ଭୋପାଳ: ନିଜ ମୃତ୍ୟୁର ଭବିଷ୍ୟବାଣୀ କରି ଚର୍ଚ୍ଚାକୁ ଆସିଥିବା ମଧ୍ୟପ୍ରଦେଶର ବୈତୁଲାର କୁଞ୍ଜିଲାଲଙ୍କ ମୃତ୍ୟୁ ହୋଇଯାଇଥିବା ଜଣାପଡ଼ିଛି । ଶନିବାର ଦିନ ତାଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ତିମ ସଂସ୍କାର ତାଙ୍କ ଗ୍ରାମରେ କରାଯିବ ।
ମିଳିଥିବା ସୂଚନା ମୁତାବକ ଗତ 2005 ମସିହାରେ ସେ ନିଜ ମୃତ୍ୟୁର ଭବିଷ୍ୟବାଣୀ କରିଥିଲେ । 2005, ଅକ୍ଟୋବର 20 ଅର୍ଥାତ କରଓ୍ବାଚୌଥରେ ତାଙ୍କର ମୃତ୍ୟୁ ହେବ ବୋଲି ସେ କହିଥିଲେ । ମାତ୍ର ଉକ୍ତ ଦିନ ତାଙ୍କର କୌଣସି ପ୍ରକାର ହାନୀ ନ ହେବାରୁ ସେ ସମାଲୋଚନାର ଶୀକାର ହୋଇଥିଲେ । ଏପରିକି ଦେଶର କିଛି ଗଣମାଧ୍ୟମରେ ଲାଇଭ ଟେଲିକାଷ୍ଟ ମଧ୍ୟ କରାଯାଇଥିଲା । ଫଳରେ ସମଗ୍ର ଦେଶରେ ଚର୍ଚ୍ଚାକୁ ଆସିଥିଲେ ।
ଏହି ଘଟଣାକୁ କୁଞ୍ଜିଲାଲଙ୍କ ଜୀବନୀ ଉପରେ ଅମିର ଖାନଙ୍କ ପ୍ରଡକସନ ହାଉସ ଅଧିନରେ 'ପିପଲୀ ଲାଇଭ' ସିନେମା ହୋଇଥିଲା । ଏହାକୁ ନେଇ କୁଞ୍ଜିଲାଲ କୋର୍ଟର ଦ୍ବାରସ୍ଥ ହୋଇଥିଲେ ଏବଂ ମାନହାନୀ ବାବଦରେ କ୍ଷତିପୂରଣ ମଧ୍ୟ ଦାବି କରିଆସୁଥିଲେ । ମାତ୍ର ବାର ବାର କୋର୍ଟକୁ ଦୌଡ଼ିଥିଲେ ମଧ୍ୟ କୌଣସି ସୁଫଳ ହୋଇନଥିଲା ।
ଅନ୍ୟପକ୍ଷରେ କୁଞ୍ଜିଲାଲଙ୍କ ଭବିଷ୍ୟବାଣୀ ଅଧିକାଂଶ ସମୟରେ ସତ ହୋଇଥାଏ । ନିକଟସ୍ଥ ଅଞ୍ଚଳରୁ ଅଧିକାଂଶ ଲୋକେ ତାଙ୍କ ନିକଟକୁ ନିଜର ଭବିଷ୍ୟତ ସମ୍ପର୍କରେ ଜାଣିବା ପାଇଁ ଆସିଥାନ୍ତି । ଏହା ମାଧ୍ୟମରେ ସେ ନିଜର ଗୁଜୁରାଣ ମେଣ୍ଟାଇ ଥାନ୍ତି ବୋଲି ଜଣାପଡ଼ିଛି ।