ନୂଆଦିଲ୍ଲୀ: ଦିଲ୍ଲୀ ବିମାନ ବନ୍ଦରରେ ପହଞ୍ଚିଛନ୍ତି ଭାରତ ଗସ୍ତରେ ଥିବା ବ୍ରାଜିଲ ରାଷ୍ଟ୍ରପତି ଜୈର ବୋଲସୋନାରୋ । 4 ଦିନିଆ ଭାରତ ଗସ୍ତରେ ଅଛନ୍ତି ବ୍ରାଜିଲ ରାଷ୍ଟ୍ରପତି । ଜୈର ବୋଲସୋନାରୋ ଆସନ୍ତା ସାଧାରଣତନ୍ତ୍ର ଦିବସ ପରେଡରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ । ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିବା ପରେ ବ୍ରାଜିଲ ରାଷ୍ଟ୍ରପତିଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଯାଇଛି ।
ରାଷ୍ଟ୍ରପତି ବୋଲସୋନାରୋ 7 ଜଣ କ୍ୟାବିନେଟ ମନ୍ତ୍ରୀ ଓ 12 ଜଣ ଅଧିକାରୀଙ୍କ ସହ ଦିଲ୍ଲୀ ପହଞ୍ଚିଛନ୍ତି । 71 ତମ ଗଣତନ୍ତ୍ର ଦିବସ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେବାକୁ ଯାଉଥିବା ଜୈର ବୋଲସୋନାରୋଙ୍କ ଏହା ପ୍ରଥମ ଭାରତ ଗସ୍ତ । ସେ 24ରୁ 27 ଜାନୁଆରୀ ପର୍ଯ୍ୟନ୍ତ ଭାରତ ଗସ୍ତରେ ରହିବେ ।
ଗଣତନ୍ତ୍ର ଦିବସରେ ଯୋଗଦେବା ବ୍ୟତିତ ଜୈର ବୋଲସୋନାରୋ ଅନେକ କାର୍ଯ୍ୟକ୍ରମରେ ଯୋଗଦେବେ । ଶନିବାର ରାଷ୍ଟ୍ରପତି ଭବନ ପକ୍ଷରୁ ବୋଲସୋନାରୋଙ୍କ ସମ୍ମାନରେ କାର୍ଯ୍ୟକ୍ରମର ଆୟୋଜନ କରାଯିବ । ଏହାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଓ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କ ସହ ସାକ୍ଷାତ କରିବେ ବ୍ରାଜିଲ ରାଷ୍ଟ୍ରପତି । ଏହା ସହ ଗଣତନ୍ତ୍ର ଦିବସ ପରେ ଭାରତ-ବ୍ରାଜିଲ ବିଜନେସ ସମିଟକୁ ମଧ୍ୟ ଜୈର ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି ।