ନୂଆଦିଲ୍ଲୀ: NEET ଓ JEE ପରୀକ୍ଷାକୁ ନେଇ ଦେଶରେ ରାଜନୀତି ଗରମ ରହିଛି । ବିରୋଧୀ ଦଳ ସରକାରଙ୍କୁ ପ୍ରଶ୍ନ ପଚାରିବାରେ ବ୍ୟସ୍ତ । ପରୀକ୍ଷା ବନ୍ଦ କରିବାକୁ ସରକାରଙ୍କୁ ଅନେକ ଦଳର ନେତା ଦାବି କରିଆସୁଛନ୍ତି । NEET ଏବଂ JEE ପରୀକ୍ଷା ବିରୋଧରେ ଦାଖଲ ହୋଇଥିବା ଆବେଦନକୁ ସୁପ୍ରିମକୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି । ପରୀକ୍ଷା ପରିଚାଳନା ପାଇଁ ସବୁଜ ସଙ୍କେତ ଦେଇଛନ୍ତି । କୋରୋନା ସଙ୍କଟ କାରଣରୁ ଛାତ୍ରମାନେ ପରୀକ୍ଷା ସ୍ଥଗିତ ରଖିବାକୁ ଦାବି କରିବା ସହ ସ୍ବର ଉତ୍ତୋଳନ କରୁଥିବାବେଳେ ବିରୋଧି ଦଳ ସରକାରଙ୍କୁ ଏହି ନିଷ୍ପତ୍ତିର ପୁନଃବିଚାର କରିବାକୁ ଅନୁରୋଧ କରିଛନ୍ତି । କଂଗ୍ରେସର ମହାସଚିବ ପ୍ରିୟଙ୍କା ଗାନ୍ଧୀ ରବିବାର ଟ୍ବିଟ୍ କରି ଏହା ଉପରେ ଚିନ୍ତା କରିବାକୁ କହିଛନ୍ତି ।
ପ୍ରିୟଙ୍କା ଗାନ୍ଧୀ ଟ୍ବିଟରେ ଲେଖିଛନ୍ତି, କୋରୋନାରେ ଦେଶର ପରିସ୍ଥିତି ଏପର୍ଯ୍ୟନ୍ତ ସ୍ବଭାବିକ ହୋଇନାହିଁ । ଏପରି ପରିସ୍ଥିତିରେ, ଯଦି NEET ଏବଂ JEE ପରୀକ୍ଷା ଦେଉଥିବା ଛାତ୍ର ଏବଂ ସେମାନଙ୍କ ପିତାମାତା କିଛି ଚିନ୍ତା ପ୍ରକଟ କରିଛନ୍ତି, ତେବେ ଭାରତ ସରକାର ଓ ପରୀକ୍ଷା କରୁଥିବା ଅନୁଷ୍ଠାନ ଏହାକୁ ସଠିକ୍ ଭାବରେ ବିଚାର କରିବା ଉଚିତ୍ । ପ୍ରିୟଙ୍କା ଗାନ୍ଧୀ ଏହାକୁ ସୋସିଆଲ ମିଡିଆରେ ସତ୍ୟାଗ୍ରହ ଅଭିଯାନ ବୋଲି କହିଛନ୍ତି ।
ଏହାପୂର୍ବରୁ ରାହୁଲ ଗାନ୍ଧୀ ମଧ୍ୟ ସମାନ ଦାବି ଉଠାଇଥିଲେ । ସେ ମଧ୍ୟ ଟ୍ବିଟ କରି ଲେଖିଛନ୍ତି ଯେ ଆଜି ଆମର ଲକ୍ଷ ଲକ୍ଷ ଛାତ୍ର ସରକାରଙ୍କୁ କିଛି କହୁଛନ୍ତି । NEET, JEE ପରୀକ୍ଷା ବିଷୟରେ ସେମାନଙ୍କ ଦାବି ଶୁଣିବା ଉଚିତ୍ ଓ ସରକାର ଏକ ସମାଧାନ ଖୋଜିବା ଉଚିତ୍ । JEE ଓ NEET ପରୀକ୍ଷା ପ୍ରସଙ୍ଗରେ ଅଗଷ୍ଟ 25 ପରେ ଦୁଇଟି ବୈଠକ ଅନୁଷ୍ଠିତ ହେବ । ଶିକ୍ଷା ମନ୍ତ୍ରୀ ଏହି ବୈଠକ ଆୟୋଜନ କରିବେ । ଶିକ୍ଷା ମନ୍ତ୍ରଣାଳୟ ପରୀକ୍ଷା ସ୍ଥଗିତ ରଖିପାରେ ବୋଲି ମଧ୍ୟ ଖବର ରହିଛି । କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇପାରେ । ତେବେ ଜାତୀୟ ପରୀକ୍ଷା ଏଜେନ୍ସି (ଏନଟିଏ) ପରୀକ୍ଷା କେନ୍ଦ୍ରଗୁଡ଼ିକର ତାଲିକା ଓ ପରୀକ୍ଷା ପାଇଁ ଆବଶ୍ୟକ ନିର୍ଦ୍ଦେଶାବଳୀ ପ୍ରକାଶ କରିଛି ।
ଅନ୍ୟପକ୍ଷରେ ଦିଲ୍ଲୀ ଶିକ୍ଷା ମନ୍ତ୍ରୀ ମନୀଷ ସିସୋଦିଆ କେନ୍ଦ୍ର ସରକାରଙ୍କ ଠାରୁ JEE ଏବଂ NEET ପରୀକ୍ଷା ବାତିଲ କରିବାକୁ ଦାବି କରିଛନ୍ତି । ସିସୋଦିଆ ଅଭିଯୋଗ କରିଛନ୍ତି ଯେ ସରକାର ପରୀକ୍ଷା ନାମରେ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ଜୀବନ ସହ ଖେଳୁଛନ୍ତି । ସେହିପରି ଆପ୍ ମନ୍ତ୍ରୀ ଗୋପାଳ ରାୟ କହିଛନ୍ତି ଯେ ଦେଶର ବିଭିନ୍ନ ସ୍ଥାନରୁ ପରୀକ୍ଷା ସ୍ଥଗିତ ରଖିବାକୁ ଛାତ୍ରଛାତ୍ରୀଙ୍କ ଦାବି ।