ନୂଆଦିଲ୍ଲୀ: ନିଜ ଦରମାର 30 ପ୍ରତିଶତ ଅଂଶ ପିଏମ କେୟାର୍ସ ଫଣ୍ଡକୁ ଦାନ କରିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଲଗାତାର ଏକ ବର୍ଷ ପାଇଁ ତାଙ୍କ ଦରମାର ଏହି ପଇସା ପିଏମ ଫଣ୍ଡକୁ ଯିବ । ପୂର୍ବରୁ ରାଷ୍ଟ୍ରପତି ନିଜ ଗୋଟିଏ ମାସର ଦରମା ପିଏମ କେୟାର୍ସ ଫଣ୍ଡକୁ ଦାନ କରିଥିଲେ । ରାଷ୍ଟ୍ରପତି ଭବନରୁ ମିଳିଥିବା ସୂଚନାନୁସାରେ, ବର୍ତ୍ତମାନ ରାଷ୍ଟ୍ରପତି ସ୍ବତନ୍ତ୍ର ଲିମୋସିନ କାର କିଣିବା ନିଷ୍ପତ୍ତିକୁ ବି ସ୍ଥଗିତ ରଖିଛନ୍ତି । ଏପରିକି ଅନେକ ସମାରୋହ ଏବଂ ଭୋଜି ପାଇଁ ହେବାକୁ ଥିବା ଖର୍ଚ୍ଚକୁ କମ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏଭଳି କାର୍ଯ୍ୟକ୍ରମରେ ସାଜସଜ୍ଜାରେ ଖର୍ଚ୍ଚ କମ କରାଯିବ ଏବଂ ଖାଇବା ମେନ୍ୟୁକୁ ସୀମିତ ରଖାଯିବା ସହ ଅତିଥିଙ୍କ ତାଲିକାକୁ ବି କମ କରାଯିବ ।
ସେହିପରି ନିଜ ଘରୋଇ କାର୍ଯ୍ୟକ୍ରମକୁ ମଧ୍ୟ ସୀମିତ ରଖିବା ନେଇ ନିଷ୍ପତ୍ତି ନେଇଛନ୍ତି ରାଷ୍ଟ୍ରପତି । ଯାହାଫଳରେ ସାମାଜିକ ଦୂରତା ବଜାୟ ରହିବା ସହ ଏଭଳି କାର୍ଯ୍ୟକ୍ରମ ପାଇଁ କମ ଖର୍ଚ୍ଚ ମଧ୍ୟ ହେବ । ରାଷ୍ଟ୍ରପତି ଭିଡିଓ କଲ ଜରିଆରେ ଲୋକଙ୍କ ସହ ଯୋଡି ରହିବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହାମାରୀ କୋରୋନା ଭାଇରସ ସହ ଲଢିବାକୁ 28 ମାର୍ଚ୍ଚରେ ପିଏମ କେୟାର୍ସ ଫଣ୍ଡର ଘୋଷଣା କରିଥିଲେ । ଏହି ଫଣ୍ଡରେ ଦାନ କରିବାକୁ ମୋଦି ସମସ୍ତଙ୍କୁ ଅନୁରୋଧ କରିଥିଲେ । ଏହା ପରେ ରାଷ୍ଟ୍ରପତି ନିଜ ଏକ ମାସର ଦରମା ଏହି ପାଣ୍ଠିକୁ ଦାନ କରିଥିଲେ । ତାଙ୍କ ବ୍ୟତୀତ ଫିଲ୍ମ ଇଣ୍ଡଷ୍ଟ୍ରି ବଡ ବଡ ସେଲିବ୍ରିଟି, ନେତା, ମନ୍ତ୍ରୀ ଏବଂ କ୍ରୀଡା ଜଗତର ତାରକା ମାନେ ଏହି ଫଣ୍ଡକୁ ସହାୟତା ରାଶି ପ୍ରଦାନ କରିଥିଲେ ।
ବୁଧବାର ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟରୁ କୋରୋନା ମୁକାବିଲା ପାଇଁ ପିଏମ କେୟାର୍ସ ଫଣ୍ଡରୁ 3100 କୋଟି ଦାନ କରାଯାଇଛି । ସେଥିରୁ 2ହଜାର କୋଟି ଟଙ୍କା ଭେଣ୍ଟିଲେଟର କିଣିବା ପାଇଁ ବ୍ୟବହାର କରାଯିବ । ସେହିପରି 1 ହଜାର କୋଟି ଟଙ୍କା ପ୍ରବାସୀ ଶ୍ରମିକଙ୍କ କଲ୍ୟାଣ ଉଦ୍ଦେଶ୍ୟରେ ଖର୍ଚ୍ଚ କରାଯିବା ଏବଂ 100 କୋଟି ଭ୍ୟାକ୍ସସିନର ବିକାଶ ପାଇଁ ଖର୍ଚ୍ଚ ହେବ । ପ୍ରକାଶ ଥାଉ କି, କୋରୋନା ଭାଇରସର ଆତଙ୍କ ସାରା ବିଶ୍ବରେ ଜାରି ରହିଛି । ଏଯାବତ୍ ଭାରତରେ ଆକ୍ରାନ୍ତ ସଂଖ୍ୟା 78 ହଜାର ଅତିକ୍ରମ କରିସାରିଛି ।