ୍ଷ୍ନୌ: ମହାମାରୀ କୋରୋନା ଭାଇରସକୁ ନେଇ ଏବେ ସମଗ୍ର ବିଶ୍ବବାସୀ ବ୍ୟସ୍ତ, ବିବ୍ରତ ଓ ଚିନ୍ତିତ । କେମିତି କିଭଳି ଏହି ମହାମାରୀର ମୁକାବିଲା କରାଯିବ ସେନେଇ ଚାଲିଛି ଯୋଜନା ଗବେଷଣା ଓ ଅନୁସନ୍ଧାନ । ତେବେ ଦେଶର ସବୁଠାରୁ ବଡ ରାଜ୍ୟ ଉତ୍ତର ପ୍ରଦେଶରେ ମଧ୍ୟ ଏହି ମହାମାରୀ ମାଡି ଚାଲିଛି । ଉତ୍ତର ପ୍ରଦେଶରେ ବର୍ତ୍ତମାନ 47 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟ ସରକାର କୋରୋନା ମୁକାବିଲା ପାଇଁ ଅନେକ ପଦକ୍ଷେପ ନେବା ସହ ଏବେ ରାଜ୍ୟ ସମ୍ପୂର୍ଣ୍ଣ ରୂପେ ଲକଡାଉନ ଅଛି ।
ରାଜ୍ୟ ସରକାରଙ୍କ ପଦକ୍ଷେପକୁ ପ୍ରଶଂସା ସହ ସମସ୍ତ କାର୍ଯ୍ୟକ୍ରମକୁ ସମର୍ଥନ କରି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଶୁକ୍ରବାର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଚିଠି ଲେଖିଛନ୍ତି । ପ୍ରିୟଙ୍କା ଲେଖିଛନ୍ତି ରାଜ୍ୟର ଏହି ବିପଦ ସମୟରେ କଂଗ୍ରେସର ପ୍ରତ୍ୟେକ କାର୍ଯ୍ୟକର୍ତ୍ତା ସରକାରଙ୍କ ସହ ଅଛନ୍ତି । ଲକଡାଉନ ହେବାଫଳରେ ଅନେକ ଲୋକ ବହୁ ସମସ୍ୟା ସହ ଅସୁବିଧା ଭୋଗୁଛନ୍ତି । ସରକାରୀ ଯୋଜନା ଠିକ ସମୟରେ କେମିତି ଜନତାଙ୍କ ପାଖରେ ପହଞ୍ଚିବ ସେନେଇ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଇଛନ୍ତି । ସେଥିପାଇଁ ସରକାର ଚାହିଁଲେ କଂଗ୍ରେସ କାର୍ଯ୍ୟକର୍ତ୍ତାଙ୍କ ସହଯୋଗ ନେଇପାରିବେ ।
ଏହାବାଦ ପ୍ରିୟଙ୍କା ନିଜ ଚିଠିରେ ଦର୍ଶାଇଛନ୍ତି ବର୍ତ୍ତମାନ ସ୍ଥିତିରେ ଦେଶ ଗମ୍ଭୀର ସ୍ବାସ୍ଥ୍ଯ ସମସ୍ୟା ଦେଇ ଗତି କରୁଛି । ଆମେ ସମସ୍ତ ରାଜନୈତିକ ବାଦ ବିବାଦ ଭୁଲି ଉତ୍ତର ପ୍ରଦେଶର ଜନତାଙ୍କ ପାଇଁ କାମ କରିବା । ମୁଁ ରାଜ୍ୟରେ କଂଗ୍ରେସର ପ୍ରଭାରୀ ଭାବେ ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ନିର୍ଦ୍ଦେଶ ଦେଇଛି ସମସ୍ତେ ସମାଜର ବଞ୍ଚିତ , ଅବହେଳିତ ଲୋକଙ୍କ ପାଇଁ କାମ କରିବେ । ଏବେ ସମସ୍ତେ ଏକାଠି ହେବାର ସମୟ ବୋଲି ପ୍ରିୟଙ୍କା ଚିଠିରେ ଦର୍ଶାଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