ନୂଆଦିଲ୍ଲୀ: ସାଧାରଣ ନିର୍ବାଚନ ପାଇଁ ସରିଯାଇଛି ଚତୁର୍ଥ ପର୍ଯ୍ୟାୟର ମତଦାନ । ଏହି ପର୍ଯ୍ୟାୟରେ ୯ଟି ରାଜ୍ୟର ୭୨ଟି ଆସନରେ ନିଜ ନିଜ ମତାଧିକାର ସାବ୍ୟସ୍ତ କରିଛନ୍ତି ମତଦାତା । ଏହି ମତଦାନ ବେଳେ ପଶ୍ଚିମବଙ୍ଗରେ ଦେଖା ଦେଇଥିଲା ହିଂସାକାଣ୍ଡ । ସେହିପରି ଓଡିଶାରେ ଚତୁର୍ଥ ପର୍ଯ୍ୟାୟର ମତାଦନ ସହ ସମ୍ପନ୍ନ ହୋଇଯାଇଛି ନିର୍ବାଚନ । ଚତୁର୍ଥ ପର୍ଯ୍ୟାୟରେ ସନ୍ଧ୍ୟା ୬ଟା ଯାଏ ୬୧ ପ୍ରତିଶତ ମତଦାନ ହୋଇଛି ।
ଏହି ପର୍ଯ୍ୟାୟରେ ସନ୍ଧ୍ୟା ୬ଟା ଯାଏ ବିହାର ୫ଟି ଲୋକସଭା ଆସନରେ ୫୩.୬୭ ପ୍ରତିଶତ ମତଦାନ ହୋଇଛି । ସେହିପରି ଝାରଖଣ୍ଡର ୩ଟି ଲୋକସଭା ଆସନରେ ୬୩.୭୬ ପ୍ରତିଶତ, ପଶ୍ଚିମବଙ୍ଗର ୮ଟି ଆସନରେ ୭୬.୬୩ ପ୍ରତିଶତ, ଉତ୍ତର ପ୍ରଦେଶର ୧୩ଟି ଆସନରେ ୫୩.୧୨ ପ୍ରତିଶତ ମତଦାନ ହୋଇଛି ।
ମଧ୍ୟପ୍ରଦେଶର ୬ଟି ଲୋକସଭା ଆସନରେ ୬୫.୮୬ ପ୍ରତିଶତ, ଓଡିଶାର ୬ଟି ଆସନରେ ୬୪.୦୪ ପ୍ରତିଶତ, ମହାରାଷ୍ଟ୍ରର ୧୭ଟି ଆସନରେ ୫୧.୦୬ ପ୍ରତିଶତ, ରାଜସ୍ଥାନର ୧୩ଟି ଆସନରେ ୬୨.୮୬ ପ୍ରତିଶତ ଓ ଜମ୍ମୁ କଶ୍ମୀରର ଅନନ୍ତନାଗ ଆସନରେ ୯.୭୯ ପ୍ରତିଶତ ମତଦାନ ହୋଇଛି ।
୨୦୧୪ ଲୋକସଭା ନିର୍ବାଚନରେ ଏହି ୭୨ଟି ଆସନରୁ ୫୬ଟି ଆସନ ଏନଡିଏ ଖାତାକୁ ଯାଇଥିଲା । ବଳକା ୧୬ଟି ଆସନରୁ କଂଗ୍ରେସ ୨, ତୃଣମୂଳ କଂଗ୍ରେସ ୬ ଓ ବିଜେଡି ୬ଟି ଓ ଅନ୍ୟଦଳ ଜିତିଥିଲେ ।