ପଶ୍ଚିମବଙ୍ଗରେ ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ଦାର୍ଜିଲିଂର ଚା’ କପ୍ରେ ପୁଣି ରାଜନୈତିକ ପ୍ରହେଳିକାର ଉଷ୍ମତା ଅନୁଭୂତ ହେଲାଣି ଏବଂ ଏହା ଉଭୟ ମମତା ବାନାର୍ଜୀଙ୍କ ନେତୃତ୍ବାଧୀନ ରାଜ୍ୟ ସରକାର ଏବଂ ବିରୋଧୀ ବିଜେପି ପାଇଁ ଏକ ଆହ୍ବାନରେ ପରିଣତ ହେବାର ସମ୍ଭାବନା ଦେଖାଦେଲାଣି ।
ପ୍ରାୟ ତିନି ବର୍ଷର ଆପେକ୍ଷିକ ନିରବତା ପରେ ଦାର୍ଜିଲିଂର ପାର୍ବତ୍ୟାଞ୍ଚଳ ଏବଂ ତରାଇ ଅଞ୍ଚଳରେ ସମସ୍ୟା ଉପୁଜିବାର ଲକ୍ଷଣ ସେତେବେଳେ ଦେଖାଦେଲା, ଯେତେବେଳେ ତତ୍କାଳୀନ ଗୋର୍ଖା ଜନମୁକ୍ତି ମୋର୍ଚ୍ଚା (ଜିଜେଏମ୍)ର ମୁଖ୍ୟ ବିମଲ ଗୁରୁଙ୍ଗ ନାଟକୀୟ ଏବଂ ରହସ୍ୟମୟ ଢଙ୍ଗରେ ପୁଣି ଆତ୍ମପ୍ରକାଶ କଲେ । ବେଆଇନ କାର୍ଯ୍ୟକଳାପ (ପ୍ରତିରୋଧ) ଆଇନ ଏବଂ ଭାରତୀୟ ଦଣ୍ଡବିଧି ଆଇନର ଅନ୍ୟ କେତେକ ଜାମିନବିହୀନ ଧାରାରେ 2017ରେ ରାଜ୍ୟ ପାୋଲିସ ତାଙ୍କ ବିରୋଧରେ ଅନେକଗୁଡ଼ିକ ମାମଲା ଦାୟର କରିବା ପରେ ସେ ସାଧାରଣ ନଜରରୁ ଗାଏବ୍ ହୋଇଯାଇଥିଲେ ।
ଗୁରୁଙ୍ଗଙ୍କ ବିରୋଧରେ ଅଭିଯୋଗ ହୋଇଥିଲା ଯେ ସେ ଦାର୍ଜିଲିଂ ପାର୍ବତ୍ୟାଞ୍ଚଳରେ ହିଂସାତ୍ମକ ପ୍ରତିବାଦ ପାଇଁ ମୁଖ୍ୟ ସୂତ୍ରଧର ରୂପରେ ଷଡ଼ଯନ୍ତ୍ର କରିଥିଲେ ଏବଂ ଏହାର ପରିଣାମରେ ସରକାର ବିରୋଧୀ ଆନ୍ଦୋଳନରେ ଭାଗ ନେଇଥିବା 11 ଜଣ ଆନ୍ଦୋଳନାକାରୀ ପୋଲିସ ଗୁଳିରେ ପ୍ରାଣ ହରାଇଥିବା ବେଳେ ଜଣେ ଆସିଷ୍ଟାଣ୍ଠ ସବ୍-ଇନ୍ସପେକ୍ଟରଙ୍କ ମୃତ୍ୟୁ ହୋଇଥିଲା । ଏହା ପରଠାରୁ ଗୁରୁଙ୍ଗ ନୂଆଦିଲ୍ଲୀ, ସିକ୍କିମ, ନେପାଳ ଓ ଝାଡ଼ଖଣ୍ଡରେ ଆତ୍ମଗୋପନ କରିଥିଲେ ବୋଲି କୁହାଯାଉଥିଲା ଏବଂ କଦବା କେମିତି ତାଙ୍କୁ ସାଧାରଣରେ ଦେଖିବାକୁ ମିଳୁଥିଲା ।
ଆନୁଷ୍ଠାନିକ ଆଇନଗତ କାର୍ଯ୍ୟାନୁଷ୍ଠାନକୁ ବାଦ୍ ଦେଲେ ବି ଗତ ଅକ୍ଟୋବର 21ରେ ଗୁରୁଙ୍ଗ ପୁଣି ସାଧାରଣରେ ଆତ୍ମପ୍ରକାଶ କରିବା ଘଟଣାର ଆଉ ଏକ ରୋଚକ ଦିଗ ରହିଛି । ତାହା ହେଲା, ମମତା ବାନାର୍ଜୀଙ୍କୁ ତାଙ୍କର ଖୋଲାଖୋଲି ସମର୍ଥନ ଏବଂ ବିଜେପିକୁ ସମାଲୋଚନା । ସେଇ ବିଜେପି, ଯାହାକୁ ସେ 2007ରୁ ସମର୍ଥନ କରିଆସୁଥିଲେ ଏବଂ ଯେଉଁ ସମର୍ଥନ ସହାୟତାରେ ଦାର୍ଜିଲିଂ ଲୋକସଭା ଆସନରୁ ବିଜେପି 2009ରୁ ଲଗାତାର ତିନି ତିନି ଥର ନିର୍ବାଚିତ ହୋଇଥିଲା । ଏବେ ଗୁରୁଙ୍ଗ ଅଭିଯୋଗ କରୁଛନ୍ତି ଯେ ସ୍ବତନ୍ତ୍ର ରାଜ୍ୟର ମାନ୍ୟତା ସମେତ ଦାର୍ଜିଲିଂର ଲକ୍ଷ୍ୟ ହାସଲ ସଂପର୍କରେ ବିଜେପି ଦେଇଥିବା ପ୍ରତିଶ୍ରୁତି ପୂରଣରେ ବିଫଳ ହୋଇଛି ।
ରାଜନୈତିକ ଜଟିଳତା ଏବଂ କେମିତି ଏସବୁ ଆରମ୍ଭ ହେଲା
ଆନ୍ଧ୍ର ପ୍ରଦେଶକୁ ଦୁଇ ଭାଗ କରି ତେଲଙ୍ଗାନା ରାଜ୍ୟ ଗଠନ ନିମନ୍ତେ ତତ୍କାଳୀନ ୟୁପିଏ ସରକାରଙ୍କ ନିଷ୍ପତ୍ତି ଯୋଗୁଁ ସତେ ଯେମିତି ଏକ ଭାନୁମତୀର କୁହୁକପେଡ଼ି ଖୋଲିଯାଇଥିଲା । ପରେ ପରେ ସୀମାନ୍ଧ୍ର, ବୋଡ଼ୋଲାଣ୍ଡ, ବୁନ୍ଦେଲଖଣ୍ଡ, ବିଦର୍ଭ ଏବଂ ହରିତ୍ ପ୍ରଦେଶ ଭଳି ରାଜ୍ୟ ଗଠନ ପାଇଁ ପୁନର୍ବାର ସ୍ବର ଉତ୍ତୋଳିତ ହୋଇଥିଲା । କିନ୍ତୁ ଏ ସବୁଥିରୁ ଭିନ୍ନ ରହିଥିଲା ଗୋର୍ଖାଲ୍ୟାଣ୍ଡ । କାରଣ, ପ୍ରଥମତଃ ଏହାର ଐତିହାସିକ ପ୍ରେକ୍ଷାପଟ୍ଟ ଏବଂ ଦ୍ବିତୀୟରେ ହିଂସାତ୍ମକ ଇତିହାସ ।
ଉତ୍ତର ବଙ୍ଗର ଗୋର୍ଖାମାନଙ୍କ ପାଇଁ ସ୍ବତନ୍ତ୍ର ରାଜ୍ୟ ଗଠନ ଦାବି ଶହେ ବର୍ଷରୁ ଅଧିକ ପୁରୁଣା । ଦାର୍ଜିଲିଂର ପାର୍ବତ୍ୟ ଅଞ୍ଚଳରେ ଲାଗି ରହିଥିବା ଅସନ୍ତୋଷର ପ୍ରଥମ ଆଭାସ ମିଳିଥିଲା 1907 ମସିହାରେ, ଯେତେବେଳେ ଏକ ସ୍ବତନ୍ତ୍ର ପ୍ରାଶାସନିକ ବ୍ୟବସ୍ଥା ଦାବିରେ ହିଲ୍ମେନ୍ସ ଆସୋସିଏସନ୍ ଅଫ୍ ଦାର୍ଜିଲିଂ (HAD) ପକ୍ଷରୁ ମୋର୍ଲେ-ମିଣ୍ଟୋ ରିଫର୍ମସ କମିଶନଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା ।
ଦାର୍ଜିଲିଂ ଓ ଜଲପାଇଗୁଡ଼ି ଅଞ୍ଚଳ ପାଇଁ ଏକ ସ୍ବତନ୍ତ୍ର ପ୍ରାଶାସନିକ ସଂସ୍ଥା ସ୍ଥାପନ ନିମନ୍ତେ 1917ରେ ପୁଣି ହିଲ୍ମେନ୍ସ ଆସୋସିଏସନ୍ ଅଫ୍ ଦାର୍ଜିଲିଂ ପକ୍ଷରୁ ଏହି ଦାବି ଉପସ୍ଥାପନ କରାଯାଇଥିଲା । ହେଲେ ବ୍ରିଟିଶ ସରକାର ଏହି ସବୁ ଦାବିପତ୍ରକୁ ଗୁରୁତ୍ବ ଦେଇ ନଥିଲେ କି ଗୋର୍ଖାମାନେ ବି କୌଣସି ସମୟରେ ଦାବିରୁ ଓହରି ଯାଇନଥିଲେ । ନିୟମିତ ବ୍ୟବଧାନରେ ଏହି ଦାବି ମୁଣ୍ଡ ଟେକିବାରେ ଲାଗିଥିଲା । 1929ରେ ସାଇମନ୍ କମିଶନଙ୍କ ଆଗରେ ଦାବି ଉପସ୍ଥାପନ କରାଯାଇଥିଲା । ଦାର୍ଜିଲିଂକୁ ବେଙ୍ଗଲ ପ୍ରଦେଶରୁ ଅଲଗା କରିବା ସହିତ ଏହାକୁ ଏକ ଚିଫ୍ କମିଶନରଙ୍କ ପ୍ରଦେଶ ରୂପରେ ଗଢିବା ପାଇଁ 1930 ଏବଂ 1941ରେ ଦାବି ଜୋର ଧରିଥିଲା ।
ଗୋର୍ଖା ମୂଳ ଅଧିବାସୀଙ୍କୁ ଏକ ବିଶେଷ ପରିଚୟ ପ୍ରଦାନ ସହିତ ଅର୍ଥନୈତିକ ସ୍ବାଧୀନତା ଏବଂ ବେଙ୍ଗଲଠାରୁ ଅଲଗା ହେବା ଦାବିରେ, 1952 ମସିହାରେ ଅଖିଳ ଭାରତୀୟ ଗୋର୍ଖା ଲିଗ୍ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କୁ କାଲିମପଙ୍ଗଠାରେ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିଥିଲା । ଆବେଦନ ଏବଂ ସ୍ମାକକପତ୍ର ପ୍ରଦାନର ଏହି ଧାରା କେବେ ବି ବନ୍ଦ ହୋଇନଥିଲା । କିନ୍ତୁ, ସେସବୁ ଅହିଂସାପୂର୍ଣ୍ଣ ଉପାୟରେ କରାଯାଇଥିଲା ଏବଂ କାର୍ଯ୍ୟତଃ ତାହା ଥିଲା ଝଡ଼ ପୂର୍ବର ନିରବତା ।
ଅଭିଳାଷ ପୂରଣ ନିମନ୍ତେ ହିଂସାର ପଥ
ସ୍ବତନ୍ତ୍ର ଗୋର୍ଖାଲ୍ୟାଣ୍ଡ ରାଜ୍ୟ ଗଠନ ଦାବିରେ 1980 ଦଶକରେ ହିଂସା ସୃଷ୍ଟି ହୋଇଥିଲା । ସୁବାସ ଘିସିଂଙ୍କ ନେତୃତ୍ବରେ ଗୋର୍ଖା ନ୍ୟାସନାଲ ଲିବରେସନ୍ ଫ୍ରଣ୍ଟ (GNLF) ପକ୍ଷରୁ ରକ୍ତାକ୍ତ ଆନ୍ଦୋଳନର ସୂତ୍ରପାତ ସହିତ ପ୍ରଥମ ଥର ପାଇଁ 1980 ମସିହା ଏପ୍ରିଲ 5 ତାରିଖରେ ଦାର୍ଜିଲିଂର ପାହାଡ଼ ଦେଇ ରକ୍ତ ଝରିଆସିଥିଲା । ପରବର୍ତ୍ତୀ ସମୟରେ, ଦାର୍ଜିଲିଂ ଗୋର୍ଖା ହିଲ୍ କାଉନ୍ସିଲ (DGHC) ଗଠନ ସହିତ 1988 ମସିହା ଅଗଷ୍ଟ 22ରେ ଏହି ଆନ୍ଦୋଳନର ପରିସମାପ୍ତି ଘଟିଥିଲା । କିନ୍ତୁ ତା ପୂର୍ବରୁ ପାର୍ବତ୍ୟାଞ୍ଚଳର ଗୁରୁଗମ୍ଭୀର ନିରବତାକୁ ଭଙ୍ଗ କରି କେନ୍ଦ୍ରୀୟ ଅର୍ଦ୍ଧସାମରିକ ଦଳ ଯବାନମାନଙ୍କ ପଦଧ୍ବନି ସାରା ଅଞ୍ଚଳରେ ଗୁଞ୍ଜରିତ ହୋଇଥିଲା ଏବଂ ହିଂସାରେ 1,200 ଲୋକଙ୍କ ପ୍ରାଣହାନି ଘଟିସାରିଥିଲା ।
ପାର୍ବତ୍ୟାଞ୍ଚଳର ସର୍ବୋଚ୍ଚ ପ୍ରାଶାସନିକ ସଂସ୍ଥା ଡିଜିଏଚ୍ସିର ତତ୍ତ୍ବାବଧାରକ ହୋଇଥିଲେ ସୁବାସ ଘିସିଂ । କିନ୍ତୁ, ଅନ୍ୟ ସମସ୍ତ ରାଜନୈତିକ ପରିଚୟ ପ୍ରତିପାଦନ ସହିତ ସ୍ବତନ୍ତ୍ର ରାଜ୍ୟ ଗଠନ ପ୍ରସଙ୍ଗରୁ ଡିଜିଏଚ୍ସି ନେତୃତ୍ବ ସଂପୂର୍ଣ୍ଣ ଓହରି ଯାଇନଥିଲେ । ସେମାନେ ଏହି ପ୍ରସଙ୍ଗକୁ ଉଜ୍ଜୀବିତ ରଖିଥିଲେ ଏବଂ 2004ରେ କାଉନ୍ସିଲ ପରିସରଭୁକ୍ତ ଅଞ୍ଚଳକୁ ସମ୍ବିଧାନର ଷଷ୍ଠ ଅନୁସୂଚୀ ଅଧୀନରେ ସ୍ଥାନିତ କରିବା ପାଇଁ ଘିସିଂ ଦାବି କରିଥିଲେ ।
ଷଷ୍ଠ ଅନୂସୂଚୀ ନା ଆଉ କିଛି ଅଧିକ ?
ସମ୍ବିଧାନ ବିଶେଷଜ୍ଞ ଏବଂ ରାଜନୈତିକ ପର୍ଯ୍ୟବେକ୍ଷକମାନଙ୍କ ମତରେ, ସ୍ବାୟତ୍ତ ଶାସନ ଦିଗରେ ଗୋର୍ଖାମାନଙ୍କ ଅଭିଳାଷ ପୂରଣ ନିମନ୍ତେ ଠୋସ୍ ପଦକ୍ଷେପ ସହିତ ଆସାମର ବୋଡ଼ୋଲ୍ୟାଣ୍ଡ ଟେରିଟରିଆଲ କାଉନ୍ସିଲ କ୍ଷେତ୍ରରେ ମୁଣ୍ଡ ଟେକିଥିବା ବିଦ୍ରୋହ ଅନୁରୂପ ବିଦ୍ରୋହର ସମ୍ଭାବନାକୁ ପ୍ରତିହତ କରିବା ଲାଗି ସମ୍ବିଧାନର ଷଷ୍ଠ ଅନୁସୂଚୀ ହିଁ ସର୍ବୋତ୍ତମ ବିକଳ୍ପ ।
ଗୋର୍ଖାମାନଙ୍କ ପକ୍ଷରେ, ହୁଏତ ଏହି ପଦକ୍ଷେପ ଦ୍ବାରା ସେମାନଙ୍କ ସ୍ବତନ୍ତ୍ର ରାଜ୍ୟ ଗଠନ ଦାବିକୁ ଏକପ୍ରକାର ଚପାଇ ଦିଆଯାଇଥିଲା । କିନ୍ତୁ ସମ୍ବିଧାନର ଷଷ୍ଠ ଅନୁସୂଚୀ ଦ୍ବାରା ଶାସିତ କୌଣସି ଅଞ୍ଚଳ ଯେ ପରବର୍ତ୍ତୀ ଅବସ୍ଥାରେ ଏକ ପୂର୍ଣ୍ଣାଙ୍ଗ ରାଜ୍ୟରେ ପରିଣତ ହୋଇପାରିବ ନାହିଁ, ଏଭଳି ବ୍ୟବସ୍ଥା ବି ସମ୍ବିଧାନର କୌଣସି ସ୍ଥାନରେ ନାହିଁ ।
ଭୁଲ୍ ରହିଲା କେଉଁଠି ?
ଗୋଟିଏ ପଟେ ଘିସିଂ ଦାର୍ଜିଲିଂ ପାର୍ବତ୍ୟାଞ୍ଚଳ ପାଇଁ ସମ୍ବିଧାନର ଷଷ୍ଠ ଅନୁସୂଚୀ ଦାବି କରୁଥିବା ବେଳେ ଅନ୍ୟପଟରେ ସମ୍ବିଧାନକୁ ଭୁଲ୍ ବ୍ୟାଖ୍ୟା କରିଥିବା ତାଙ୍କ ରାଜନୈତିକ ପ୍ରତିଦ୍ବନ୍ଦ୍ବୀମାନେ ଏହା ବିରୋଧରେ ପ୍ରତିବାଦ କରିଥିଲେ । ପରିଶେଷରେ କେନ୍ଦ୍ର ସରକାର ଏହାକୁ ଶୀତଳ ଭଣ୍ଡାରରେ ରଖିଦେଲେ । ଏଭଳି ଅଚଳାବସ୍ଥା ସାଙ୍ଗକୁ ଘିସିଂଙ୍କ ଏକଛତ୍ରବାଦୀ କାର୍ଯ୍ୟଧାରା, ସମଗ୍ର ଅଞ୍ଚଳରେ ରାସ୍ତାର କଦର୍ଯ୍ୟ ଅବସ୍ଥା, ପିଇବା ପାଣିର ଅଭାବ ଏବଂ ପରିମଳ ବ୍ୟବସ୍ଥା ଓ ନାଳନର୍ଦ୍ଦମାର ଦୁରବସ୍ଥା ଯୋଗୁଁ ଡିଜିଏଚ୍ସି ସଂପର୍କରେ ଲୋକଙ୍କ ମୋହଭଙ୍ଗ ହେବାରେ ଲାଗିଲା । ପରିଷଦର ଅନେକ ସଦସ୍ୟଙ୍କର ଘିସିଂଙ୍କ ସହିତ ମତଭେଦ ଦେଖାଦେଲା ଏବଂ 2007 ମସିହା ସୁଦ୍ଧା ଜିଏନ୍ଏଲ୍ଏଫ୍ ଭାଗ ଭାଗ ହେବା ସମ୍ଭାବନା ସ୍ପଷ୍ଟ ହୋଇଉଠିଲା ।
ଗୋଟିଏ ଟିଭି ରିଅଲିଟି ଶୋ’ ଏବଂ ବିମଲ ଗୁରୁଙ୍ଗଙ୍କ ଉତ୍ଥାନ
ଜିଏନ୍ଏଲ୍ଏଫ୍ ଭିତରେ ଯେଉଁ ବ୍ୟକ୍ତି ଜଣକ ଆଗଧାଡ଼ିରେ ଥିଲେ, ସେ ହେଲେ ଏକଦା ଘିସିଂଙ୍କର ବିଶ୍ବସ୍ତ ସହଯୋଗୀ ରୂପେ ଜଣାଶୁଣା ବିମଲ ଗୁରୁଙ୍ଗ । କୌତୁହଳର କଥା ଯେ, ଗୁରୁଙ୍ଗଙ୍କ ଏଭଳି ଉତ୍ଥାନ ପଛରେ କୌଣସି ରାଜନୈତିକ ଗୋଟିଚାଳନା ନଥିଲା । ବରଂ ଥିଲା ଏକ ଟିଭି ରିଅଲଟି ଶୋ’! ରିଅଲିଟି ଶୋ’ ଇଣ୍ଡିଆନ୍ ଆଇଡଲରେ ଅଂଶଗ୍ରହଣ କରିଥିବା ସ୍ଥାନୀୟ ପ୍ରତିଯୋଗୀ ପ୍ରଶାନ୍ତ ତମାଙ୍ଗଙ୍କ ପାଇଁ ସମର୍ଥନ ଯୋଗାଡ଼ କରିବା ପାଇଁ ଦାର୍ଜିଲିଂ ପାର୍ବତ୍ୟାଞ୍ଚଳର ଲୋକେ ଗୁରୁଙ୍ଗଙ୍କ ନେତୃତ୍ବରେ ଏକତ୍ର ହୋଇଥିଲେ ।
ରିଅଲିଟି ଶୋ’ରେ ତମାଙ୍ଗ ବିଜୟ ମୁକୁଟ ପିନ୍ଧିଥିଲେ । ତେଣେ ଜିଏନ୍ଏଲ୍ଏଫ୍ ଭାଗ ଭାଗ ହୋଇଥିଲା ଏବଂ ବିମଲ ଗୁରୁଙ୍ଗଙ୍କ ନେତୃତ୍ବରେ ଆତ୍ମପ୍ରକାଶ କରିଥିଲା ଗୋର୍ଖା ଜନମୁକ୍ତି ମୋର୍ଚ୍ଚା (ଜିଜେଏମ୍) । ସେ ଥିଲେ ସେଇ ବିମଲ ଗୁରୁଙ୍ଗ ଯିଏ କି ଡିଜିଏଚ୍ସିର ଜଣେ କାଉନ୍ସିଲର ଭାବରେ ପରିଷଦର ଅପାରଗତା ପାଇଁ ଘିସିଂଙ୍କ ସହିତ ସମଭାବରେ ଦାୟୀ ହେବା କଥା । କିନ୍ତୁ ରାଜନୀତିର ଜୁଆରରେ ମୋଡ଼ ବଦଳାଇବା ପାଇଁ ଇତିହାସ ପାଖରେ ନିଜସ୍ବ ଉପାୟ ରହିଥିଲା । ରାଜନୀତିର ଏହି ଜୁଆରରେ ଲମ୍ଫ ପ୍ରଦାନ କରିବା ସହିତ ନୂଆ ନୂଆ ଅକ୍ତିଆର କରିଥିବା ନିଜ ସ୍ଥିତିକୁ ବଜାୟ ରଖିବା ଲକ୍ଷ୍ୟ ନେଇ, ଗୁରୁଙ୍ଗଙ୍କ ଜିଜେଏମ୍ 2009 ସାଧାରଣ ନିର୍ବାଚନରେ ଦାର୍ଜିଲିଂ ଲୋକସଭା ଆସନରୁ ବିଜେପିର ଯଶୱନ୍ତ ସିଂହଙ୍କୁ ସମର୍ଥନ କରିଥିଲା ।
ନିର୍ବାଚନରେ ସିଂହ ଜିତିଥିଲେ । କିନ୍ତୁ ଏନ୍ଡିଏ ହାରିଯାଇଥିଲା । ଏବଂ ଏହା ସହିତ ଏକ ସ୍ବତନ୍ତ୍ର ଗୋର୍ଖା ରାଜ୍ୟ ଗଠନ ନିମନ୍ତେ ପୁନର୍ବାର ଜାଗୃତ ଏକ ଅଭିଳାଷ ବି ଉଭେଇ ଯାଇଥିଲା । ପଶ୍ଚିମ ବଙ୍ଗର କୌଣସି ବିଭାଜନ ବିରୋଧରେ ରାଜ୍ୟ ବିଧାନସଭାରେ ସର୍ବସମ୍ମତ ପ୍ରସ୍ତାବ ଗୃହୀତ ହୋଇଥିଲା । ତାଙ୍କ ପାଖରେ ଆଉ ଅଧିକ ବିକଳ୍ପ ନ ଥିବା ବେଳେ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବାରୁ ଗୁରୁଙ୍ଗ ସେଇ ଉପାୟ ଅବଲମ୍ବନ କଲେ, ଯାହାକୁ ସେ ସବୁଠୁ ଭଲ ଭାବରେ ଜାଣିଥିଲେ । ତାହା ହେଉଛି ହିଂସା ।
ପାର୍ବତ୍ୟାଞ୍ଚଳକୁ ହିଂସାର ପ୍ରତ୍ୟାବର୍ତ୍ତନ
2011 ଫେବ୍ରୁଆରୀରେ, ଗୁରୁଙ୍ଗଙ୍କ ନେତୃତ୍ବରେ ଗୋରୁବାଥାନରୁ ଜାଇଗାଓଁ ପର୍ଯ୍ୟନ୍ତ ଚାଲିଥିବା ଜିଜେଏମ୍ ସମର୍ଥକମାନଙ୍କର ଏକ ‘ଦୀର୍ଘ ପଦଯାତ୍ରା’ ଜଲପାଇଗୁଡ଼ିରେ ପ୍ରବେଶ କରିବାକୁ ଯାଉଥିବା ବେଳେ ପୋଲିସ ଗୁଳିମାଡ଼ କରିଥିଲା । ପାର୍ବତ୍ୟାଞ୍ଚଳକୁ ହିଂସା ଫେରିଆସିଥିଲା ଏବଂ ଏହା ପରେ ପରେ ନଅ ଦିନ ପାଇଁ ବନ୍ଦ ପାଳିତ ହୋଇଥିଲା । 2011 ବିଧାନସଭା ନିର୍ବାଚନରେ ପରାସ୍ତ ହୋଇ ପଶ୍ଚିମ ବଙ୍ଗରୁ ବାମ ସାମ୍ମୁଖ୍ୟ ବିଦାୟ ନେଇଥିଲା ଏବଂ ମମତା ବାନାର୍ଜୀ ସରକାର ଗଠନ କରିଥିଲେ । ପାର୍ବତ୍ୟାଞ୍ଚଳର ତିନିଟି ଯାକ ଆସନ, ଦାର୍ଜିଲିଂ, କର୍ସିଆଙ୍ଗ ଏବଂ କାଲିମପଙ୍ଗରୁ ଜିଜେଏମ୍ ବିଜୟୀ ହୋଇଥିଲା ଏବଂ ବିଧାନସଭାରେ ଦୃଢ଼ ସ୍ଥିତିରେ ରହିଥିଲା । 2011 ମସିହା ଜୁଲାଇରେ, ଗୋର୍ଖାଲ୍ୟାଣ୍ଡ ଟେରିଟରିଆଲ୍ ଆଡମିନିଷ୍ଟ୍ରେସନ୍ (ଜିଟିଏ) ନାମକ ଏକ ଅର୍ଦ୍ଧ-ସ୍ବୟଂଶାସିତ ପ୍ରାଶାସନିକ ସଂସ୍ଥା ଗଠନ ନିମନ୍ତେ ଜିଜେଏମ୍, ପଶ୍ଚିମ ବଙ୍ଗ ସରକାର ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଏକ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଥିଲା ।
ସେହି ବର୍ଷ ସେପ୍ଟେମ୍ବରରେ ରାଜ୍ୟ ବିଧାନସଭାରେ ଜିଟିଏ ବିଲ୍ ପାସ୍ ହୋଇଥିଲା ଏବଂ 2012ରେ ଜିଟିଏର କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଥିଲା । 17ଟି ଆସନରେ ଜିଜେଏମ୍ ବିଜୟୀ ହୋଇଥିଲା ଏବଂ ଅବଶିଷ୍ଟ 28ଟି ଆସନକୁ ନିର୍ବିରୋଧରେ ହାସଲ କରିଥିଲା । ଗୁରୁଙ୍ଗ ଓ ମମତା ବାନାର୍ଜୀ ସରକାର ପାଇଁ ଏହା ଥିଲା ଏକ ସୁଖଦ ସମୟ । ହେଲେ, ଯାହା ସବୁ ସମୟରେ ଘଟେ ତାହା ହିଁ ହେଲା ଏବଂ ଏହି ସ୍ଥିତି ବେଶୀ ଦିନ ରହିଲା ନାହିଁ । ରାଜନୀତିଜ୍ଞ ମମତା ବାନାର୍ଜୀ ଜାଣିଥିଲେ ଯେ, ଜିଜେଏମ୍ର ବିଜୟ ପରେ ସମତଳ ଅଞ୍ଚଳ ସମେତ ତରାଇ-ଡୁଆର୍ସ କ୍ଷେତ୍ରରେ ବି ତାଙ୍କୁ ତିଷ୍ଠି ରହିବା ଲାଗି କିଛି କରିବାକୁ ପଡ଼ିବ । ଅନ୍ୟଥା ଅଧିକରୁ ଅଧିକ ଅଞ୍ଚଳ ତାଙ୍କ ହାତରୁ ଖସିଯିବାର ଆଶଙ୍କା ରହିଛି । ଯଦିଓ ଜିଟିଏ ପରିସରଭୁକ୍ତ ସମଗ୍ର ଅଞ୍ଚଳର ସ୍ବାସ୍ଥ୍ୟ ଓ ଶିକ୍ଷାନୁଷ୍ଠାନ ପରିଚାଳନା କ୍ଷେତ୍ରରେ ଜିଟିଏ ହିଁ ସର୍ବୋଚ୍ଚ ସଂସ୍ଥା, ତଥାପି ମମତା ତାଙ୍କର ଦୁଇ ଜଣ ମନ୍ତ୍ରୀଙ୍କୁ ଏହି ଅଞ୍ଚଳର କେତେକ ସଂସ୍ଥାର ଦେଖାରଖା ପାଇଁ ନିଯୁକ୍ତ କଲେ ।
ଅନ୍ୟ ଏକ ସମାନ୍ତରାଳ ବ୍ୟବସ୍ଥାରେ ସେ 15ଟି ଭାଷାଭାଷୀ ଗୋଷ୍ଠୀର ଲୋକଙ୍କ ଉନ୍ନତି ପାଇଁ ପୃଥକ୍ ପୃଥକ୍ ବିକାଶ ପରିଷଦ ଗଠନ କରି ସେମାନଙ୍କୁ ପାଣ୍ଠି ବିତରଣ କରିବାରେ ଲାଗିଲେ । ଏହି ଗୋଷ୍ଠୀ ଭିତରୁ ଅନେକ ନେପାଳୀ ଭାଷା କହୁଥିଲେ । ପାଣ୍ଠି ଯୋଗାଣ ଏକ ନିୟମିତ ବ୍ୟାପାରରେ ପରିଣତ ହୋଇଛି । ଗୁରୁଙ୍ଗ ମଧ୍ୟ ଏକଥା ଜାଣିଛନ୍ତି ଯେ ମମତାଙ୍କ ତୃଣମୂଳ କଂଗ୍ରେସ ଦାର୍ଜିଲିଂରେ କାୟାବିସ୍ତାର କଲେ ଏଥିପାଇଁ ଜିଜେଏମ୍କୁ ହିଁ କ୍ଷତି ସହିବାକୁ ପଡ଼ିବ । ସୁତରାଂ, ସୁଖଦ ମଧୁଚନ୍ଦ୍ରିକାର ପରିସମାପ୍ତି ଘଟିଲା ଏବଂ ଗୁରୁଙ୍ଗ ଜିଟିଏରୁ ଇସ୍ତଫା ଦେଲେ । ସେବେଠାରୁ ତୀସ୍ତା ନଦୀ ପ୍ରଖର ଗତିରେ ପ୍ରବାହିତ ହେବାରେ ଲାଗିଛି । 2016ରେ ମମତା ଦ୍ବିତୀୟ ଥର ପାଇଁ ବିଜୟ ଲାଭ କରି ସରକାର ଗଢ଼ିଲେ ଏବଂ ଦାର୍ଜିଲିଂ ପର୍ବତୀୟ କ୍ଷେତ୍ରର ମିରିକ୍ରେ ଅନୁଷ୍ଠିତ ପୌର ନିର୍ବାଚନରେ, ଜିଜେଏମ୍ର ଗଡ଼ରେ ହିଁ ତୃଣମୂଳ କଂଗ୍ରେସ ବିଜୟୀ ହେଲା । ଆଉ 2017 ଜୁନ୍ 8 ତାରିଖ ଦିନ ମମତା ଯେତେବେଲେ ଦାର୍ଜିଲିଂରେ ରାଜ୍ୟ କ୍ୟାବିନେଟ୍ ବୈଠକ କରିବାକୁ ସ୍ଥିର କଲେ, ସବୁ ଗଣନା ଓଲଟପାଲଟ ହୋଇଗଲା ।
