କୋଲକାତା: ପଶ୍ଚିମବଙ୍ଗ ବେଲଘାଟ ଅଞ୍ଚଳରେ ବିସ୍ଫୋରଣ । ବିସ୍ଫୋରଣରେ ଉଡିଗଲା ବେଲଘାଟ ଗାନ୍ଧୀମଠ ଫ୍ରେଣ୍ଡ୍ସ ସର୍କଲ କ୍ଲବର ଛାତ । ବିସ୍ଫୋରଣର କାରଣ ଅସ୍ପଷ୍ଟ ।
ସେପଟେ ଘଟଣାସ୍ଥଳରେ ପହଞ୍ଚି ପୋଲିସର ତଦନ୍ତ ଆରମ୍ଭ । ଘଟଣାସ୍ଥଳରେ ବମ୍ ସ୍କ୍ବାର୍ଡ ମଧ୍ୟ ଉପସ୍ଥିତ । ସକାଳ 6ଟାରେ ଏହି ଅଘଟଣ ଘଟିଥିବା ସୂଚନା ମିଳିଛି । ଭୋର ସମୟରେ ସହର ଶୋଇଥିବାବେଳେ ଅନେକ ଲୋକ ମର୍ଣ୍ଣିଂ ୱାର୍କରେ ବାହାରିଥିଲେ ।
ଏହି ସମୟରେ ପ୍ରଚଣ୍ଡ ଶବ୍ଦରେ ସମସ୍ତେ ଭୟଭୀତ ହୋଇପଡିଥିଲେ । ବିସ୍ଫୋରଣରେ ଗାନ୍ଧୀମଠ ଫ୍ରେଣ୍ଡ୍ସ ସର୍କଲ କ୍ଲବର ଛାତ ଉଡିଯାଇଥିବା ଦେଖିବାକୁ ମିଳିଥିଲା ।
କ୍ଲବ ଛାତ ଉପରେ କିଛି ବମ୍ ଥିବାର ପୋଲିସ ପ୍ରାରମ୍ଭିକ ତଦନ୍ତରୁ ଅନୁମାନ କରୁଛି । ତେବେ ଏହି ବମ୍ କିଏ ରଖିଥିଲା ଓ କାହିଁକି ତାହା ଜଣାପଡିନାହିଁ । ପୋଲିସ କ୍ଲବ ସଦସ୍ୟଙ୍କୁ ଏ ବିଷୟରେ ପଚରାଉଚରା କରୁଛି ।