ହୋଷ୍ଟନ: ଆମେରିକାର ହୋଷ୍ଟନରେ ପହଞ୍ଚି ପ୍ରଧାନମନ୍ତ୍ରୀ ମୋଦି କାଶ୍ମୀରୀ ପଣ୍ଡିତଙ୍କ ଏକ ପ୍ରତିନିଧି ମଣ୍ଡଳଙ୍କ ସହ ସାକ୍ଷାତ କରିଛନ୍ତି । ଏହି ଅବସରରେ ମୋଦି କାଶ୍ମୀରୀ ପଣ୍ଡିତଙ୍କ ସହ ସଂସ୍କୃତ ଶ୍ଳୋକ ନମସ୍ତେ ସାରଦା ଦେବୀ ପଢିଛନ୍ତି । ଶ୍ଲୋକର ଶେଷରେ ମୋଦି ନମସ୍ତେ ନମୋ ନମଃକୁ ଆଉଥରେ ଦୋହରାଇଥିବା ଦେଖିବାକୁ ମିଳିଥିଲେ । ଏହି ସମୟରେ ସମସ୍ତଙ୍କ ମୁଖ ମଣ୍ଡଳରେ ହସ ଦେଖିବାକୁ ମିଳିଛି ।
କାଶ୍ମୀର ପଣ୍ଡିତଙ୍କୁ ଭେଟିବା ପୂର୍ବରୁ ମୋଦି ହୋଷ୍ଟନର ଶିଖ ସମୁଦାୟଙ୍କୁ ସାକ୍ଷାତ କରିଥିଲେ । ଦିଲ୍ଲୀ ଆଇଜିଆଇ ବିମାନ ବନ୍ଦରର ନାମ ପରିବର୍ତ୍ତନ କରି ଗୁରୁ ନାନକ ଦେବ ଆନ୍ତର୍ଜାତୀୟ ବିମାନ ବନ୍ଦର ରଖିବାକୁ ଦାବି କରିଛନ୍ତି । ଏଥିସହ ଶିଖ ସମୁଦାୟ ନିଜ ଦାବିକୁ ନେଇ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । 1984ର ଶିଖ ଦଙ୍ଗା, ଭାରତୀୟ ସମ୍ବିଧାନର ଅନୁଚ୍ଛେଦ 25 ଓ ଆନନ୍ଦ ମ୍ୟାରେଜ ଆକ୍ଟ, ଭିସା, ପାସପୋର୍ଟ ରିନ୍ୟୁଆଲ ଆଦି ବିଷୟ ଏହି ସ୍ମାରକ ପତ୍ରରେ ଉଲ୍ଲେଖ ରହିଛି ।