ପଳାତକ ବିମଲ ଗୁରୁଙ୍ଗ
ଦାର୍ଜିଲିଂ ସମେତ ସାରା ରାଜ୍ୟର ସରକାରୀ ସ୍କୁଲ୍ଗୁଡ଼ିକରେ ବଙ୍ଗାଳୀ ଭାଷାକୁ ବାଧ୍ୟତାମୂଳକ କରିବା ପାଇଁ ରାଜ୍ୟ ସରକାର ଏକ ପ୍ରସ୍ତାବ ଆଗତ କଲେ । ଦାର୍ଜିଲିଂର ଅଧିକାଂଶ ଲୋକ ନେପାଳୀ । ଏହି ପ୍ରସ୍ତାବ ହିଁ ପାଉଁଶ ତଳେ ଥିବା ନିଆଁ କୁହୁଳିବାରେ ସହାୟକ ହେଲା ଏବଂ ଗୁରୁଙ୍ଗ ପାର୍ବତ୍ୟାଞ୍ଚଳ ଏବଂ ତରାଇ-ଡୁଆର୍ସ କ୍ଷେତ୍ରରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ଡାକରା ଦେଲେ । ଏ କ୍ଷେତ୍ରରେ ମମତା କଠୋର ପଦକ୍ଷେପ ନେଲେ ଏବଂ ଆନ୍ଦୋଳନକୁ ନିୟନ୍ତ୍ରଣ କରିବା ପାଇଁ ତାଙ୍କ ପୋଲିସ ବାହିନୀକୁ ପଠାଇଲେ । ପରିଣାମରେ ରକ୍ତାକ୍ତ ସଂଘର୍ଷ ଘଟିଲା ଏବଂ 104 ଦିନ ଧରି ସବୁକିଛି ବନ୍ଦ ରହିବା ସମେତ ବହୁ ଧନଜୀବନ ହାନି ହେଲା । ସରକାରୀ ଓ ବେସରକାରୀ ସଂପତ୍ତି ନଷ୍ଟ ହେଲା । ଚା’ ବଗିଚାରେ କାମ କରିବାକୁ ଶ୍ରମିକମାନେ ମନା କରିଦେବା ଫଳରେ ବିଶ୍ବ ପ୍ରସିଦ୍ଧ ଦାର୍ଜିଲିଂ ଚା’ର ପତ୍ରତୋଳା ବନ୍ଦ ହୋଇଗଲା । ଗୁରୁଙ୍ଗ ଓ ତାଙ୍କ ସହଯୋଗୀମାନଙ୍କ ବିରୋଧରେ ବିଭିନ୍ନ ଦଫାରେ ମକଦ୍ଦମା ରୁଜୁ ହେଲା ଏବଂ ସେମାନେ ଓ ଅନ୍ୟ ଜିଜେଏମ୍ ସମର୍ଥକମାନେ ଫେରାର ହୋଇଗଲେ ।
ଇତିହାସର ପୁନରାବୃତ୍ତି ଘଟିବା ସହିତ ଜିଜେଏମ୍ର ବିଭାଜନ ହେଲା ଏବଂ ଗୁରୁଙ୍ଗଙ୍କ ବିଶ୍ବସ୍ତ ସହଯୋଗୀ ବିନୟ ତମାଙ୍ଗ ଗୋଟିଏ ଗୋଷ୍ଠୀର ପ୍ରମୁଖ ନେତା ରୂପେ ଉଭା ହେଲେ । ତମାଙ୍ଗ ଓ ଗୁରୁଙ୍ଗଙ୍କର ଆଉ ଜଣେ ପୂର୍ବତନ ଅନୁଗତ, ଅନିତ ଥାପା ଏବେ ଜିଟିଏର ପରିଚାଳନା କରୁଛନ୍ତି । ଏହି ଆନ୍ଦୋଳନ ସମୟରେ ତମାଙ୍ଗ ହିଁ ମମତା ବାନାର୍ଜୀଙ୍କ ସରକାର ସହିତ ଶାନ୍ତି ପ୍ରତିଷ୍ଠା ପାଇଁ ପ୍ରସ୍ତାବ ଦେଇଥିଲେ ଏବଂ ବାର୍ତ୍ତାଳାପରେ ଭାଗ ନେଇଥିଲେ ଏବଂ ଶେଷରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା ।
ବର୍ତ୍ତମାନ ସ୍ଥିତି କ’ଣ ?
ମମତା ବାନାର୍ଜୀଙ୍କୁ ସମର୍ଥନ କରିବା ଲାଗି ବିମଲ ଗୁରୁଙ୍ଗଙ୍କ ନିଷ୍ପତ୍ତି ପାର୍ବତ୍ୟାଞ୍ଚଳରେ ତୃଣମୂଳ କଂଗ୍ରେସ ସପକ୍ଷରେ ଯିବ କି ? ଜିଜେଏମ୍ର ଦୁଇ ଗୋଷ୍ଠୀ- ଗୁରୁଙ୍ଗ ଗୋଷ୍ଠୀ ଓ ତମାଙ୍ଗ ଗୋଷ୍ଠୀ ମଧ୍ୟରେ ଆପୋସ ବୁଝାମଣା ହୋଇପାରିବ କି ? ଯଦି ଉଭୟ ଗୁରୁଙ୍ଗ ଓ ତମାଙ୍ଗଙ୍କ ଗୋଷ୍ଠୀ ଏକାଠି ହୁଅନ୍ତି ଏବଂ ତୃଣମୂଳ କଂଗ୍ରେସ ସହିତ ମେଣ୍ଟ କରନ୍ତି, ତେବେ ଦାର୍ଜିଲିଂ ପାର୍ବତ୍ୟାଞ୍ଚଳ ଏବଂ ତରାଇ ଅଞ୍ଚଳର ଗୋର୍ଖାମାନଙ୍କର ଆକାଂକ୍ଷା କେମିତି ପୂରଣ ହେବ ଏବଂ ସେମାନେ କାହାକୁ ସମର୍ଥନ କରିବେ ? ଉଭଯ ଗୋଷ୍ଠୀ ମମତାଙ୍କୁ ସମର୍ଥନ କରିବାର ଅର୍ଥ କ’ଣ ଏହା ହେବ ଯେ ଜିଜେଏମ୍ ଲୋପ ପାଇଯିବ ଏବଂ ଗୋର୍ଖାଲ୍ୟାଣ୍ଡ ଦାବିକୁ ପୁନରୁଜ୍ଜୀବିତ କରିବା ଲାଗି ପାର୍ବତ୍ୟାଞ୍ଚଳର ଲୋକମାନଙ୍କୁ ଆଉ ଏକ ନୂତନ ସଂଗଠନ ମୁଣ୍ଡ ଟେକିଲା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ ? ଦାର୍ଜିଲିଂ ପାର୍ବତ୍ୟାଞ୍ଚଳରେ ବିଜେପିର ସ୍ଥିତି କ’ଣ ହେବ ?
ସିଲିଗୁଡ଼ିରୁ ଦାର୍ଜିଲିଂ ଯାଏ ଲମ୍ବିଥିବା ଅଙ୍କାବଙ୍କା ରାସ୍ତାର ବିଭିନ୍ନ ମୋଡ଼ରେ ଏବେ ଏମିତି ଅନେକ ପ୍ରଶ୍ନ ଉଠୁଛି, ହେଲେ ବର୍ତ୍ତମାନ ପାଇଁ ଅଧିକାଂଶ ପ୍ରଶ୍ନର ଉତ୍ତର ନାହିଁ । ଏବେ ଏହା ଅପେକ୍ଷା କରିବାର ସମୟ । କାରଣ, ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ଗୁରୁଙ୍ଗଙ୍କ ରାଜନୈତିକ ଗୋଟିଚାଳନାର ପ୍ରତ୍ୟୁତ୍ତରରେ ବିଜେପି କିଭଳି ପ୍ରତିକ୍ରିୟା ପ୍ରକାଶ କରୁଛି ତାହା ରୋଚକ ହେବ ବୋଲି ଆଶା କରାଯାଉଛି । 1879 ମସିହାରେ ଯେତେବେଳେ ଫ୍ରାଙ୍କଲିନ୍ ପ୍ରେଷ୍ଟେଜ୍ ଦାର୍ଜିଲିଂରେ ପ୍ରଥମେ ଦାର୍ଜିଲିଂ ହିମାଲୟାନ ରେଲ୍ୱେଜ୍ ନାମକ ଐତିହ୍ୟସଂପନ୍ନ ରେଳଲାଇନ୍ ସ୍ଥାପନ କଲେ, ପାହାଡ଼ିଆ ରାସ୍ତାରେ ରେଳଗାଡ଼ି ଉପରକୁ ଯିବା ନିମନ୍ତେ ସେ ଏକ ଅନନ୍ୟ ପରିକଳ୍ପନା କରିଥିଲେ, ଯାହାର ନାଁ ‘ଜେଡ୍-ରିଭର୍ସ’ । ଏହି ବ୍ୟବସ୍ଥା ଅନୁସାରେ ରେଳଗାଡ଼ିଟିଏ ପ୍ରଥମେ ଏକ ଉଠାଣିଆ ରାସ୍ତାରେ ଆଗକୁ ଯାଏ, ସେଠାରେ ଅଟକି ରହେ ଏବଂ ପରେ ପଛକୁ ପଛ ଆସି ଆଉ ଅଧିକ ଉଠାଣିଆ ରାସ୍ତାରେ ଉପରକୁ ଉଠେ ଏବଂ ଏହିପରି ଆଗକୁ ପଛକୁ ଯାତ୍ରା କରି ଅଧିକ ଉଚ୍ଚରେ ଥିବା ଲକ୍ଷ୍ୟସ୍ଥଳରେ ପହଞ୍ଚେ ।
‘ଜେଡ୍-ରିଭର୍ସ’ ପଦ୍ଧତି ପଛରେ ଥିବା ଚିନ୍ତାଧାରା ହେଉଛି ଯେ ଯେତେବେଳେ ଆଗକୁ ଯିବା ସମ୍ଭବ ହୁଏ ନାହିଁ, ସେତେବେଳେ ପଛକୁ ଫେରି ଏକ ନୂଆ ରାସ୍ତାରେ ଆଗକୁ ବଢ଼ିବା ସର୍ବଦା ଗ୍ରହଣୀୟ । ଦାର୍ଜିଲିଂ ଏବଂ ତରାଇ ଅଞ୍ଚଳର ସବୁ ରାଜନୈତିକ ପକ୍ଷର ଆଖି ଖୋଲିଦେବା ପାଇଁ ‘ଜେଡ୍-ରିଭର୍ସ’ ପରିକଳ୍ପନା ଯଥେଷ୍ଟ ମନେହୁଏ । ରାଜନୀତି ଯେ ସବୁବେଳେ ସିଧାରାସ୍ତାରେ ଯାତ୍ରା କରିବା କଥା ନୁହେଁ, ତାହା ସେମାନେ ହୃଦ୍ବୋଧ କରିବାର ସମୟ ଉପନୀତ ।
ଦୀପଙ୍କର ବୋଷ, ନ୍ୟୁଜ୍ କୋଅଡିନେଟର, ଇଟିଭି ଭାରତ